ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି, ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକର ନିଷ୍ପତ୍ତି ଅନୁଯାୟୀ ଗତ ତିନିବର୍ଷ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକମାନଙ୍କର ସାର୍ଟିଫିକେଟ୍ ଏବଂ ପ୍ରମାଣପତ୍ର ଯାଞ୍ଚ କରାଯିବ। ରାଜ୍ୟ ବାହାରର ବିଶ୍ୱବିଦ୍ୟାଳୟ ଏବଂ ସଂପୃକ୍ତ ରାଜ୍ୟର ଶିକ୍ଷା ବିଭାଗକୁ ଏ ସଂପର୍କରେ ଯାଞ୍ଚ କରିବା ପାଇଁ ଚିଠି ଲେଖାଯିବ। ଆବଶ୍ୟକ ପଡ଼ିଲେ ଯାଞ୍ଚ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ସ୍ଵତନ୍ତ୍ର ଅଧିକାରୀଙ୍କୁ ରାଜ୍ୟ ବାହାରର ବିଶ୍ୱବିଦ୍ୟାଳୟକୁ ପଠାଯିବ।
ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଚଳିତ ବର୍ଷରୁ ଡିଜିଲକ୍ ବ୍ୟବସ୍ଥା ପ୍ରଚଳନ କରାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମସ୍ତ ସାର୍ଟିଫିକେଟ୍କୁ ଡିଜିଟାଇଜେସନ୍ କରିବା ପାଇଁ ଆଇଟି ବିଭାଗର ସଚିବଙ୍କୁ ପତ୍ର ଲେଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ଵାରା ସମସ୍ତ ଶିକ୍ଷକଙ୍କର ଡାଟାବେସ୍ ପ୍ରସ୍ତୁତ କରାଯିବ। ସମସ୍ତ ମାମଲାର ତୁରନ୍ତ ଫଇସଲା ପାଇଁ ପଦକ୍ଷେପ ନିଆଯିବା ସହିତ ଏଫ୍ଆଇଆର୍ (FIR) ଦରଜ କରାଯିବ। ଏଥି ସହିତ ଚିହ୍ନଟ ଶିକ୍ଷକମାନଙ୍କଠାରୁ ଦରମା ଅର୍ଥ ଅସୁଲ କରିବା ପାଇଁ ଚିଠି ଲେଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ସିବିଏସ୍ଇ ବିଦ୍ୟାଳୟଗୁଡ଼ିକୁ ଏନ୍ଓସି ପ୍ରଦାନକୁ ସରଳ ଏବଂ ସ୍ଵୟଂକ୍ରିୟ କରାଯିବ ଓ ସେମାନଙ୍କ ଆବେଦନ ପତ୍ର ଅନ୍ଲାଇନ୍ ମାଧ୍ୟମରେ ଗ୍ରହଣ କରାଯିବ। ସ୍କୁଲ ଦ୍ବାରା ପ୍ରଦତ୍ତ ତଥ୍ୟ ତୃଟିପୂର୍ଣ୍ଣ ଥିଲେ ତିନିବର୍ଷ ପାଇଁ କୌଣସି ଏଓସି ପ୍ରଦାନ କରାଯିବ ନାହିଁ। ସାସ ଏବଂ ଦକ୍ଷତା ବିକାଶ ବିଭାଗରୁ ତଥ୍ୟ ସଂଗ୍ରହ ପରେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପରେ ଡ୍ରପଆଉଙ୍କ ସମ୍ବନ୍ଧରେ ବିଶ୍ଳେଷଣ କରାଯିବ। ଶିକ୍ଷକମାନଙ୍କ ପ୍ରଶିକ୍ଷଣ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ ଏବଂ ଓସେପା ଦ୍ଵାରା ଦକ୍ଷତା ବୃଦ୍ଧି ନିମନ୍ତେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ୩୦ଟି ଜିଲ୍ଲାର ୩୦ଟି ସ୍କୁଲକୁ ଚିହ୍ନଟ କରାଯାଇ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।