
ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଂଚାୟତରେ ହୋଇଥିବା ପ୍ରାକ ନିର୍ବାଚନୀ ହିଂସାରେ ପୂର୍ବତନ ସରପଞ୍ଚ ତଥା ନବ ନିର୍ବାଚିତ ସରପଞ୍ଚ ସାଗରିକା ଚୌଧୁରୀଙ୍କ ସ୍ବାମୀ ଆଶିଷ ରଂଜନ ଚୌଧୁରୀଙ୍କ ମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ବିଜୟୀ ସରପଞ୍ଚ ସ୍ୱାମୀ ଆଶିଷ ଓରଫ ବାପିଙ୍କ ନାମରେ ମାଡପିଟ ଓ ଗଣ୍ଡଗୋଳ କରିଥିବା ନେଇ ଅନେକ ଅଭିଯୋଗ ଥାନାରେ ରହିଛି। ହୋଲି ଖେଳ ଦିନ ସେହି ପଂଚାୟତର ବିଦ୍ୟାଧରପୁର ଗ୍ରାମର ସୁଦର୍ଶନ ସାମଲଙ୍କ ପୁଅ ଚିନ୍ମୟ ସାମଲ ତାଙ୍କ ଜଣେ ସମ୍ପର୍କିୟ ସହିତ ବଡଚଣାରୁ ଔଷଧ ନେଇ ଯାଉଥିବା ସମୟରେ ବାପି ଏକ ରଡ ଧରି ଚିନ୍ମୟଙ୍କ ମୁଣ୍ଡକୁ ଆଘାତ ଦେଇଥିଲା। ଏଥିରେ ଚିନ୍ମୟଙ୍କ ମୁଣ୍ଡ ଫାଟିଯାଇ ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ତାଙ୍କୁ କିଛି ଲୋକ ପ୍ରଥମେ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଣି ଚିକିତ୍ସା ପରେ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରି ବଡଚଣା ଥାନାରେ ଅଭିଯୋଗ କରାଯାଇଥିଲା। ବଡଚଣା ଥାନା ଅଧିକାରୀ ଶୁଶିଲ କୁମାର ନାୟକ ଘଟଣାର ତଦନ୍ତ କରି ଅଭିଯୋଗ ଆଧାରରେ ଆଶିଷ, ତାଙ୍କ ଭାଇ ଦିପୁ ଓ ତାଙ୍କ ବାପା ପ୍ରଫୁଲ୍ଲଙ୍କ ନାମରେ ସଂଗିନ ଦଫା ଲଗାଇ କେସ ରୁଜୁ କରିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ତାଙ୍କ ନିଜସ୍ବ ଗ୍ରାମ ବିଦ୍ୟାଧରପୁର ବାସଭବନରେ ପୋଲିସ ଚଢାଉ କରିଥିଲେବି ଖାଲି ହାତରେ ଫେରିଥିଲେ। ପୋଲିସର ଅପାରଗତା ଓ ଏତେ ଦିନ ଧରି ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେବାରୁ ଏହାର ପ୍ରତିବାଦରେ ବଡଚଣା ବିଜେପି ପକ୍ଷରୁ ବୁଧବାର ଦିନ ଅମର ନାୟକଙ୍କ ନେତୃତ୍ବରେ ଶତାଧିକ ଲୋକ ଏକ ଶୋଭାଯାତ୍ରାରରେ ଆସି ଥାନା ସମ୍ମୁଖରେ ବିକ୍ଷୋଭ ଓପ୍ରତିବାଦ ସଭା କରିଥିଲେ।ଏହି ଅଭିଯୁକ୍ତଙ୍କ ବିରୋଧରେ ଯଦି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ଆଗାମୀ ଦିନରେ ବିଜେପି କର୍ମୀ ରାଜ ରାସ୍ତାକୁ ଓହ୍ଲାଇବାକୁ ପଛାଇବୁ ନାହିଁ ବୋଲି ମଣ୍ଡଳ ସଭାପତି ବିକାଶ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ। ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଏଠାରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ଅଧିକାରୀ ମାନେ ଉପସ୍ଥିତ ଥିଲେ।