mobile header

ଗମ୍ପାକୋଣ୍ଡାରେ ଅଜଣା ରୋଗ ଆତଙ୍କ ।

ମୁଣ୍ଡ ଗଡିଲାଣି ଦୁଇ, ଆକ୍ରାନ୍ତ ୬ ଜଣ

କାଲିମେଳା ତା ୧୪/ବ୍ଲକ ଅନ୍ତର୍ଗତ ଗମ୍ପାକୋଣ୍ଡା ଗ୍ରାମରେ ଅଜଣା ରୋଗ ବ୍ୟାପି ଦୁଇ ଜଣଙ୍କ ମୁଣ୍ଡ ଗଡିଥିବା ବେଳେ ୬ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ଗାଁ ଲୋକଙ୍କ ରକ୍ତ,କଫ ଆଦି ନମୂନା ସଂଗ୍ରହ କରିବା ସହିତ ରୋଗର ଲକ୍ଷଣ ସଂପର୍କରେ ପଚାରି ବୁଝିଥିଲେ । ଦୁଇ ମାସ ଧରି ଗାଁ ଲୋକଙ୍କୁ ଗୋଡ଼ ଫୁଲିବା,ପେଟ ଓ ଛାତି ରେ ଯନ୍ତ୍ରଣା ହେବା ସହ ଚାଲିବାରେ ଅସୁବିଧା ହେବା ଭୋଳି ଲକ୍ଷଣ ଦେଖାଦେଇଥିଲା । କିନ୍ତୁ ଗାଁ ଲୋକେ ଏସବୁକୁ ସେତେଟା ଗୁରୁତ୍ୱ ଦେଉନଥିଲେ । ୨୦ ଦିନ ବ୍ୟବଧାନରେ ଦୁଇ ଜଣଙ୍କ ମୃତୁ ଘଟିବା ପରେ ଗାଁରେ ଅଜଣା ରୋଗର ଆତଙ୍କ ଖେଳିଯାଇଥିଲା । ତାପରେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଏସଂପର୍କରେ ଅବଗତ କରିଥିଲେ  ।   ଗତ ୧୧ ତାରିଖ ଦିନ ନାନ୍ଦା ମାଡ଼ି (୨୩) ଏବଂ ତା ପୂର୍ବରୁ ସୋମା ମାଡ଼ି (୨୫) ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁର ଶିକାର ହୋଇଥିବା ଜଣାପଡିଛି । ତେବେ ମୋଟ ୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ  ମୃତ୍ୟୁବରଣ କରିଥିବାବେଳେ ବର୍ତ୍ତମାନ ୬ ଜଣ ଚିକିତ୍ସିତ ହେଉଛନ୍ତି । ସେମାନେ ହେଲେ କାନୁ ମାଡକାମି(୨୨),ସୋମା ମାଡ଼ି (୩୦),ଜଗା ସୋଡି (୨୪),ଭୀମା ମାଡ଼ି (୩୪),ୱ।ଗା ମାଡ଼ି (୩୫) ଏବଂ ନାନ୍ଦା ମାଡ଼ି (୩୫) ।  ଦୁଇ ମାସ ଧରି ଗାଁରେ ଦେଖାଦେଇଥିବା ଏହି ଲକ୍ଷଣ କେବଳ ପୁରୁଷ ମାନେ ଶିକାର ହୋଇଥିବା ଜଣାପଡିଛି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ଅବିଦ ହୁସେନ ଖାନ୍,ଏମପିଭି-୨୧ ସ୍ଵାସ୍ଥ୍ୟ କେନ୍ଦ୍ରର ଡଃ ଆଦିତ୍ୟ ଦାସ, ଆୟୁଷ ଡାକ୍ତର ଚିନ୍ମୟ କୁମାର,ବିପିଏମ ବିକାଶ ମିଶ୍ର, ତ୍ରିନାଥ ପଣ୍ଡା, ମହିଳା ସ୍ଵାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ ଗତ କାଲି ଗମ୍ପାକୋଣ୍ଡା ଗାଁକୁ ପହଞ୍ଚି ଲୋକଙ୍କ ନମୂନା ସଂଗ୍ରହ କରିଥିଲେ । ଗମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତର ସରପଂଚ ରାମା କବାସି ଆଜି ସମସ୍ତ ଆକ୍ରାନ୍ତଙ୍କ ଘରକୁ ଘର ବୁଲି ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଏବଂ ଆତଙ୍କିତ ନ ହେବାପାଇଁ ଗାଁ ଲୋକଙ୍କୁ ବୁଝାଇଥିଲେ ।

ପ୍ରଶାନ୍ତ କୁମାର ବିହାରୀ

କାଲିମେଳା ବ୍ଲକ 

Leave A Reply

Your email address will not be published.