mobile header

ମିଥ୍ଯା ମିଲିସିଆ ପରିଚୟ, ନିର୍ବାଚିତ ସରପଞ୍ଚ ସହ ୪ ଗିରଫ

ପିଏଲଏଫଆଇର ମିଲିସିଆ ପରିଚୟ ଦେଇ ବନ୍ଧୁକ ମୁନରେ ଭୟଭୀତ କରାଇବା ସହ ବିଚାରଧିନ ଜଣେ ଅଭିଯୁକ୍ତଙ୍କୁ ଜେଲରୁ ବାହାର କରିବା ପାଇଁ ଲକ୍ଷେ ଟଙ୍କା ଦାବି କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ତାଙ୍କ ନିକଟରୁ ଗୋଟିଏ ପିସ୍ତଲ, ୨ଟି ମ୍ୟାଗାଜିନ ଏବଂ ୯ ଏମଏମଏ ୯ଟି ଜୀବନ୍ତ ଗୁଳି ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ଭିତରେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଝରାକଣ୍ଢଳ ପଂଚାୟତର ନବନିର୍ବାଚିତ ସରପଂଚ ଲକ୍ଷ୍ମଣ କିସାନ ରହିଛନ୍ତି । ଏହାସହ ବଣେଇ ଥାନା ଅଂଚଳର ରାକେଶ ସାହୁ, ଅନିଲ ପାତ୍ର ଏବଂ ବାରକୋଟ ଥାନାର ଲକ୍ଷ୍ମଣ ମହନ୍ତ ପ୍ରମୁଖ ସାମିଲ ଅଛନ୍ତି । ଦେବଗଡ ଜିଲ୍ଲା ବାରକୋଟ ଥାନା ଖୁଂଟବାହାଲ ଗ୍ରାମର ଜଣେ ବ୍ୟକ୍ତି ଫରେଷ୍ଟ କେସରେ ବିଚାରଧିନ ଭାବେ ଜେଲରେ ଅଛି ।

ତାଙ୍କୁ ଜେଲରୁ ବାହାର କରିବା ପାଇଁ ତାଙ୍କ ସ୍ତ୍ରୀଙ୍କୁ ଗିରଫ ଅଭିଯୁକ୍ତ ମାନେ ପିଏଲଏଫଆଇର ମିଲିସିଆ ପରିଚୟ ଦେଇ ୧ ଲକ୍ଷ ଟଙ୍କା ଦାବି କରିଥିଲେ । ଏଥିରେ ରାଜି ହୋଇ ପ୍ରଥମେ ୧୦ ହଜାର ଟଙ୍କ ଦେଇଥିଲେ । ମାତ୍ର ବାକି ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ବନ୍ଧୁକ ମୁନରେ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ବାରକୋଟ ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରିବା ସହ ଏହି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ପିଏଲଏଫଆଇ ସଙ୍ଗଠନ ସହ ଗିରଫ ଅଭିଯୁକ୍ତଙ୍କ କଣ ସମ୍ପର୍କ ରହିଛି ସେନେଇ ଅଧିକ ତଦନ୍ତ କରିବା ସହ ପୋଲିସ ଘଟଣାର ଅଧିକ ଛାନଭିନ କରୁଥିବା ଦେବଗଡ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.