mobile header

ଆନ୍ଧ୍ର ଫୋକସରେ କୋଟିଆ: ଜଗନଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସାଲୁର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ

ଓଡ଼ିଶାର କୋଟିଆ ଅଞ୍ଚଳ ଏବେ ଆନ୍ଧ୍ର ଫୋକସରେ ରହିଛି। ଏହି ଅଞ୍ଚଳ କିଭଳି ଆନ୍ଧ୍ର ଅଧୀନକୁ ଆସିବ ସେଥିପାଇଁ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି। ଏହାକୁ ନଜରରେ ରଖି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନମୋହନ ରେଡ୍ଡୀ ତାଙ୍କ ସରକାରର ମନ୍ତ୍ରୀମଣ୍ଡଳ ପୁନଃଗଠନ କରିଛନ୍ତି। ନୂତନ ମନ୍ତ୍ରୀମଣ୍ଡଳରେ ୧୪ ନୂଆ ମୁହଁ ଦେଖିବାକୁ ମିଳିଛି। ଫଳରେ କ୍ୟାବିନେଟ ମନ୍ତ୍ରୀଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଏହି ମନ୍ତ୍ରୀମଣ୍ଡଳରେ ସାଲୁର ବିଧାୟକଙ୍କୁ ପ୍ରମୁଖ ସ୍ଥାନ ମିଳିଛି। ସାଲୁର ବିଧାୟକ ପି.ରାଜାନ୍ନା ଦୋରା ଉପମୁଖ୍ୟମନ୍ତ୍ରୀ ପଦ ପାଇଛନ୍ତି। ସୋମବାର ସମସ୍ତ ବିଧାୟକ ରାଜ୍ୟ ସଚିବାଳୟରେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି।

ପୂର୍ବରୁ ଆନ୍ଧ୍ରର ୨୨ ଜିଲ୍ଲା ଥିଲା। ତେବେ ତେଲେଙ୍ଗାନା ବିଚ୍ଛିନ୍ନ ହେବା ପରେ ୯ ଜିଲ୍ଲା ହରାଇଥିଲା ଆନ୍ଧ୍ର। ତେବେ ଲୋକଙ୍କୁ ତ୍ବରିତ ସେବା ଯୋଗାଣ ପାଇଁ ଅଧିକ ଜିଲ୍ଲା ଗଠନ କରିବା ଜଗନ ସରକାରଙ୍କ ଯୋଜନା ଥିଲା । ସେହି ଅନୁସାରେ ଗତ ୪ ତାରିଖରେ ୧୩ ନୁଆ ଜିଲ୍ଲା ଗଠନ କରି ଥିଲେ ଜଗନ। ଫଳରେ ଆନ୍ଧ୍ର ପ୍ରଦେଶର ଜିଲ୍ଲା ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ନୂଆ ମନ୍ତ୍ରୀମଣ୍ଡଳ ବି ଗଠିତ ହୋଇଛି। ପୂର୍ବରୁ ୧୧ଜଣ କ୍ୟାବିନେଟ ମନ୍ତ୍ରୀ ଥିଲେ। ବର୍ତ୍ତମାନ କ୍ୟାବିନେଟରେ ୧୪ ନୂଆ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ଉକ୍ତ କ୍ୟାବିନେଟରେ ୫ ନୂଆ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ ପିଡିକା ରାଜାନ୍ନା ଦୋରା, ବୁଦି ମୁତ୍ୟାଲା ନାଇଡୁ, କୋଟୁ ସତ୍ୟନାରାୟଣା, କେ. ନାରାୟଣ ସ୍ବାମୀ, ସିକ ଆମଜେଦ ବାସା ସ୍ଥାନ ପାଇଛନ୍ତି। ତେବେ ଯେଉଁ ନୂଆ ଜିଲ୍ଲା ସୃଷ୍ଟି ହୋଇଛି ସେହି ମାନଚିତ୍ରରେ କୋଟିଆ ସ୍ଥାନ ପାଇଛି। କୋଟିଆ ଅଞ୍ଚଳ ସାଲୁରକୁ ଲାଗି ରହିଥିବାରୁ ସାଲୁର ବିଧାୟକ ପି.ରାଜାନ୍ନା ଦୋରାଙ୍କୁ ପ୍ରମୁଖ ସ୍ଥାନ ଦେବା ସହ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିବା କୁହାଯାଉଛି। ତେଣୁ କୋଟିଆକୁ ନେଇ ରାଜ୍ୟ ସରକାର ଅଧିକ ସଜାଗ ହେବା ଜରୁରୀ ହୋଇପଡିଛି।

Leave A Reply

Your email address will not be published.