mobile header

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଦଳର ପ୍ରତ୍ୟେକ କର୍ମୀ ‘ଏକ ମନ ଏକ ପ୍ରାଣ’ ହୋଇ କାର୍ଯ୍ୟ କରିବା ନିମନ୍ତେ ନେବେ ପୁନଃ ସଂକଳ୍ପ

ଆସନ୍ତା ଏପ୍ରିଲ ୧୭ ତାରିଖରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଦଳର ପ୍ରତ୍ୟେକ କର୍ମୀ ବିଜୁବାବୁଙ୍କ ଅଭିଳଷିତ ଓଡ଼ିଶା ଗଠନ ନିମନ୍ତେ ‘ଏକ ମନ ଏକ ପ୍ରାଣ’ ହୋଇ କାର୍ଯ୍ୟ କରିବା ନିମନ୍ତେ ପୁନଃ ସଂକଳ୍ପ ନେବେ । ଏହି ଦିନ ବିଧିବଦ୍ଧ ସମୂହ ସଂକଳ୍ପ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ । ଏଥିପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଦଳୀୟ ପଦାଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି ।

ଚଳିତ ମାସ ୧୭ତାରିଖରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସକୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳନ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ମୋ ପରିବାର ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସମୂହ ରକ୍ତଦାନ ଶିବିର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆୟୋଜନ କରାଯିବା ସହ ଦଳର ପ୍ରତ୍ୟେକ ସଦସ୍ୟ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବା ନିମନ୍ତେ ପୁନଃ ସଂକଳ୍ପବଦ୍ଧ ହେବାକୁ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ଶ୍ରାଦ୍ଧ ଦିବସରେ ପ୍ରତ୍ୟେକ ନର୍ବାଚନମଣ୍ଡଳୀରେ ସକାଳ ସାଢ଼େ ୬ଟାରେ ତିଳ ତର୍ପଣ, ସକାଳ ସାଢ଼େ ୭ଟାରେ ପ୍ରଭାତଫେରୀ, ସମୂହ ସଫେଇ ଅଭିଯାନ, ସକାଳ ସାଢ଼େ ୮ଟାରେ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ସ୍ମୃତି ସଭା, ଅପରାହ୍ନ ୫ଟାରେ ଦୀପଦାନ ଓ ସମୂହ ସଂଳଳ୍ପ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କୁହାଯାଇଛି । ବିଜୁବାବୁ ଜୀବନତମାମ ଜନସେବାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଥିବାରୁ ଏହି ସେବା ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବା ସହ ପ୍ରତ୍ୟେକ ଓଡ଼ିଶାବାସୀଙ୍କ କଲ୍ୟାଣରେ ନିଜକୁ ପୁନଃ ଉତ୍ସର୍ଗ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବାକୁ ମଧ୍ୟ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.