mobile header

ସୂଚନା ଅଧିକାର ପରିସରରେ ଘରୋଇ ସ୍କୁଲ!

ଘରୋଇ ସ୍କୁଲର ଫି-ଷ୍ଟ୍ରକଚର କଣ ରହିଛି? କେତେ ଶିକ୍ଷକ ଅଛନ୍ତି ଏବଂ କେତେ ଦରମା ନେଉଛନ୍ତି? ଆଡମିସନ, ରି-ଆଡମିସନ ଫି କେତେ ନେଉଛି ସ୍କୁଲ? ସ୍କୁଲର ପାଣ୍ଠି କେତେ, କେଉଁଠି କେଉଁଠି ଖର୍ଚ୍ଚ ହେଉଛି? ସୂଚନା ଅଧିକାର ଆଇନ ଅନୁଯାୟୀ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ହେବ, ଯଦି ସରକାରୀ ସୁବିଧା ନେଇଥିବେ ।

ଅଭିଭାବକ ସଂଘର ଆବେଦନର ଶୁଣାଣି କରି ସୂଚନା ଅଧିକାର ଆୟୋଗ, ସୁପ୍ରିମକୋର୍ଟଙ୍କ ରାୟକୁ ଦୋହରାଇଥିଲେ । ସୁପ୍ରିମକୋର୍ଟ କହିଛନ୍ତି, ଯଦି କୌଣସି ଘରୋଇ ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ପତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ଆର୍ଥିକ ସହାୟତା ପାଇଛନ୍ତି, ତେବେ ସୂଚନା ଅଧିକାର ଆଇନର ପରିସରଭୁକ୍ତ ହେବେ । କରମୁକ୍ତ କିମ୍ବା ରିହାତି ଦରରେ ସରକାରୀ ଜମି ପାଇଥିବା ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ଆର୍ଥିକ ସହାୟତା ପାଇଛନ୍ତି ବୋଲି ଧରାଯିବ ।

ତେଣୁ ସହାୟତା ପାଇଥିବା ଘରୋଇ ବିଦ୍ୟାଳୟ ତଥ୍ୟ ଦେବା ବାଧ୍ୟତାମୂଳକ ବୋଲି ସୂଚନା ଆୟୋଗ ସ୍ପଷ୍ଟ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ସର୍ବାଧିକ ସହାୟତା ପାଇନଥିବା ଯୁକ୍ତିକୁ କୌଣସି ମାପଦଣ୍ଡ ଭାବରେ ନିଆଯାଇପାରିବ ନାହିଁ । ଏହାକୁ ଆଧାର କରି ଭୁବନେଶ୍ୱର ସ୍ଥିତ ୮ ନମ୍ବର ଡିଏଭି ସ୍କୁଲକୁ ଆବେଦନର ୩୦ ଦିନ ମଧ୍ୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସୂଚନା ଅଧିକାର ଆୟୋଗ । ଏହାକୁ ସ୍ୱାଗତ କରିଛନ୍ତି ଅଭିଭାବକ ସଂଘ ଓପିଏଏଫ୍ ।

ସୂଚନାଯୋଗ୍ୟ ଯେ, ଆବେଦନକାରୀ ଗଗନ ବିହାରୀ ରାଉତ, ୟୁନିଟ ୮ ଡିଏଭି ସ୍କୁଲର କିଛି ତଥ୍ୟ ସୂଚନା ଅଧିକାର ଆଇନ ମାଧ୍ୟମରେ ଭୁବନେଶ୍ୱର ଜିଳ୍ଲା ଶିକ୍ଷା ଅଧିକାରୀଙ୍କୁ ମାଗିଥିଲେ । ସ୍କୁଲ ସୂଚନା ଅଧିକାର ଆଇନର ଏହା ପରିସରଭୁକ୍ତ ନୁହେଁ କହି ତଥ୍ୟ ଦେଇନଥିବାରୁ ସେ ସୂଚନା ଅଧକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave A Reply

Your email address will not be published.