mobile header

ଟ୍ରାନ୍ସଫର ହେଲେ, ସସପେଣ୍ଡ କେବେ?

ସାମ୍ବାଦିକଙ୍କୁ ଧକ୍କା ମାରିବା ଓ ଗୋଡରେ ବେଡି ପକାଇବା ଘଟଣାରେ ବିବାଦୀୟ ହୋଇଥିବା ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କୁ ବଦଳି କରାଯାଇଛି । ଦ୍ରୌପଦୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ସେହିଭଳି ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି । ତଦନ୍ତ ଶେଷ ନ ହେବା ଯାଏଁ ଉଭୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଆଇଆଇସିଙ୍କୁ ଟ୍ରାନ୍ସଫର କରାଗଲା କିନ୍ତୁ ସସପେଣ୍ଡ କାହିଁକି କରାଗଲା ନାହିଁ? ଏହି ଘଟଣାରେ ପୂର୍ବରୁ କଷ୍ଟଡି ଦାୟିତ୍ୱରେ ଥିବା ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି । ତଳିଆ କର୍ମଚାରୀ ବୋଲି କଣ ହାବିଲଦାରଙ୍କୁ ସସପେଣ୍ଡ କରାଯିବ ଏବଂ ବଡ ଅଫିସର ବୋଲି ଆଇଆଇସିଙ୍କୁ ଟ୍ରାନ୍ସଫର କରାଯିବ । ପୋଲିସ ବିଭାଗରେ ଇଏ କେମିତିକା ନ୍ୟାୟ? ଯଦି ହାବିଲଦାରଙ୍କୁ ସସପେଣ୍ଡ କରାଯାଇପାରୁଛି ସେତେବେଳେ ଆଇଆଇସି ଦ୍ରୌପଦୀଙ୍କୁ କାହିଁକି ସସପେଣ୍ଡ କରାଯିବନି ବୋଲି ପ୍ରଶ୍ନ କରିଛନ୍ତି ଲୋକେ । କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଥାନାକୁ ଡାକି ଧକ୍କା ମାରିବା ଓ ହସ୍ପିଟାଲରେ ଗୋଡରେ ବେଡି ପକାଇବା କଣ ଛୋଟ ଅପରାଧ କି?

ଏସବୁ ଭିତରେ ସାମ୍ବାଦିକଙ୍କ ଗୋଡରେ ପୁଲିସ ବେଡି ପକାଇବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ପୂର୍ବାଞ୍ଚଳ ଆଇଜିଙ୍କୁ ରିପୋର୍ଟ ମାଗିଛନ୍ତି । ନିଜ ଆଡୁ ହସ୍ତକ୍ଷେପ କରି, ରାଜ୍ୟ ମାନବାଧିକାର କମିଶନ କହିଛନ୍ତି ପୂର୍ବାଞ୍ଚଳ ଆଇଜି ସଂପୂର୍ଣ୍ଣ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ରିପୋର୍ଟ ଦିଅନ୍ତୁ । ଆସନ୍ତା ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି । ଏବଂ ଏହି ଅବଧି ଭିତରେ ବାଲେଶ୍ୱର ସିଡିଏମ ଓ ବିଏଚଓ ମଧ୍ୟ ତାଙ୍କ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

ନିଳଗିରି ସାମ୍ବାଦିକ ଲୋକନାଥ ଦଳାଇଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସବୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ଖବରକୁ ଗୁରୁତର ସହ ନେଇ ତଦନ୍ତ କରି ଆସନ୍ତା ୨୬ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ପୂର୍ବାଂଚଳ ଆଇଜିଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ସାମ୍ବାଦିକଙ୍କ ଗୋଡ଼ରେ ଶିକୁଳି ପକାଇବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜିଲ୍ଲା ମାନବାଧିକାର କମିଶନ । ନୀଳଗିରିରେ ପହଂଚି ମାମଲାର ତଦନ୍ତ ଆରମ୍ଭ କରିବା ସହ ଥାନାରେ ପହଂଚି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ନେଇଛନ୍ତି । ସେ ଏଭଳି ଅମାନୁଷିକ କାର୍ଯ୍ୟକୁ ସମାଲୋଚନା କରିଛନ୍ତି ।

ଅନ୍ୟପଟେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ପୋଲିସ୍ ଦ୍ୱାରା ଅମାନୁଷିକ ଭାବରେ ଅତ୍ୟାଚାରିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଆଜି କିଛି ସମୟ ପୂର୍ବରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ଉଚ୍ଚ ରକ୍ତଚାପ ଓ ଡାଏବେଟିସରେ ଦେଖାଦେବା ଓ ଜ୍ୱର ଲାଗି ରହିବା କାରଣରୁ ତାଙ୍କୁ ଆଇସିୟୁକୁ ନିଆଯାଇଛି । ଏଥିସହ ତାଙ୍କର ଫୁସଫୁସ୍ ସଂକ୍ରମିତ ହୋଇଥିବା ଡାକ୍ତର କହିଛନ୍ତି । ତେବେ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ତିନିଦିନ ଆଇସିୟୁରେ ରଖି ଚିକିତ୍ସା କରାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି । ଇନସୁଲିନ୍ ଦେଇ ଡାଏବେଟିସକୁ ନିୟନ୍ତ୍ରଣ କରିବା ଡାକ୍ତରଙ୍କ ପ୍ରାଥମିକତା ହେବ ।

Leave A Reply

Your email address will not be published.