mobile header

୪ ରାଜ୍ୟରେ ଚାଲିଥିଲା ଠକେଇ, ଜାଲ ନୋଟ କାରବାରର ପର୍ଦାଫାସ

ମାଲକାନଗିରି: ମାଲକାନଗିରି ସମେତ ଆନ୍ଧ୍ର, ଛତିଶଗଡ ଏବଂ ତେଲେଙ୍କାନାରେ ଅନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗକୁ ଧରିବାରେ ମାଲକାନଗିରି ଏସଡିପିଓ ସୁଭେନ୍ଦୁ ପାତ୍ର ସଫଳତା ପାଇଛନ୍ତି। ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗ ଜାଲ ନୋଟ ଦେଇ ଭଲ ନୋଟ ନେଇ ଫେରାର ହୋଇଯାଉଛନ୍ତି। ଏସଡିପିଓ ସୁଭେନ୍ଦୁ ପାତ୍ରଙ୍କ ନେତୃତ୍ବରେ ଆଇଆଇସି ରିଗାନ କିଣ୍ଡୋ, ଏସଆଇ ପ୍ରଭାତ ଗୌଡ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଗଲା। ଦିନରାତି ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ ଲାଗି ପଡିଲା। ଶେଷରେ ଏହି ଗ୍ୟାଙ୍ଗ ପଶ୍ଚିମ ବଙ୍ଗରୁ ମାଲକାନଗିରି ଆସୁଥିବା ଜାଣିପାରିଥିଲା। ଏହି ଠକ ଗ୍ୟାଙ୍ଗ ଜୟପୁରରୁ ମାଲକାନଗିରି ଆସିବା ପରେ ପୁଲିସ ଘେରାଉ କରି ଏମାନଙ୍କୁ କାବୁ କରିଥିଲା। ପଶ୍ଚିମବଙ୍ଗରୁ ଦୁଇ ଜଣ ଏବଂ ମାଲକାନଗିରିର ତିନି ଜଣ ଦଲାଲଙ୍କୁ ପୁଲିସ ଗିରଫ କରିଥିଲା। ଏମାନେ ହେଲେ କାଲିମେଳା ଥାନା ଅନ୍ତର୍ଗତ ଏମଭି-୫୫ ଗ୍ରାମର ଶକ୍ତି ପଦ ବାଚାର (୧୯), ମାଲକାନଗିରି ଥାନା ଅନ୍ତର୍ଗତ ଏମଭି- ୨୪ ଗ୍ରାମର ଅଶିମ ବିଶ୍ବାସ (୩୫) ଓ ନିରଞ୍ଜନ ରାୟ (୩୪), ପଶ୍ଚିମବଙ୍ଗ ମଧ୍ୟଗ୍ରାମ ଥାନା ଅନ୍ତର୍ଗତ କୋରା ଗ୍ରାମର ବିଷ୍ଣୁ ବିଶ୍ବାସ (୪୨) ଏବଂ ଶ୍ରୀନଗର ଶିତଲ ମନ୍ଦିର ନିକଟର ଶ୍ୟାମଲ ସାହା (୫୯)। ପୁଲିସ ଏମାନଙ୍କୁ ଧରି ପଚରାଉଚରା କରିବା ପରେ ସବୁ ତଥ୍ୟ ପାଇଛି। ଏମାନେ ମାଲକାନଗିରି ସମେତ ବିଭିନ୍ନ ଜାଗରେ ନିରୀହ ଲୋକଙ୍କୁ ଟାର୍ଗେଟ କରିଥାନ୍ତି। ଲୋକଙ୍କୁ ଭଲ ନୋଟ ଯଦି ୩୦ ହଜାର ଟଙ୍କା ଦେବେ ତେବେ ତାଙ୍କୁ ଜାଲ ନୋଟ ଏକ ଲକ୍ଷ ଟଂକାର ଦିଆଯିବ। ଏଭଳି ବହୁ ଲୋକଙ୍କ ଠାରୁ ଏମାନେ ଟଙ୍କା ନେଇ ସାରିଛନ୍ତି। କିନ୍ତୁ ଜାଲ ନୋଟ ଦେଇ ପାରିନାହାଁନ୍ତି। ଭଲ ନୋଟ ପାଇବା ପରେ ଏମାନେ ଫେରାର ହୋଇଯାଆନ୍ତି।
ତେବେ ଯେଉଁ ଲୋକ ନୋଟ ନେବ ତାକୁ ଏକ ପରୀକ୍ଷା ମୂଳକ ଭାବେ କିଛି ନୋଟକୁ ତିଆରି କରିବାର ଏକ ପ୍ରଣାଳୀ ଦେଖାଇଥାନ୍ତି। କିଛି ପେପର, କେମିକାଲ ନେଇ ଟଙ୍କା ତିଆରି କରୁଥିବାରୁ ନମୂନା ଦେଖାଇଥାନ୍ତି। ଗୋଟିଏ ଭଲ ନୋଟକୁ ହିଁ ଏହା ଜାଲି ନୋଟ କହି ଲୋକଙ୍କୁ ଭୁଆଁ ବୁଲାଇଥାନ୍ତି। ଲୋକେ ଏଥିରେ ଫସିଲେ ସେମାନଙ୍କ ଠାରୁ ଭଲ ନୋଟ ନେଇ ଛୁ ମାରିଦିଅନ୍ତି। ପୁଲିସ ଏମାନଙ୍କୁ ଗିରଫକରିବା ପରେ ଏମାନଙ୍କ ଠାରୁ ୧୭୦୦ ଟଙ୍କା, ଦୁଇଟି ମୋବାଇଲ, ୬ଟି ବ୍ୟାଣ୍ଡେଜ ଗଜ୍‌, ଗୋଟିଏ କଟନ ଉଲ ପକେଟ, କଟର, ଗ୍ଲିସେରିନ ବୋଟଲ, କଇଁଚି ଏଭଳି ବହୁ ଜିନିଷ ଉଦ୍ଧାର କରିଛି। ପୁଲିସ ଏମାନଙ୍କୁ ଧରିବା ପରେ କିପରି ଲୋକଙ୍କୁ ଠକୁଛନ୍ତି ସନେଇ ଏକ ନମୂନା ଦେଖାଇବାକୁ କହିଥିଲା। ପଶ୍ଚିମବଙ୍ଗରୁ ଆସିଥିବା ମୁଖ୍ୟ ଅଭିଯୁକ୍ତମାନେ ପୁଲିସକୁ ଏହାର ନମୂନା ଦେଖାଇଥିଲେ।ତେବେ ଜିଲ୍ଲାରେ ଏଭଳି ବହୁ ଦଲାଲ ମାନେ ଲୋକଙ୍କୁ ଠକୁଥିବା ପୁଲିସ ନଜରକୁ ଆସିଛି। ଯେଉଁ ଲୋକ ମାନେ ଠକାମିର ଶିକାର ହୋଇଛନ୍ତି ସେମାନେ ପୁଲିସ ନିକଟକୁ ଆଉ ଆସି ପାରୁନାହାନ୍ତି। ତେବେ ପୁଲିସର ତଦନ୍ତ ପରେ କେତେ ଲୋକ ଏହି ଗ୍ୟାଙ୍ଗ ସହ ସମ୍ପର୍କ ରଖିଛନ୍ତି ଏବଂ କେତେ ଟଂକାର ଠକେଇ ହୋଇଛି ତାହା ତଦନ୍ତ ଚାଲିଥିବା ପୁଲିସ କହିଛି।

Leave A Reply

Your email address will not be published.