ସ୍ତ୍ରୀକୁ ପିଟିଲେ ବିଦ୍ୟୁତ୍ ବିଭାଗର କର୍ମଚାରୀ; ବୁଡ଼ିଗଲା ଚେତା !

ଯୌତୁକ ପାଇଁ ପିଟିପିଟି ସ୍ତ୍ରୀକୁ ଚେତାଶୂନ୍ୟ କରିଦେଲେ ସ୍ୱାମୀ । ଜଣେ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଯୌତୁକ ପାଇଁ ମାଡ଼ମାରି ଚେତାଶୂନ୍ୟ କରିଥିବା ଅଭିଯୋଗ ହୋଇଛି । ବିବାହର ପ୍ରାୟ ୧୫ବର୍ଷ ପରେ ଅଧିକ ୨ଲକ୍ଷ ଟଙ୍କା ଯୌତୁକ ଦାବି କରି ସ୍ବାମୀ ଜଣକ ସ୍ତ୍ରୀକୁ ନିସ୍ତୁକ ପିଟିପିଟି ଚେତାଶୂନ୍ୟ କରିଥିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ ନୀଳଗିରି ଥାନା ଅଧୀନ ବାଉଁଶବଣିଆ ଗାଁର ସୁମତି ସଙ୍କୁ ଶିଳ୍ପାଞ୍ଚଳ ଥାନା ଅଧୀନ ଶ୍ରୀକୃଷ୍ଣପୁର ଗାଁର ଗୁରା ବେହେରା ବିବାହ କରିଥିଲେ । ବିବାହ ସମୟରେ କନ୍ୟା ପକ୍ଷ ତରଫରୁ ଦାବି ମୁତାବକ ଯୌତୁକ ଦିଆଯାଇଥିଲେ ହେଁ କିଛିଦିନ ହେବ ସ୍ୱାମୀ ଓ ଶାଶୁଘର ଲୋକେ ଅଧିକ ୨ଲକ୍ଷ ଟଙ୍କା ଦାବି କରିଥିଲେ । ସମ୍ପ୍ରତି ସ୍ୱାମୀ ଜଣକ ଲାଇନ ମ୍ୟାନଭାବେ ସେରଗଡ଼ ସେକ୍ସନ ଅଧୀନ ବରୁଣସିଂ ଅଞ୍ଚଳରେ କାର୍ଯ୍ୟରତ ଥିବା ଜଣାପଡ଼ିଛି । ଏହି ଯୌତୁକ କଥାକୁ କେନ୍ଦ୍ରକରି ପରିବାରରେ ବଚସା ଆରମ୍ଭ ହୋଇଥିଲା । ଉତକ୍ଷିପ୍ତ ହୋଇ ସ୍ୱାମୀ ଗୁରା ବେହେରା, ଶାଶୁ କମଳିନୀ, ଦିଅର ଆଶିଷ, ଯା’ ସୁଜାତା, ନଣନ୍ଦ ଖୁଲଣା ଦାସ, ନୟନା ବିଶୋୟୀ, ନଣଦେଇ ଉମାକାନ୍ତ ଦାସ, ସନାତନ ବିଶୋଇ ପ୍ରମୁଖ ସଂଘବଦ୍ଧ ଭାବେ ସୁମତିଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ଏପରିକି ମାରି ଦେବା ଉଦେଶ୍ୟରେ ଏକ ରୁଦ୍ଧ କୋଠରିରେ ପୁରାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଖବରପାଇ ପୀଡ଼ିତାଙ୍କ ଭାଇ ଲୋକନାଥ ସ ଓ ଅନ୍ୟ ସମ୍ପର୍କୀୟ ସେଠାରେ ପହଞ୍ଚି ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସମ୍ପ୍ରତି ମହିଳା ଜଣକ ସଙ୍କଟ୍ଟାପନ୍ନ ଅବସ୍ଥାରେ ରହିଛନ୍ତି ।

Leave A Reply

Your email address will not be published.