mobile header

ଆସନ୍ତା ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ବର: ଫେବ୍ରୁଆରୀ ୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ୬ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ତାଙ୍କୁ ସ୍ୱାଗତ କରାଯିବ। ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ୬ ତାରିଖ ସନ୍ଧ୍ୟାରେ ରାହୁଲ ଗାନ୍ଧି ବୀରମିତ୍ରପୁରରେ ପହଞ୍ଚିବେ। ସେହିଠାରେ ତାଙ୍କୁ ସ୍ୱାଗତ କରାଯିବ। ୩ଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କର ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି। ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ୭ ଓ ୮ରେ କାର୍ଯ୍ୟକ୍ରମ ରହିଛି। ରାଉରକେଲାରେ ରାହୁଲ ଗାନ୍ଧି ରୋଡ ଶୋ’ କରିବେ।

ଏବେ କିଛି ଦିନ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମ ଓଡ଼ିଶାରେ ଚାଲିବ। ପରେ ଏଆଇସିସିର ନେତାମାନେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ରେ ଓଡ଼ିଶାର ୪ଟି ଜିଲ୍ଲାରେ ପଦଯାତ୍ରା କରିବେ। କିଛି ଦିନ ତଳେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ନିଜର ଏକ୍ସ ହ୍ୟାଣ୍ଡେଲରେ ଏ ସମ୍ପର୍କରେ ସୂଚନା ଦେଇଥିଲେ।

ସେ କହିଥିଲେ- ରାହୁଲ ଗାନ୍ଧି ଝାଡ଼ଖଣ୍ଡର ଜାମସେଦପୁର ବାଟ ଦେଇ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ପ୍ରବେଶ କରିବେ । ସେ ଓଡ଼ିଶାର ୩୪୧ କିମି ରାସ୍ତାକୁ ଅତିକ୍ରମ କରିବେ । ସେ ବେଦବ୍ୟାସଠାରେ ରାତ୍ରି ଯାପନ କରିବେ। ୭ ତାରିଖ ସକାଳେ ରାଉରକେଲା,ପରେ ରାଜଗାଙ୍ଗପୁର, ଉତ୍ତରା ଓ ସୁନ୍ଦରଗଡ଼ରେ ସାଧାରଣ ସଭା କରିବେ । ପରେ ଝାରସୁଗୁଡାରେ ରାତ୍ରି ଯାପନ କରିବେ। ୮ ତାରିଖରେ ବ୍ରଜରାଜ ନଗର, ବେଲପାହାଡ଼ ଓ ଶେଷରେ କନକତରାରୁ ଛତିଶଗଡ଼ ଯିବେ ରାହୁଲ।

ରାହୁଲଗାନ୍ଧୀଙ୍କ ଅଫିସରୁ ଏଥିପାଇଁ ୨ଟି ଟିମ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଗୋଟିଏ ଟିମ ସୁନ୍ଦରଗଡ଼ ଓ ଅନ୍ୟ ଟିମ ଭୁବନେଶ୍ୱରରେ କାର୍ଯ୍ୟ କରୁଛି । ଏହାସହ ଓଡ଼ିଶାରେ ଯାତ୍ରା ପରିଚାଳନା ଲାଗି ଗଠିତ କମିଟିର  ଅଧ୍ୟକ୍ଷ  ସନ୍ତୋଷ ସିଂ ସାଲୁଜା, ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ ଓ ଆବାହାକ ମାନସ ଚୌଧୁରୀଙ୍କୁ ସଂଯୋଜନା ଦାୟିତ୍ୱ ଦିଆଯାଇଛି । ସବୁ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ସମସ୍ତ କଂଗ୍ରେସ ବିଧାୟକ ପ୍ରାର୍ଥୀ ଏଥିରେ ସହଯୋଗ କରିବେ।

Leave A Reply

Your email address will not be published.