୧୦୪୭ କିଲୋ ଗଂଜେଇ ଜବତ, ୭ ଗିରଫ


ମାଲକାନଗିରି,୮/୫: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ପୁଲିସକୁ ମିଳିଛି ବଡ ସଫଳତା।ଗଂଜେଇ ଜବତ କରିବା ସହ ୭ ଜଣ ଆସାମୀଙ୍କୁ ଗିରଫ କରିଛି।ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚିତ୍ରକୋଣ୍ଡା,ଓର୍କେଲ,ଖଇରପୁଟ,କୁଡୁମୁଲୁଗୁମ୍ମା ଅଂଚଳରେ ଗଂଜେଇ ଧରପଗଡ ଜୋରଦାର ଚାଲିଛି।ଏହି କ୍ରମରେ ଗତ କାଲି ରାତିରେ ବାଲିମେଳା ଏବଂ ଖଡିକାଯୋଡି ଗ୍ରାମ ନିକଟରେ ପୁଲିସ ପେଟ୍ରୋଲିଂ କରୁଥିଲା।ତେବେ ଖଡିକାଯୋଡି ଗ୍ରାମ ନିକଟସ୍ଥ ଜଂଗଲରେ କିଛି ଲୋକ ପୁଲିସକୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ।ପୁଲିସ ସନ୍ଦେହ କରି ଏହି ଲୋକମାନଙ୍କୁ ଜଂଗଲରେ ଘେରାବନ୍ଦୀ କରି ଧରିଥିଲେ।ଜଂଗଲରେ ପୁଲିସ ୭ ଜଣକୁ ଧରିବାରେ ସଫଳ ହୋଇଥିଲା।ଏମାନଙ୍କୁ ଧରି ପୁଲିସ ପଚରାଉଚରା କରିବା ପରେ ଏମାନେ ଗଂଜେଇ ଚାଲାଣ କରୁଥିବା ସ୍ବୀକାର କରିଥିଲେ।ଖଡିଆଯୋଡି ନିକଟସ୍ଥ ଜଂଗଲରେ ଏକ ସ୍ଥାନରେ ପ୍ରାୟ ୧୦୪୭ କିଲୋ ଗଂଜେଇ ଲୁଚାଇ ରଖିଥିଲେ।ଏହାକୁ ପଡୋଶୀ ଆନ୍ଧ୍ର,ଛତିଶଗଡକୁ ଚାଲାଣ କରାଯାଇଥାନ୍ତା।ତେବେ ପୁଲିସର ଏହି ଧରପଗଡରେ ଗଂଜେଇ ଚାଲାଣ ହୋଇପାରିନଥିଲା।ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ଟଂକାର ଗଂଜେଇ ବୋଲି ଜଣାପଡିଛି।ପୁଲିସ ଦ୍ବାରା ଗିରଫ ହୋଇଥିବା ୭ ଜଣ ଆସାମୀମାନେ ହେଲେ ନାରିଙ୍ଗିଝୋଲା ଗ୍ରାମର ଧବଲୁ ମୁଦୁଲି(୩୭),ରାଜୁ ଗୁଡିଆ(୨୪),ସାଧୁ ମୁଦୁଲି(୩୦),ସନୁ ମଦୁଲି(୨୩),ଶିବ ମୁଦୁଲି(୨୩),ସନିଆ ଗୋଲପେଦା(୩୯) ଏବଂ ଫୁଲପଦର ଗ୍ରାମର ଆଲିଓ ଖରା(୧୯)।ଏମାନଙ୍କୁ ଆଜି ଓର୍କେଲ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛି।ମାଲକାନଗିରି ପୁଲିସ ଗଂଜେଇ ଚୋରା ଚାଲାଣ ରୋକିବାରେ ସଫଳ ହେବାରେ ଲାଗିଛି।ଲଗାତାର ଗଂଜେଇ ଜବତ କରିବା ସହ ଆସାମୀମାନଙ୍କୁ ଗିରଫ କରୁଛି।ଆଗାମୀ ଦିନରେ ମଧ୍ୟ ଗଂଜେଇ ଚୋରା ଚାଲାଣକୁ ରୋକିବା ଦିଗରେ ପୁଲିସ ଜୋରସୋର ଚଢାଉ କରିବା ସହ ଜିଲ୍ଲାର ସଂପୂର୍ଣ୍ଣ ଗଂଜେଇକୁ ଚାଲାଣକୁ ବନ୍ଦ କରାଯିବ ବୋଲି କହିଛି।

Leave A Reply

Your email address will not be published.