mobile header

ମଧ୍ୟାହ୍ନଭୋଜନ ଦୈନିକ ରିପୋର୍ଟ ନେବ ବିଭାଗ : ସବୁ ସ୍କୁଲ ଲାଗି ସମାନ ମେନ୍ୟୁ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ୪୮ଲକ୍ଷ ୭୦୦ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ଣ ଭୋଜନ ବ୍ୟବସ୍ଥା ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ତେବେ ଏଣିକି ମଧ୍ୟାହ୍ନଭୋଜନର ସବୁ ରିପୋର୍ଟ ଗଣଶିକ୍ଷା ବିଭାଗ ପାଖରେ ରହିବ । ପ୍ରତିଦିନ ହାରାହାରି ୪୭ ଲକ୍ଷ ପିଲା ମଧ୍ୟାହ୍ନଭୋଜନ ଖାଉଥିବା ବେଳେ ୧ଲକ୍ଷ ୭୦୦ପିଲା ବିଭିନ୍ନ କାରଣ ପାଇଁ ଏଥିରେ ସାମିଲ ହେଉନାହାନ୍ତି । ମାତ୍ର ସାମିଲ ହେଉନଥିବା ପିଲାଙ୍କ ସଂଖ୍ୟାକୁ କିଛି ସ୍କୁଲ୍ କର୍ତ୍ତୃପକ୍ଷ ରିପୋର୍ଟରେ ଦର୍ଶାଉଥିବା ବେଳେ ଦିନକୁ ଦିନ ଏଭଳି ଅଭିଯୋଗ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ସ୍କୁଲକୁ ନିତିଦିନିଆ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ କେତେ ପିଲା ମଧ୍ୟାହ୍ନଭୋଜନ କଲେ ଓ ଏହାର ମାନ ସମ୍ପର୍କରେ ଉଲ୍ଲେଖ କରିବାକୁ କୁହାଯାଇଛି । ମଧ୍ୟାହ୍ନଭୋଜନ ବ୍ୟବସ୍ଥାରେ ସୁଧାର ଆଣିବାକୁ ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ରାଜ୍ୟରେ ପ୍ରଥମେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୫୩ଲକ୍ଷ ୪୪ହଜାର ପିଲା ଏହି ଯୋଜନାରେ ସାମିଲ୍ ଥିବା ଦର୍ଶାଯାଉଥିଲା ।

ମାତ୍ର ଆଧାର ଲିଙ୍କ୍ ପରେ ରାଜ୍ୟରେ ୫ ଲକ୍ଷ ଭୂତ ଛାତ୍ରଛାତ୍ରୀ ଧରାପଡ଼ିଥିଲେ । ଏହାକୁ ରୋକିବା ଲାଗି ଏମ୍‌ଡିଏମ୍ ପୋର୍ଟଲରେ ଦୈନିକ ରିପୋର୍ଟ ପ୍ରଦାନ ଲାଗି ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତଥାପି ସ୍ୱଚ୍ଛତା ରହିଲା ନାହିଁ । ଏବେ ପ୍ରଥମଥର ପାଇଁ ବିଭାଗ ପକ୍ଷରୁ ଦୈନିକ ରିପୋର୍ଟ ଅପ୍‌ଲୋଡ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଯେଉଁଥିରେ ରାଜ୍ୟର ୬୬ହଜାର ୮୯ଟି ସ୍କୁଲକୁ ସାମିଲ କରାଯାଇଛି । କେତେ ଛାତ୍ରଛାତ୍ରୀ ସ୍କୁଲରେ ଉପସ୍ଥିତ ଅଛନ୍ତି ଏବଂ କେତେ ପିଲା ମଧ୍ୟାହ୍ନଭୋଜନ କଲେ ତାହାର ସମ୍ପୂର୍ଣ୍ଣ ତଥ୍ୟ ପ୍ରଧାନ ଶିକ୍ଷକ ସାଥ-ଇ ଆପ୍ ମାଧ୍ୟମରେ ଦାଖଲ କରିବା ବାଧ୍ୟତାମୂଳକ ହୋଇଛି । ଏପରିକି ଦାୟିତ୍ୱ କିଛି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଏନ୍‌ଜିଓକୁ ପ୍ରଦାନ କରାଯାଇଥିବାରୁ ରନ୍ଧାଖାଦ୍ୟର ମାନ କିପରି ରହିଛି ତାହା ମଧ୍ୟ ରିପୋର୍ଟରେ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯେଉଁ ସବୁ ସଂସ୍ଥାକୁ ରୋଷେଇ ଦାୟିତ୍ୱ ପ୍ରଦାନ କରାଯାଇଛି ସେମାନଙ୍କ ଠାରୁ ସପ୍ତାହିକ ରିପୋର୍ଟ ମଧ୍ୟ ମଗାଯିବ ।

ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ଜିଲ୍ଲାୱାରୀ ରିପୋର୍ଟ ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୫୯ଲକ୍ଷ ୭୨ହଜାର ୮୭୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ତେବେ ଏହି ରିପୋର୍ଟରେ ସରକାରୀ ସ୍କୁଲ ସମେତ କିଛି ଘରୋଇ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ପିଲାଙ୍କ ତାଲିକା ମଧ୍ୟ ରହିଛି । ଦୈନିକ ସବୁ ପିଲାମାନେ ସ୍କୁଲରେ ଉପସ୍ଥିତ ରହୁନଥିବାରୁ ମଧ୍ୟାହ୍ନଭୋଜନ ନଷ୍ଟ ହେଉଛି ନା ପିଲାଙ୍କୁ ଦର୍ଶାଇ ଅର୍ଥ ବାଟମାରଣା ହେଉଛି ତାହାର ଯାଞ୍ଚ ଲାଗି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦୈନିକ ଅପରାହ୍ଣ ୪ଟା ସୁଦ୍ଧା ସମ୍ପୂର୍ଣ୍ଣ ରିପୋର୍ଟ ପଠାଇବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ମେଲ୍ ଏବଂ ପୋର୍ଟାଲ ସାଙ୍ଗକୁ ସ୍ୱତନ୍ତ୍ର ଆପ୍ସରେ ଏହି ରିପୋର୍ଟ ପ୍ରଧାନଶିକ୍ଷକମାନେ ଦାଖଲ କରିବେ । ଏହାଛଡ଼ା ରନ୍ଧାଖାଦ୍ୟରେ କ’ଣ ପ୍ରସ୍ତୁତ ହୋଇଥିଲା; ତାହାର ତଥ୍ୟ ମଧ୍ୟ ବିଭାଗ ନେବ । ତେବେ ଅନେକ ସ୍କୁଲରେ ମଧ୍ୟାହ୍ନଭୋଜନରେ ଭିନ୍ନଭିନ୍ନ ରନ୍ଧାଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ରାଜ୍ୟରେ ସବୁ ସ୍କୁଲ ଲାଗି ମଧ୍ୟାହ୍ନଭୋଜନ ମେନ୍ୟୁ ଏକ ପ୍ରକାର ଅର୍ଥାତ ସବୁ ସ୍କୁଲରେ ସମାନ ଖାଦ୍ୟ ପ୍ରସ୍ତୁତ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.