ଡେପୁଟେସନ ରେ ବିଜ୍ଞାନ ଶିକ୍ଷକ ପ୍ରତ୍ୟାବର୍ତ୍ତନ ନେହେଲେ ସ୍କୁଲ ସମେତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଗଣ ଧାରଣା ଚେତାବନୀ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୨ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତେବେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭାବ ଲାଗିରହିଥିବା ବେଳେ ଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟରୁ ଜଣକ ପରେ ଜଣେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନ୍ୟ ସ୍କୁଲକୁ ଡେପୁଟେସନରେ ପଠାଯାଉଛି । କିନ୍ତୁ ପରବର୍ତ୍ତୀ ସମୟରେ ଡେପୁଟେସନରେ ଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ସ୍କୁଲକୁ ପ୍ରତ୍ୟାବର୍ତ୍ତନ କରାଯାଇନଥିବା କାରଣରୁ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଅଛି । ତେଣୁ ବର୍ତ୍ତମାନ ବିଦ୍ୟାଳୟ ପରିଚାଳନା କମିଟି ସମେତ ଅଭିଭାବକ ଓ ଗ୍ରାମବାସୀ ମାନେ ଯଥା ଶୀଘ୍ର ଡେପୁଟେସନରେ ଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ତେଣୁ ଯଥାଶୀଘ୍ର ଗ୍ରାମବାସୀଙ୍କ ଦାବି ପୂରଣ କରାନଗଲେ ସେମାନେ ସ୍କୁଲ ଆଗରେ ଧାରଣା ଦେବା ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣ ଦେବେ ବୋଲି ଚେତାବନୀ ଦେଇଛନ୍ତି । ବିଦ୍ୟାଳୟ ପରିଚାଳନା କମିଟିର ସୂଚନା ମୁତାବକ ତିଲୋରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ କିଛି ବର୍ଷ ପୂର୍ବେ ଶିକ୍ଷୟତ୍ରୀ ରୀତା ରାଣୀ ବିନ୍ଧାଣି ଙ୍କୁ ମୁଗୁପାଙ୍ଗା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନ ରେ ପଠାଇ ଦିଆଯାଇଥିବା ବେଳେ କିଛି ମାସ ପୂର୍ବରୁ ମାତ୍ର ୧୫ ଦିନ ପାଇଁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନେଶ୍ୱର ଦିଗାଲ ଙ୍କୁ ସୁଜାମାଜୁ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଡେପୁଟେସନ ରେ ପଠାଇ ଦିଆଯାଇଛି l ତେବେ ୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍କୁଲ ରୁ ଅନ୍ୟତ୍ର ଡେପୁଟେସନ ରେ ଯାଇଥିବା ବେଳେ ସେମାନଙ୍କ ସ୍ଥାନ ଖାଲି ରହିବାରୁ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ରେ ଅନେକ ସମସ୍ୟା ଦେଖା ଦେଇଛି l ତେଣୁ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ଗତମାସରେ ଡେପୁଟେସନ ରେ ଯାଇଥିବା ବ ବିଜ୍ଞାନ ଶିକ୍ଷକ ମନେଶ୍ୱର ଦିଗାଲ ଙ୍କୁ ସୁଜା ମାଜୁ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ତୁରନ୍ତ ତିଲୋରୀ କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଲିଖିତ ଭାବେ ଅଭିଯୋଗ ପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କୁ ପ୍ରଦାନ କରିଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ଖରା ଛୁଟି ଶେଷ ହେବା ପରେ ସ୍କୁଲ ଖୋଲିଲେ ବିଜ୍ଞାନ ଶିକ୍ଷକଙ୍କୁ ସୁଜାମାଜୁ ରୁ ପ୍ରତ୍ୟାବର୍ତ୍ତନ କରାଯିବା ନେଇ ପ୍ରତିଶୃତି ଦେଇଥିବା ନେଇ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା ସୂଚନା ଦେଇଥିଲେ l ତେବେ ଖରା ଛୁଟି ଶେଷ ହୋଇ ବିଦ୍ୟାଳୟ ଖୋଲିବାର ୩ଦିନ ବିତିଯାଇଥିଲେ ସୁଦ୍ଧା ବିଜ୍ଞାନ ଶିକ୍ଷକଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଇନଥିବାରୁ ଗ୍ରାମବାସୀମାନେ ସ୍କୁଲ ଆଗରେ ଗଣଧାରଣା ଦେବା ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆଗରେ ଗଣ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି l ତେବେ ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ହୋଇପାରିନାହିଁ l

Leave A Reply

Your email address will not be published.