ପନ୍ତ-ପାଣ୍ଡ୍ୟାଙ୍କ ଧମାଲ, ଇଂଲଣ୍ଡକୁ ଧୂଳି ଚଟାଇ ୮ ବର୍ଷ ପରେ ଦିନିକିଆ ସିରିଜ୍ ଜିତିଲା ଭାରତ

ମାଞ୍ଚେଷ୍ଟର: ପନ୍ତଙ୍କ ଦମଦାର ଶତକ ବଳରେ ଆଠ ବର୍ଷ ପରେ ଦିନିକିଆ ସିରିଜ୍ କବଜା କଲା ଭାରତ। ଇଂଲଣ୍ଡ ମାଟିରେ ଇଂରେଜ ଦଳକୁ ଧୂଳି ଚଟାଇ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି ରୋହିତ ବାହିନୀ। ଋଷଭ ପନ୍ତଙ୍କ ଅପରାଜିତ ଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ଦମରେ ନିର୍ଣ୍ଣାୟକ ମୁକାବିଲାକୁ ୫ ଓ୍ଵିକେଟରେ ଜିତି ନେଇଛି ଭାରତ। ପନ୍ତ ଏବଂ ପାଣ୍ଡ୍ୟା ଶତକୀୟ ଭାଗିଦାରୀ ଯୋଡି ଭାରତ ବିଜୟରେ ମୁଖ୍ୟ ବିନ୍ଧାଣି ସାଜିଛନ୍ତି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଅଧିନାୟକ ଜୋସ୍ ବଟଲର ୬୦ ରନ କରିଥିବା ବେଳେ ଜାସନ ରୟ ୪୧ ରନ କରିଥିଲେ। ମୋଇନ ଅଲ୍ଲୀ ୩୪ ରନର ଇନିଂସ ଖେଳିଥିଲେ। ଜବାବରେ ଭାରତ ୪୨.୧ ଓଭରରେ ୫ ଓ୍ଵିକେଟ୍ ହରାଇ ମ୍ୟାଚ୍‌କୁ ଜିତି ନେଇଛି। ପନ୍ତ ୧୨୫ ରନର ଦମଦାର ଅପରାଜିତ ଇନିଂସ ଖେଳି ଦଳକୁ ଜିତାଇଛନ୍ତି। ପାଣ୍ଡ୍ୟା ୭୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି

୨୬୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ପ୍ରାରମ୍ଭିକ ବିପର୍ଯ୍ୟ ଘଟିଥିଲା। ଶିଖର ଧାଓ୍ଵନ(୧) ପୁଣି ଥରେ ନିରାଶ କରିଥିଲେ। ରୋହିତ ଶର୍ମା ଭଲ ଆରମ୍ଭ କରିଥିଲେ ହେଁ ୧୭ ରନ କରି ଆଉଟ୍ ହୋଇଥିଲେ। ବିରାଟ କୋହଲି(୧୭ ରନ) ନିଜର ଖରାପ ଫର୍ମ ଜାରି ରଖି ପାଭିଲିୟନ ଫେରିଥିଲେ। ସୂର୍ଯ୍ୟକୁମାର ଯାଦବ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରିନଥିଲେ। ସେ ୧୬ ରନ କରି ଆଉଟ୍ ହୋଇଥିଲେ। ୭୨ ରନରେ ୪ ଓ୍ଵିକେଟ୍ ହରାଇ ଭାରତ ମୁସ୍କିଲ ସ୍ଥିତିରେ ପଡିଥିଲା।

ଏହା ପରେ ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସତର୍କତାର ସହ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। କ୍ରିଜରେ ଜମିବା ପରେ ଉଭୟ ସଟ୍ ଖେଳିବା ସହ ଦ୍ରୁତ ଗତିରେ ରନ ସଂଗ୍ରହ କରି ଦଳକୁ ବିପର୍ଯ୍ୟରୁ ଉଦ୍ଧାର କରିଥିଲେ। ଏହି କ୍ରମରେ ପନ୍ତ ଏବଂ ପାଣ୍ଡ୍ୟା ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟସମ୍ୟାନ ୧୦୧ ବଲରେ ଶତକୀୟ ଭାଗିଦାରୀ ଯୋଡି ଦଳକୁ ବିଜୟର ନିକଟତର କରାଇଥିଲେ। ୨୦୫ ରନ ସ୍କୋରରେ ପାଣ୍ଡ୍ୟା ଆଉଟ୍ ହୋଇଥିଲେ। ସେ ୫୫ ବଲରୁ ୧୦ ଚୌକା ସହ ୭୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।

ପନ୍ତ ଏବଂ ପାଣ୍ଡ୍ୟା ପଞ୍ଚମ ଓ୍ଵିକେଟରେ ୧୧୩ ରନ ଯୋଡିଥିଲେ। ଅନ୍ୟପଟେ ବିସ୍ଫୋରକ ବ୍ୟାଟିଂ କରି ପନ୍ତ ଦିନିକିଆ କ୍ୟାରିୟରରେ ପ୍ରଥମ ଶତକ ପୂରଣ କରିଥିଲେ। ସେ ଏବଂ ଜାଡେଜା ଅବିଭାଜିତ ଷଷ୍ଠ ଓ୍ଵିକେଟରେ ୫୬ ରନ ଯୋଡି ଦଳକୁ ଜିତାଇଛନ୍ତି। ଭାରତ ୪୨.୧ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ହାସଲ କରିଛି। ଖାସ୍ କରି ୪୨ ତମ ଓଭରରେ ପନ୍ତ ୫ ଚୌକା ମାରିଥିଲେ। ପନ୍ତ ୧୧୩ ବଲରୁ ୧୬ ଚୌକା ଏବଂ ୨ ଛକା ସହ ୧୨୫ ରନ କରି ଅପରାଜିତ ଅଛନ୍ତି।

ଇଂଲଣ୍ଡ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୨ ରନର ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଜୋନି ବେୟାରଷ୍ଟୋ(୦) ଖାତା ଖୋଲିବା ପୂର୍ବରୁ ସିରାଜଙ୍କ ବଲରେ ଆଉଟ୍ ହୋଇଥିଲେ। ସେହି ସମାନ ସ୍କୋରରେ ଜୋ ରୁଟ୍(୦)ଙ୍କୁ ପାଭିଲିୟନ ପଠାଇଥିଲେ ସିରାଜ। ପରେ ଜାସନ ରୟ ଏବଂ ବେନ ଷ୍ଟୋକ୍ସ ତୃତୀୟ ଓ୍ଵିକେଟରେ ୫୪ ରନ ଯୋଡିଥିଲେ। ରୟ ଦ୍ରୁତ ବ୍ୟାଟିଂ କରି ୩୧ ବଲରୁ ୭ ଚୌକା ସହ ୪୧ ରନ କରି ହାର୍ଦ୍ଦିକଙ୍କ ବଲରେ ଆଉଟ୍ ହୋଇଥିଲେ। ବେନ ଷ୍ଟୋକ୍ସ ୨୭ ରନରେ ଆଉଟ୍ ହୋଇଥିଲେ। ୭୪ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲରେ ଥିବା ଇଂଲଣ୍ଡର ସ୍କୋରକୁ ଅଧିନାୟକ ବଟଲର ଏବଂ ମୋଇନ ଅଲ୍ଲୀ ଆଗେଇ ନେଇଥିଲେ। ଉଭୟ ପଞ୍ଚମ ଓ୍ଵିକେଟରେ ୭୫ ରନ ଯୋଡି ଦଳ ସ୍ଥିତି ସୁଧାରିଥିଲେ। ରବୀନ୍ଦ୍ର ଜାଡେଜା ମୋଇନ ଅଲ୍ଲୀ(୩୪ ରନ)ଙ୍କୁ ଆଉଟ୍ କରି ଭାଗିଦାରୀ ଭାଙ୍ଗିଥିଲେ।

ପୁଣି ବଟଲର ଏବଂ ଲିୟାମ ଲିଭିଙ୍ଗଷ୍ଟୋନ ଷଷ୍ଠ ଓ୍ଵିକେଟରରେ ୪୯ ରନ ଯୋଡି ଦଳର ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ। ଲିୟାମ ୨୭ ରନରେ ପାଭିଲିୟନ ଫେରିଥିଲେ। ଅଧିନାୟକ ବଟଲର ଅର୍ଦ୍ଧଶତକ ହାସଲ କରିବା ସହ ୩ ଚୌକା ଏବଂ ୨ ଛକା ଜରିଆରେ ୬୦ ରନ କରିଥିଲେ। ପୁଣି ଡେଭିଡ୍ ଓ୍ଵିଲି ଏବଂ କ୍ରେଗ ଓଭରଟନ ଅଷ୍ଟମ ଓ୍ଵିକେଟରେ ୪୮ ରନ ଯୋଡିଥିଲେ। ଶେଷ ଆଡକୁ କ୍ରେଗ ଓଭରଟନ ୩୨ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନ କରି ଅଲଆଉଟ୍ ହୋଇଛି। ଶେଷ ଦୁଇଟି ଓ୍ଵିକେଟ୍ ନେଇ ଚହଲ ଇଂଲଣ୍ଡ ଇନିଂସର ଅନ୍ତ ଘଟାଇଥିଲେ।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ ଦେଇ ୪ଟି ସଫଳତା ପାଇଥିବା ବେଳେ ୟୁଜବେନ୍ଦ୍ର ଚହଲ ୬୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ମହମ୍ମଦ ସିରାଜ ୨ ଓ୍ଵିକେଟ୍ ନେଇଥିଲେ ହେଁ ୬୬ ରନ ଦେଇଛନ୍ତି। ଜାଡେଜାଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।

Leave A Reply

Your email address will not be published.