mobile header

ପଞ୍ଜାବ: କବାଡୀ ଖେଳାଳି ସନ୍ଦୀପ ସିଂହ ହତ୍ୟା ମାମଲାରେ ୪ ଗିରଫ, ଜଣାପଡିଲା ହତ୍ୟାର କାରଣ

ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ସିଂହ ହତ୍ୟା ମମଲାରେ ପଞ୍ଜାବ ପୋଲିସକୁ ବଡ଼ ସଫଳତା ମିଳିଛି। ମାମଲାର ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ହତ୍ୟାପଛରେ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ଉପରୁ ପର୍ଦ୍ଦା ହଟିଛି। ଅଭିଯୁକ୍ତଙ୍କ ଗିରଫ ସମ୍ପର୍କରେ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ କାନାଡାରେ ରହୁଥିବା ସ୍ନୋଭର ଧିଲନଙ୍କ ସମେତ ଅନ୍ୟ ୩ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଥିବା ଡିଜି କହିଛନ୍ତି।

ପୋଲିସ ପଚରା ଉଚରାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହତ୍ୟାର ରହସ୍ୟ ଉଦଘାଟନ କରିଛନ୍ତି। ତାଙ୍କ ଅନୁସାରେ କାନାଡାରେ ରହୁଥିବା ସ୍ନୋଭର ଧିଲନ ନ୍ୟାସନାଲ କାବାଡି ଫେଡେରେସନ ଅଫ ଅଣ୍ଟାରିଓ ନାମରେ ଏକ କ୍ରିଡା ସଂଘ ଗଠନ କରିଛନ୍ତି। ଏଥିରେ ସେ ଖେଳାଳିମାନଙ୍କୁ ସାମିଲ ହେବା ଲାଗି ମନଉଛନ୍ତି। ତେବେ ଅଧିକାଂଶ କ୍ଷାତନାମା ଖେଳାଳି ସନ୍ଦୀପ ସିଂହଙ୍କ ପରିଚାଳିତ ମେଜର ଲିଗ୍ କବାଡିରେ ଖେଳୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସନ୍ଦୀପ ସିଂହନଙ୍ଗଲ ଆମ୍ବିଆଙ୍କୁ ଜଲନ୍ଧରରେ ଅନୁଷ୍ଠିତ ଏକ କବାଡି ଟୁର୍ଣ୍ଣାମେଣ୍ଟ କାଳରେ ଅଜ୍ଞାତ ଆତତାୟୀମାନେ ଗୁଳି କରି ହତ୍ୟା କରିଥିଲେ। ଏଥିରେ ତାଙ୍କ ଉପରକୁ ଆକ୍ରମଣକାରୀ ପ୍ରାୟ ୨୦ ରାଉଣ୍ଡ ଗୁଳିଚଳାଇଥିବା ବେଳେ ତାଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜିବା ଯୋଗୁ ଘଟଣାସ୍ଥଳରେ ସନ୍ଦୀପଙ୍କ ମୃତ୍ୟୁ ହୋଇଥିଲା। ସନ୍ଦୀପ ଦୀର୍ଘ ଏକ ଦଶକରୁ ଊର୍ଦ୍ଧ୍ୱକାଳ ଧରି କବାଡି କୋର୍ଟରେ ଆଧିପତ୍ୟ ବିସ୍ତାର କରି ରଖିଥିଲେ। ଏହି ସମୟରେ ସେ ଆମେରିକା, କାନାଡା ଓ ବ୍ରିଟେନରେ ମଧ୍ୟ ତାଙ୍କର କ୍ରିଡା ନୈପୂଣ୍ୟତା ପ୍ରଦର୍ଶନ କରିଥିଲେ।

ହତ୍ୟାକାଣ୍ଡସ୍ଥଳରେ ଉପସ୍ଥିତ ଲୋକଙ୍କ ଅନୁସାରେ ଏହି ଆକ୍ରମଣରେ ଅନୁନ୍ୟ ୧୨ ଜଣ ସାମିଲ ଥିଲେ। ତେବେ ପୋଲିସ କେବଳ ୪ ଜଣଙ୍କୁ ଗିରଫ କରିଛି। ସନ୍ଦୀପ ସିଂହଙ୍କ ହତ୍ୟାକାଣ୍ଡର ଏକ ପ୍ରତ୍ୟକ୍ଷଦର୍ଶୀ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆତତାୟୀ ତାଙ୍କ ଉପରକୁ ଦୂରରୁ ଗୁଳି ଚଳାଉଥିବାର ଦେଖାଯାଉଥିବା ବେଳେ ଲୋକେ ଖେଳ ଛାଡି ଯିଏ ଜୁଆଡେ ପଳାୟନ କରୁଥିବାର ଦେଖାଯାଉଛି।

Leave A Reply

Your email address will not be published.