ସିଏଜି ରିପୋର୍ଟ: ୬.୨୩ କୋଟି ବ୍ୟୟରେ କିଣାଯାଇଥିବା ୨ ହାଇସ୍ପିଡ୍‌ ବୋଟ୍‌ ଅଚଳ

ନୂଆଦିଲ୍ଲୀ : ୬.୨୩ କୋଟି ଟଙ୍କା ବ୍ୟୟ ସତ୍ତ୍ବେ ଗହିରମଥା ଅଭୟାରଣ୍ୟରେ ପ୍ରଭାବୀ ସାମୁଦ୍ରିକ ପାଟ୍ରୋଲିଂ ଉଦ୍ଦେଶ୍ୟ ହାସଲ ହୋଇ ପାରିନାହିଁ। ସୋମବାର ଦିନ ସଂସଦରେ ଉପସ୍ଥାପିତ ସିଏଜିଙ୍କ ଉପକୂଳ ଜୈବମଣ୍ଡଳ ସଂରକ୍ଷଣ ରିପୋର୍ଟରେ ଏହାର ଉଲ୍ଲେଖ କରାଯାଇଛି।

ରିପୋର୍ଟରେ କୁହାଯାଇଛି, ଓଡ଼ିଶା ଉପକୂଳରେ ଅଲିଭ ରିଡ୍‌ଲେ କଇଁଛଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରାଯାଉନାହିଁ। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବନ ଖଣ୍ଡ ଦ୍ବାରା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ପାଟ୍ରୋଲିଂ ପାଇଁ ଦୁଇଟି ହାଇସ୍ପିଡ୍‌ ବୋଟ୍‌ କିଣାଯାଇଥିଲା। ଫେବ୍ରୁଆରି ୨୦୨୦ରେ ଦୁଇ ବୋଟ୍‌ର ଇଂଜିନ ଖରାପ ହେଲା ପରେ ଏହାର ଆଉ ମରାମତି କରାଯାଇ ପାରିନି। ୨୦୧୬ରେ କେନ୍ଦ୍ରାପଡ଼ା ଜିଲ୍ଲାର ଡାଙ୍ଗମାଳରେ ସ୍ଥାପନ କରାଯାଇଥିବା ଗବେଷଣା ପ୍ରୟୋଗଶାଳା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନି। ଗୋପାଳପୁରରେ ସ୍ବାସ୍ଥ୍ୟପ୍ରଦ ଶୁଖୁଆ ପ୍ରସ୍ତୁତ ପାଇଁ ‘ସୋଲାର ଡ୍ରାଏରସ୍’ ପ୍ରକଳ୍ପ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ରିପୋର୍ଟରେ ଓଡ଼ିଶା ସମେତ ୩ଟି ଉପକୂଳ ରାଜ୍ୟରେ ରାଜ୍ୟ ଉପକୂଳ ଅଞ୍ଚଳ ପରିଚାଳନା ପ୍ରାଧିକରଣର ପୁନର୍ଗଠନ କରାଯାଇନାହିଁ। ଓଡ଼ିଶା ସମେତ ୫ ଉପକୂଳ ରାଜ୍ୟରେ ଉପକୂଳ ଜୋନ୍‌ ପରିଚାଳନା ପ୍ରାଧିକରଣରେ ପର୍ଯ୍ୟାପ୍ତ ମାନବ ସମ୍ବଳ ନଥିବା ରିପୋର୍ଟରେ ସୂଚନା ଦିଆଯାଇଛି।

ଓଡ଼ିଶାରେ କେବଳ ଜଣେ କନିଷ୍ଠ ବୈଜ୍ଞାନିକ ଓ ବୈଷୟିକ ସହାୟକଙ୍କ ବଳରେ ଜୋନ୍‌ ପରିଚାଳନା ପ୍ରାଧିକରଣ କାର୍ଯ୍ୟ କରୁଛି। ଓଡ଼ିଶା ସମେତ ୫ଟି ଉପକୂଳ ରାଜ୍ୟରେ ଉପକୂଳ ଜୋନ ପରିଚାଳନା ପ୍ରାଧିକରଣ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ଦ୍ବାରା କାର୍ଯ୍ୟ ସମ୍ପାଦନ କରୁଛି। ଉପକୂଳ ରେଗୁଲେସନ ଜୋନ-୧ରେ ଥିବା ବାଲୁଖଣ୍ଡ – କୋଣାର୍କ ବନ୍ୟଜନ୍ତୁ ଅଭୟାରଣ୍ୟ ଭିତରେ ନିର୍ମାଣ କାର୍ଯ୍ୟ ଚାଲିଛି। ଯାହା କୂଳରେ କି ଅଲିଭ୍‌ ରିଡଲେ କଇଁଛଙ୍କ ଅଣ୍ଡାଦାନ ସ୍ଥଳ ରହିଛି। ରିପୋର୍ଟରେ କୁହାଯାଇଛି, ଓଡ଼ିଶାରେ ସମନ୍ବିତ ଉପକୂଳ ଅଞ୍ଚଳ ପରିଚାଳନା ଯୋଜନା (ଆଇସିଜେଡ୍‌ଏମ୍‌) ପ୍ରସ୍ତୁତ କରିବାରେ ବିଳମ୍ବ ହୋଇଥିବା ବେଳେ ଏହାକୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଆଜି ସୁଦ୍ଧା ସ୍ବୀକୃତି ଦିଆଯାଇ ନାହିଁ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଚିଲିକା ବିକାଶ ପ୍ରାଧିକରଣର ‘କାପାସିଟି ବିଲ୍‌ଡିଂ’ ପଦକ୍ଷେପ ପର୍ଯ୍ୟାପ୍ତ ନଥିବା ଉଲ୍ଲେଖ କରାଯାଇଛି। ୨.୬୯ କୋଟି ଟଙ୍କା ବ୍ୟୟ ସତ୍ତ୍ବେ ଚିଲିକା ହ୍ରଦର ତଦାରଖ କାର୍ଯ୍ୟ ଚିଲିକା ବିକାଶ ପ୍ରାଧିକରଣ ଦ୍ବାରା କରାଯାଇ ପାରିନାହିଁ।

Leave A Reply

Your email address will not be published.