mobile header

ସରକାରୀ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାସିଂ କୋର୍ସ ଉପରେ ଅଂକୁଶ କାହା ସ୍ୱାର୍ଥରେ

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ୟାସିର ନୱାଜ ସରକାରୀ ବିଶ୍ୱବିଦ୍ୟାଳୟ ମାନଙ୍କରେ ସେଲ୍ଫ ଫାଇନାସିଂ କୋର୍ସ ଉପରେ ଅଂକୁଶ ଲଗାଇବା ନିଷ୍ପତିକୁ ଦୃଢ଼ ନିନ୍ଦା କରିଛନ୍ତି । ଗତକାଲି କୁଳାଧିପତିଙ୍କ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଯେ ୨୦୨୨-୨୩ ଶିକ୍ଷା ବର୍ଷରୁ ସେଲ୍ଫ ଫାଇନାସିଂ କୋର୍ସରେ ବିଶ୍ୱବିଦ୍ୟାଳୟର ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟାର ମାତ୍ର ୨୦ ପ୍ରତିଶତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ଏଥିରେ ଦର୍ଶାଯାଇଛି ଯେ ଅଧିକ ସେଲ୍ଫ ଫାଇନାସିଂ ବିଶ୍ୱବିଦ୍ୟାଳୟରେ ପଢ଼ାଯିବା ଦ୍ୱାରା ରେଗୁଲାର କୋର୍ସ ପ୍ରଭାବିତ ହେଉଛି । ଶ୍ରୀ ନୱାଜ କହିଛନ୍ତି ଉପରୋକ୍ତ ନିର୍ଦ୍ଦେଶରୁ ସ୍ପଷ୍ଟ ବାରି ହେଉଯାଉଛି ଯେ ଶିକ୍ଷାର ଘରୋଇକରଣ କରାଇବାକୁ ସରକାର କେତେ ବ୍ୟାକୁଳ, କାରଣ ଗରିବ ମେଧାବୀ ଛାତ୍ରଛାତ୍ରୀ ସ୍ୱଳ୍ପ ଖର୍ଚ୍ଚରେ ସରକାରୀ ବିଶ୍ୱବିଦ୍ୟାଳୟ ମାନଙ୍କରେ ସେଲ୍ଫ ଫାଇନାସିଂ କୋର୍ସ ଦ୍ୱାରା ପାଠ ପଢ଼ି ଭବିଷ୍ୟତ ଗଢ଼ିପାରୁଥିଲେ । କିନ୍ତୁ ଯଦି ସରକାର ଏଥିରେ ଅଂକୁଶ ଲଗାଇବେ ସେହି ସେଲ୍ଫ ଫାଇନାସିଂ କୋର୍ସ ଆଡମିଶନ କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀମାନେ ସରକାରୀ ବିଶ୍ୱବିଦ୍ୟାଳୟରେ ପାଠପଢ଼ିବାରୁ ବଂଚିତ ହେବେ ଯଦ୍ୱରା ଘରୋଇ ବିଶ୍ୱବିଦ୍ୟାଳୟ ମାନେ ଲାଭାନ୍ୱିତ ହେବେ । ଗରିବ ମେଧାବୀ ଛାତ୍ରଛାତ୍ରୀ ମାନେ ଲକ୍ଷାଧିକ ଟଙ୍କା ଦେଇ ପାଠ ପଢ଼ିପାରିବେ ନାହିଁ ଏବଂ ସେମାନଙ୍କର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯିବ । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ସରକାର ଓ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । ସରକାରୀ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାସିଂ କୋର୍ସରେ ୨୦ ପ୍ରତିଶତ ଛାତ୍ରଛାତ୍ରୀ ମାନଙ୍କର ଆଡମିଶନ ଅତ୍ୟନ୍ତ ନଗଣ୍ୟ । ତେଣୁ ଏହି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବାପାଇଁ ଦାବି କରିଛନ୍ତି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନୱାଜ । ଯଦି ରେଗୁଲାର କୋର୍ସ ପ୍ରଭାବିତ ହେବାର ପ୍ରସଙ୍ଗ ସରକାର ଅନୁଭବ କରୁଛନ୍ତି ତେବେ ସରକାର କଣପାଇଁ ଖାଲି ପଡ଼ିଥିବା ଅଧ୍ୟାପକ, ଅଧ୍ୟାପିକାମାନଙ୍କ ପଦବୀ ପୂରଣ କରିପାରୁ ନାହାନ୍ତି । ରାଜ୍ୟରେ ବହୁ ସଂଖ୍ୟାରେ ଶିକ୍ଷିତ ଯୁବକଯୁବତୀ ମାନେ ଅଧ୍ୟାପକ, ଅଧ୍ୟାପିକା ହେବାର ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ସରକାର ପଦବୀ ପୂରଣ କରୁନାହାନ୍ତି ତେଣୁ ଏ ସରକାର ଯୁବଛାତ୍ର ବିରୋଧି । ଝିଂଟିକା ମାରି ବଣି ପୋଷିବା କାହା ସ୍ୱାର୍ଥରେ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ନୱାଜ । ଯଦି ତୁରନ୍ତ ଏହି ନିଷ୍ପତିକୁ ପ୍ରତ୍ୟାହାର ନକରାଯାଏ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ମହାମହୀମ ରାଜ୍ୟପାଳ ତଥା କୁଳାଧିପତିଙ୍କୁ ଭେଟି ଦାବିପତ୍ର ଜଣାଇବା ସହ ଶିକ୍ଷାର ଘରୋଇ କରଣ ବିରୋଧରେ ରାଜ୍ୟବ୍ୟାପି ଆନ୍ଦୋଳନ କରିବ । ଏଠାରେ ମୁଖ୍ୟ ପ୍ରସଙ୍ଗ ହେଉଛି ଯିଏ ଉଚ୍ଚ ଶିକ୍ଷାବିଭାଗର ସଚିବ ସିଏ ମହାମହୀମ ରାଜ୍ୟପାଳଙ୍କର ମଧ୍ୟ ସଚିବ । ଏଣୁ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କ ପ୍ରରୋଚନାରେ ଏଭଳି ଛାତ୍ର ବିରୋଧି ନିଷ୍ପତି ନିଆଯାଉଛି ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି । ଏଥିରେ କେବଳ ମହାମହୀମ ରାଜ୍ୟପାଳଙ୍କୁ ବ୍ୟବହାର କରାଯାଇଛି, ମାତ୍ର ଅସଲ ଚକ୍ରାନ୍ତ ମନ୍ତ୍ରୀ ଶ୍ରୀ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ।
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁଙ୍କ ଅମଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଡମିଶନ ଜାଲିଆତି ପଦାରେ ପଡ଼ିବା ପରେ ଶିକ୍ଷା ଜଗତର କୋଣାର୍କ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଆଡମିଶନ ଜାଲିଆତି ଧରାପଡ଼ିଛି । ବିଶେଷ କରି ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ପ୍ରସ୍ତୁତ କରାଯାଇ ଓଡ଼ିଶାର ସମସ୍ତ ସରକାରୀ ମହାବିଦ୍ୟାଳୟରେ ଏଭଳି ଆଡମିଶନ ଜାଲିଆତି ଚାଲିଥିଲା ବେଳେ ଶିକ୍ଷାମନ୍ତ୍ରୀ ଶ୍ରୀ ସାହୁ ଚୁପ ବସିଛନ୍ତି । ଏହି ଜାଲିଆତିର ଦଲାଲମାନେ ବିଜେଡ଼ି ଦଳର କର୍ମକର୍ତା ଥିବା ଜଣାପଡ଼ିଛି । ବିଜେଡ଼ି ସରକାର ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ମନ୍ତ୍ରୀ ଶ୍ରୀ ସାହୁ ନିରବଦ୍ରଷ୍ଟା ସାଜିଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସ ଏହାକୁ ବରଦାସ୍ତ କରିବ ନାହିଁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ମୁଖପାତ୍ର ବିଶ୍ୱଭୂଷଣ ମହାପାତ୍ର, ସାଧାରଣ ସଂପାଦକ ସାଗର ପଟ୍ଟନାୟକ, ଭୁବନେଶ୍ୱର ଏକାମ୍ର ସଭାପତି ରିୟାଜ ଉଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.