ଅଧିନାୟକ ପଦ ଛାଡିଲେ ରୁଟ୍‌

ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଜୋ ରୁଟ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳର ଖରାପ ପ୍ରଦର୍ଶନ ଯୋଗୁ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। ରୁଟ ଦୀର୍ଘ ସମୟ ଧରି ଇଂଲଣ୍ଡର ଅଧିନାୟକ ଥିଲେ, କିନ୍ତୁ ଗତ କିଛି ମାସ ଧରି ତାଙ୍କ ଅଧିନାୟକତ୍ୱରେ ଇଂଲଣ୍ଡର ପ୍ରଦର୍ଶନ ବହୁତ ମଧ୍ୟମ ଥିଲା। ଏହା ପରେ ସେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜରେ ଇଂଲଣ୍ଡ କୌଣସି ମ୍ୟାଚ ଜିତି ପାରି ନ ଥିଲା। ଏହା ପରେ ହିଁ ରୁଟ୍‌ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଥିଲା। କିନ୍ତୁ ସେ ଦଳର ଅଧିନାୟକ ଭାବରେ ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ୱେଷ୍ଟଇଣ୍ଡିଜ ଗସ୍ତରେ ତାଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯାଇଥିଲା, କିନ୍ତୁ ଏଠାରେ ମଧ୍ୟ ରୁଟଙ୍କ ସାମାନ୍ୟ ପ୍ରଦର୍ଶନ ପରେ ଇସ୍ତଫା ଦେବାକୁ ପଡିଲା।
ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଜୋ ରୁଟ କହିଛନ୍ତି ଯେ, ଦେଶର ଦଳର ଅଧିନାୟକ ହେବା ତାଙ୍କ ପାଇଁ ଗୌରବର ବିଷୟ। ଦଳର ଦାୟତ୍ୱ ନେବାକୁ ସେ ଭଲ ପାଆନ୍ତି। କିନ୍ତୁ ନିକଟରେ ସେ ତାଙ୍କ ଉପରେ ଏହି ଦାୟିତ୍ୱ ଗ୍ରହଣ କରିବାର ପ୍ରଭାବକୁ ଲକ୍ଷ୍ୟ କରିଥିଲେ। ଏହି ଦାୟିତ୍ୱ ତାଙ୍କୁ ଖେଳ ବାହାରେ ମଧ୍ୟ ପ୍ରଭାବିତ କରିଥିଲା। ସେ ନିଜ ସାଥୀ, ନୂତନ ଅଧିନାୟକ ଏବଂ ପ୍ରଶିକ୍ଷକଙ୍କୁ ସମସ୍ତ ପ୍ରକାରରେ ସାହାଯ୍ୟ କରିବାକୁ ପ୍ରସ୍ତୁତ।
ଜୋ ରୁଟ ଗତ ପାଞ୍ଚ ବର୍ଷ ଧରି ଟେଷ୍ଟ କ୍ରିକେଟ ରେ ଇଂଲଣ୍ଡ ଅଧିନାୟକତ୍ୱ କରିଥିଲେ। ଆଲାଷ୍ଟାୟର୍‌ କୁକ ପରେ, ସେ ୨୦୧୭ରେ ଇଂଲଣ୍ଡର ଟେଷ୍ଟ ଦଳର ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ଅଧିନାୟକତ୍ୱରେ ଇଂରାଜୀ ଦଳ ମୋଟ ୬୪ଟି ଟେଷ୍ଟ ମ୍ୟାଚ ଖେଳିଥିଲା। ଏଥିମଧ୍ୟରୁ ଇଂଲଣ୍ଡ ୨୭ଟି ଜିତିଛି। ଏଥିସହିତ ତାଙ୍କ ଦଳକୁ ୨୬ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ୧୧ଟି ମ୍ୟାଚ ଡ୍ର ହୋଇଥିଲା।

Leave A Reply

Your email address will not be published.