mobile header

ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅନୁରୋଧ

ପୁରୀରେ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜର ଲୋକାର୍ପଣ ସମାରୋହରେ ଭର୍ଚ୍ଚୁଆଲ ମାଧ୍ୟମରେ ସାମିଲ ହୋଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଏହି ଯୋଜନା ଲାଗୁ ହେବା ଦ୍ୱାରା ଓଡ଼ିଆ ଲୋକମାନେ ଲାଭ ପାଇବେ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଲ ରହିବ ବୋଲି ସେ କହିଛନ୍ତି ।
ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବା ଅବସରରେ ଶ୍ରୀ ମାଣ୍ଡଭ୍ୟ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ସୁଲଭ ଓ ସର୍ବବ୍ୟାପୀ କରିବା ପାଇଁ ମେଡ଼ିକାଲ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବା ଓ ମହାପ୍ରସାଦ ସେବନ କରିବା ଆମ ପାଇଁ ଗର୍ବର ବିଷୟ । ସେହି ପବିତ୍ର ଧାମରେ ରହି ମେଡ଼ିକାଲ ଶିକ୍ଷା ଲାଭ କରିବା ଛାତ୍ରଛାତ୍ରୀଙ୍କ ପାଇଁ ଗର୍ବର ବିଷୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ରହିଛି ସ୍ୱାସ୍ଥ୍ୟସେବା ସୁଲଭ ଏବଂ ସର୍ବବ୍ୟାପୀ ହେବା ଦରକାର। ଏଥିପାଇଁ ଜଣେ ଡ଼ାକ୍ତର ଭାବେ ଛାତ୍ରଛାତ୍ରୀଙ୍କୁ ଦୂର, ସୁଦୂର, ଗାଁ ଯେଉଁଠି ମଧ୍ୟ ଦାୟିତ୍ୱ ମିଳୁଛି, ସେମାନେ ଗରିବଙ୍କ ସେବା କରିବା ପାଇଁ ନିଜକୁ ଉତ୍ସର୍ଗ କରିବା ସହ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗଦାନ ରଖନ୍ତୁ ।
ମୋଦୀ ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ରାଜ୍ୟରେ ଅନେକ ମେଡ଼ିକାଲ କଲେଜ ଆରମ୍ଭ କରିଛନ୍ତି ଏବଂ ଆଗାମୀ ଦିନରେ ଅନେକ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଓଡ଼ିଶା ସମେତ ଦେଶର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ନେଇ ଉତ୍ତମ ଡ଼ାକ୍ତର ହୁଅନ୍ତୁ ଏବଂ ସରକାରୀ ବ୍ୟବସ୍ଥାକୁ ଉପଯୋଗ କରି ରାଜ୍ୟ ଓ ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ରଖନ୍ତୁ ।
ସୁନ୍ଦରଗଡ଼ରେ ଏନଟିପିସି ତରଫରୁ ହସ୍ପିଟାଲ ହୋଇଛି । ତାଳଚେରରେ କୋଲ ଇଣ୍ଡିଆ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ମେଡ଼ିକାଲ କଲେଜ ନିର୍ମାଣ କରିଛି । ମୋଦୀ ସରକାରଙ୍କ ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ ସୁବିଧା, ମେଡ଼ିକାଲ କଲେଜ ଓ ସିଟ୍ ସଂଖ୍ୟା ବୃଦ୍ଧି ପାଉଛି । ଏହାର ଲାଭ ଓଡ଼ିଶାକୁ ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି ।

Leave A Reply

Your email address will not be published.