mobile header

ସାହିତ୍ୟିକ ରାମପ୍ରସାଦ ସିଂହଙ୍କ ୧୧୮ତମ ଜୟନ୍ତୀ ଉତ୍ସବ ପାଳିତ

ପବିତ୍ର ଶ୍ରୀରାମ ନବମୀରେ ଜନ୍ମ ଗ୍ରହଣ କରିଥିବା ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ ଓ ସାହିତ୍ୟିକ ରାମପ୍ରସାଦ ସିଂହଙ୍କ ୧୧୮ତମ ଜନ୍ମ ଜୟନ୍ତୀ ତାଙ୍କ ଜନ୍ମଭୂମି ମାହାଙ୍ଗାସ୍ଥ ସିପୁର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ପାଳିତ ହୋଇଯାଇଛି। ରାଜ୍ୟରେ ପ୍ରଥମ ଥର ଏହି ଉତ୍ସବ ମାହାଙ୍ଗା ସାହିତ୍ୟ-ସଂସ୍କୃତି ପରିଷଦର ସଭାପତି ଡଃ ଭୁବନାନନ୍ଦ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଗବେଷକ ପ୍ରାଧ୍ୟାପକ ଦେବେନ୍ଦ୍ର କୁମାର ଦାଶ ରାମପ୍ରସାଦଙ୍କ ଶେଷ ଜୀବନ ବରପାଲିରେ ଅତିବାହିତ ହୋଇ ଥିବାରୁ ଗାଁ ମାଟିରେ ସେ ଅପରିଚିତ ହୋଇ ରହିଛନ୍ତି ଓ ଏପରି ସାଧୁ ଉଦ୍ୟମ ତାଙ୍କ ପ୍ରତିଭାର ବିକାଶରେ ସହାୟକ ହେବ ବୋଲି ମତ ପୋଷଣ କରିଥିଲେ।

ଗବେଷକ ଡଃ ରତିକାନ୍ତ ବେହେରା ରାମପ୍ରସାଦଙ୍କ ଜୀବନ ଓ କୃତିର ମୂଲ୍ୟାୟନ କରି ସମାଜବାଦୀ ଚେତନା ତାଙ୍କ ରଚନାର ବୈଶିଷ୍ଟ୍ୟ ବୋଲି ଭାବଗମ୍ଭୀର ବକ୍ତବ୍ୟ ରଖିଥିଲେ। ସମ୍ମାନନୀୟ ଆଲୋଚକ ଧନେଶ୍ୱର ପ୍ରଧାନ ଓ ଡଃ ଏକାଦଶୀ ପ୍ରଧାନ ରାମପ୍ରସାଦଙ୍କ ଜୀବନୀ ଓ କୃତିତ୍ୱର ସମ୍ୟକ ମୂଲ୍ୟାଙ୍କନ କରିଥିଲେ। ଏହି ଅବସରରେ ଡଃ ଭୁବନାନନ୍ଦ ସାହୁଙ୍କ ଲିଖିତ ରାମପ୍ରସାଦଙ୍କ ସମ୍ପର୍କିତ ଜୀବନୀ ଫର୍ଦ୍ଦ ଅତିଥିମାନେ ଉନ୍ମୋଚନ କରିଥିଲେ।

‘ଔପନ୍ୟାସିକ ରାମପ୍ରସାଦ’ ଗ୍ରନ୍ଥର ରଚୟିତା ଗବେଷକ ଡଃ ବେହେରାଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପରିଷଦର ଉପସଭାପତି ବିଶ୍ୱେଶ୍ୱର ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସମ୍ପାଦକ ଭାବଗ୍ରାହୀ ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ରସରାଜ ବୀରକିଶୋର ସ୍ୱାଇଁ, କବି ଗୌତମ ଜେନା, ପ୍ରଶାନ୍ତ ପଟ୍ଟନାୟକ, କବି ଭକ୍ତ ଚରଣ ସାହୁ, ଭୂପେନ ଚାଟାର୍ଜୀ, ଅମର କୁମାର ମୁଖାର୍ଜୀ, କବି ପ୍ରଫୁଲ୍ଲ କୁମାର ସାହୁ, କବି ନିରଞ୍ଜନ ଜେନା, ଅଧ୍ୟାପକ ଅଶୋକ କୁମାର ବାରିକ, କବି ପୁରୁଷୋତ୍ତମ ପଲେଇ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହି ଉତ୍ସବରେ ସୁକାନ୍ତ କୁମାର ନନ୍ଦ ମାନପତ୍ର ପାଠ କରିଥିଲା ବେଳେ ସଂଗଠନ ସମ୍ପାଦକ ଅରୁଣ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀମତୀ ସଂଯୁକ୍ତା ବେହେରା, ମନ୍ଦାକିନୀ ସାହୁ, ସମରେନ୍ଦ୍ର ସାହୁ, ଶିବ ନାରାୟଣ ସିହ୍ନା, ସୁଧାଂଶୁ ସାହୁ ଓ ବର୍ଷ ପ୍ରିୟଦର୍ଶିନୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply

Your email address will not be published.