ଭକ୍ତ ଚିନ୍ତାମଣି, ପରମ ପାବନ କ୍ଷେତ୍ର ଶ୍ରୀକ୍ଷେତ୍ର ନୀଳାଚଳରେ ପୂଜିତ, ଶ୍ରୀଜଗନ୍ନାଥ ବିଶ୍ୱ ବନ୍ଦିତ l ତାଙ୍କର ରୂପ, ଲୀଳା, ପୂଜା,ରୀତି,ନୀତି ମଧ୍ୟରେ ପୁରି ରହିଛି ବହୁ ରହସ୍ୟ l ଲୀଳା ମୟ,ଐଶ୍ୱର୍ଯ୍ୟ ମୟ ଓ ମାଧୁର୍ଯ୍ୟମୟ ଠାକୁର ମହାପ୍ରଭୁ l ତାଙ୍କର ସେବା ଏବଂ ପୂଜା ବିଧିରେ ରାଜକୀୟ ରୀତିମାନ ରହିବା ସହ ବିଭିନ୍ନ ମାନବୀୟଲୀଳାର ମଧ୍ୟ ପରି ପ୍ରକାଶ ହୋଇଥାଏ l ମହାପ୍ରଭୁଙ୍କୁ ନିତ୍ୟ ଷାଠିଏ ପଉଟି ଓ ଛପନ ଭୋଗରେ ମଣୋହି କରାଯାଉ ଥିଲେ ହେଁ ଅନ୍ୟ କେତେ ଗୁଡ଼ିଏ ମଣୋହି ରହିଛି ଯାହା ମହାପ୍ରଭୁଙ୍କୁ ସ୍ୱତନ୍ତ୍ରଭାବେ ଲାଗି କରାଯାଇ ଥାଏ l ତାମ୍ବୁଳମଣୋହି ବା ବିଡ଼ିଆପାନ ମଣୋହି ଏହି ସ୍ୱତନ୍ତ୍ର ମଣୋହିମାନଙ୍କ ମଧ୍ୟରେ ଅନ୍ୟତମ l ପାନପ୍ରୀୟ ଓଡ଼ିଆଙ୍କ ପାଇଁ ତା’ର ଆରାଧ୍ୟ ଠାକୁର ମଧ୍ୟ ପାନ ରସିକ l
ଶ୍ରୀ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପାନ ବା ତାମ୍ବୁଳ ସେବା,ମଣୋହି ବହୁ ପ୍ରାଚୀନ କାଳରୁ ପ୍ରଚଳିତ l ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କ ମତରେ ଶ୍ରୀମନ୍ଦିରରେ ବିଡ଼ିଆ ମଣୋହିର ପ୍ରଚଳନ ପଞ୍ଚ ରାତ୍ର ଆଗମ ପ୍ରଭାବରେ ହେଉଛି l
ମାଦଳା ପାଞ୍ଜି ଓ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ମଧ୍ୟ ଏ ତାମ୍ବୁଳସେବା,ହଡ଼ପ ନାଏକ ସେବା,ଯୋଗାଣିଆ ସେବକ ଆଦିଙ୍କ ବିସ୍ତୃତ ବର୍ଣ୍ଣନା ରହିଛି l ଅଧୁନା ମହାପ୍ରଭୁଙ୍କ ସମସ୍ତ ଧୂପ ପରେ ଚନ୍ଦନଲାଗି,ବଡ଼ ସିଂହାର,ପହୁଡ଼ବେଳେ ଶତଶତ ବିଡ଼ିଆ ମଣୋହି କରାଯାଏ l
ମହାପ୍ରଭୁଙ୍କ ତାମ୍ବୁଳ ସେବାର ମାହାତ୍ମ୍ୟକୁ ନେଇ ଗୋଟିଏ ରୋଚକ କାହାଣୀ ଅଛି l ଥରେ ଜଗତ ସେଠ ନାମରେ ଜଣେ ଧନାଢ୍ୟ ରାଜସ୍ଥାନୀ ଭକ୍ତ ସପରିବାରେ ଶ୍ରୀକ୍ଷେତ୍ରକୁ ମହାପ୍ରଭୁଙ୍କ ଦର୍ଶନରେ ଆସିଥିଲେ l ସେ ପ୍ରଥମେ ଗଜପତି ମହାରାଜାଙ୍କୁ ଭେଟି ଅର୍ପଣ କରି ନିଜ ପଣ୍ଡାଙ୍କ ସହିତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ l ଦର୍ଶନ ବେଳେ ଶ୍ରୀ ଜୀଉ ମାନଙ୍କର ଗୋଟିଏ ଦିନର ମହାପ୍ରସାଦ ସେବା ପାଇଁ ଏକ ଲକ୍ଷ ସ୍ବର୍ଣ୍ଣମୁଦ୍ରା ପ୍ରଦାନ କରିବେ ବୋଲି ସେ ଘୋଷଣାକଲେ l ଶ୍ରୀକ୍ଷେତ୍ରରେ ଏତେ ଯାତ୍ରୀ ସମାଗମ ସେ ସମୟରେ ହେଉ ନ ଥିଲା l ସେ ସମୟରେ ଏ ରାଶି ଥିଲା ଏକ ବିପୁଳ ରାଶି l ଏତେ ବିପୁଳ ପରିମାଣ ଅର୍ଥରେ ଦିନକର ଭୋଗ ପ୍ରସ୍ତୁତି ହୋଇ ବିତରଣ ହେବା ବହୁତ କଷ୍ଟ ସାଧ୍ୟ ଥିଲା l ତେଣୁ ସେବକମାନେ ଅମଙ୍ଗ ହୋଇ ଏହା ହୋଇ ପାରିବ ନାହିଁ ବୋଲି କହିଦେଲେ l ଜଗତ ସେଠ କହିଲେ,ତୁମ ଠାକୁର ପା ଷାଠିଏ ପଉଟି, ଛପନଭୋଗ ଖାଆନ୍ତି l ଏହା ହୋଇପାରିବ ନାହିଁ ବୋଲି କହୁଛ କିପରି? ମହାପ୍ରଭୁ ଓ ତାଙ୍କ ଭୋଗ ଉପରେ ଏ କଟାକ୍ଷକୁ ସେବକ ମାନେ ଆଉ ସହି ପାରିଲେ ନାହିଁ ଓ ଏ ରାଶିର ଭୋଗ ପ୍ରସ୍ତୁତ କରି ଦେବେ ବୋଲି ପ୍ରତିଶ୍ରୁତି ଦେଲେ l ଏହି ଅସମ୍ଭବ କାମ ନିମନ୍ତେ ସେମାନେ ମହାପ୍ରଭୁଙ୍କ ଶରଣାପନ୍ନ ହେଲେ l ମଧ୍ୟ ରାତ୍ରୀ ବେଳକୁ ସ୍ୱପ୍ନାଦେଶ ଦେଇ ମହାପ୍ରଭୁ ବଡ଼ପଣ୍ଡାଙ୍କୁ ଜଣାଇଦେଲେ ସେ ଜଗତ ସେଠକୁ କୁହ,ଏତେ ବିପୁଳ ଭୋଗ କି ଦରକାର, ମୋତେ ଖଣ୍ଡେ ଗଜମୋତି ଚୂନଦିଆ ବିଡ଼ିଆପାନ ଦେଉ l ଧନମତ୍ତ ଜଗତ ସେଠ ସାମାନ୍ୟ ବିଡ଼ିଆ ପାନ ଖଣ୍ଡେ ଭାବି ଯୋଗାଡ଼ ପାଇଁ ବିଭିନ୍ନ ଆଡ଼କୁ ଧାଇଁଲେ l କେଉଁଠୁ ହେଲେ ସେଠ ଏ ଗଜମୋତି ଚୂନ ଲଗା ପାନ ଯୋଗାଡ଼ ନ କରି ପାରି ହତାଶା ହୋଇ ଫେରୁଥାନ୍ତି l ବାଟରେ ସେ ଜଣେ ସାଧୁଙ୍କୁ ଭେଟିଲେ l ଶ୍ରୀଜଗନ୍ନାଥଙ୍କ ପାଇଁ ଗଜମୋତି ଚୂନ କଥା ସାଧୁ ମହାତ୍ମା ହୁଏତ ଜାଣି ଥିବେ ଭାବି ସେ ତାଙ୍କୁ ପଚାରିବାରୁ ସାଧୁ କହିଲେ :-
ଶୈଳେ ଶୈଳେ ନ ମାଣିକ୍ୟମ୍,
ମୋୖକ୍ତିକଂ ନ ଗଜେ ଗଜେ,
ସାଧଵୋ ନ ହି ସର୍ବତ୍ର,
ଚନ୍ଦନଂ ନ ବନେ ବନେ ll
ଅର୍ଥାତ୍ ସବୁ ପର୍ବତରେ ମାଣିକ୍ୟ ନ ଥାଏ l ସବୁ ହାତୀଙ୍କ ମସ୍ତକରେ ମୋତି ନଥାଏ l ସାଧୁ ମାନେ ସବୁ ସ୍ଥାନରେ ନ ଥାନ୍ତି,ଚନ୍ଦନ ବୃକ୍ଷ ସବୁ ବନରେ ନଥାଏ,ଏଣୁ ତୁ କେତେ ହାତୀଙ୍କୁ ମାରି ଏ ମୋତି ଖୋଜିବୁ l ତୁ ପ୍ରଭୁଙ୍କ କଥାଟା ବୁଝିପାରଲୁ ନାହିଁ l ଧନଗର୍ବରେ ମହାପ୍ରଭୁଙ୍କୁ ତୁ ଅବମାନନା କରିଛୁ l ଯାଆ ମହାପ୍ରଭୁଙ୍କୁ କ୍ଷମା ମାଗ l ଯା’ ମହାପ୍ରଭୁଙ୍କ ଶରଣ ପଶ l ଏହାପରେ ସେ ଜଗତସେଠ ଯାଇ ମହାପ୍ରଭୁଙ୍କ ଠାରେ କ୍ଷମାପ୍ରାର୍ଥୀ ହୋଇ ଆଣିଥିବା ତାଙ୍କ ସମସ୍ତ ଧନକୁ ମହାପ୍ରଭୁଙ୍କ ସେବା ନିମନ୍ତେ ସମର୍ପଣ କରିଥିଲେ ଓ ଜଣେ ବଡ଼ ଭକ୍ତ ଭାବରେ ଅବଶିଷ୍ଟ ଜୀବନ ଅତିବାହିତ କରିଥିଲେ l
ମହାପ୍ରଭୁଙ୍କ ହଡ଼ପ ସେବା ସମ୍ବନ୍ଧରେ ଅନ୍ୟ ଏକ ଜନଶ୍ରୁତି ମଧ୍ୟ ଶୁଣିବାକୁ ମିଳିଥାଏ l ଶ୍ରୀକ୍ଷେତ୍ରରେ ବାସ କରୁଥିଲେ ପ୍ରଭୁଦାସ ନାମରେ ଜଣେ ଭକ୍ତ l ପ୍ରତ୍ୟହ ଖଣ୍ଡେ ବିଡ଼ିଆପାନ ଭାଙ୍ଗି ଶ୍ରୀଜଗନ୍ନାଥଙ୍କୁ ଦାସେ ମାନସିକ ଅର୍ପଣକରୁଥିଲେ l ପ୍ରତ୍ୟହ ଏହି ପାନକୁ ମହାପ୍ରଭୁ ଗ୍ରହଣ କରୁଥିବା ସେବକମାନେ ଜାଣି ପାରିଲେ l ସେବକମାନେ ଠାକୁର ରାଜାଙ୍କୁ ଏକଥା ଅବଗତ କରାଇଲେ l ଠାକୁରରାଜା ପ୍ରଭୁ ଦାସର ଭକ୍ତିଭାବ ଦେଖି ଓ ମହାପ୍ରଭୁଙ୍କ ପାନରେ ଶ୍ରଦ୍ଧା କଥା ଅବଗତ ହୋଇ ଶ୍ରୀମନ୍ଦିରରେ ତାମ୍ବୁଳ ସେବା ପ୍ରଚଳନ କରାଇଲେ l ରାଜା ପ୍ରଭୁ ଦାସଙ୍କୁ ଏ ସେବାର ଅଧିକାର ପ୍ରଦାନକଲେ l ସେହି ପ୍ରଭୁ ଦାସଙ୍କ ବଂଶଧରମାନେ ଆଜି ଶ୍ରୀମନ୍ଦିରରେ ଏହି ହଡ଼ପ ସେବା କରୁଛନ୍ତି l ତେଣୁ କଥା ରହିଛି :-
ପ୍ରଭୁଦାସ ଭକ୍ତିମତେ,ପ୍ରଭୁଙ୍କର ଧୂପ ଯେତେ,
ଚନ୍ଦନ ବିଜେ ସହିତେ, ବଡ଼ ସିଂହାର l
ବିଡ଼ିଆ ମଣୋହି ହେଲା,ହଡ଼ପ ନାୟକ ଦେଲା,
ସେ ଦିନୁ ହଡ଼ପ ସେବା ତା ଅଧିକାର ll
ଏହା ହେଉଛି ଆମ ପାନ ରସିକ ଶ୍ରୀଜଗନ୍ନାଥଙ୍କ କଥା l ମହାପ୍ରଭୁଙ୍କୁ ପ୍ରତି ନୈବେଦ୍ୟ ସହ ବିଡ଼ିଆ ଅର୍ପଣ ତାଙ୍କର ରସିକ ଶେଖର, ରସିକ ରାଜ ଓ ରସରାଜ ଇତ୍ୟାଦି ସମ୍ବୋଧନକୁ ସାର୍ଥକ କରେ l
ପାନଖିଆ ଜଗବନ୍ଧୁ କେଡ଼େ ତୋ ଚାତର l
ଗଜମୋତି ପାନେ ଶ୍ରଦ୍ଧା ବଳିଲା ତୋହର ll
ଚୁର୍ଣ୍ଣେ ପାନ ମାଗିଲ ହେ ଜଗତ ଠାକୁର l
ଚୁର୍ଣ୍ଣ କଲ ଅହଂକାର ଜଗତ ସେଠର ll
ଜୟ ଜଗନ୍ନାଥ
Sign in
Sign in
Recover your password.
A password will be e-mailed to you.
Next Post