mobile header

ରାଜ୍ୟପାଳଙ୍କ ଦ୍ଵାରା କିସ୍‌-କଲାରାବାଙ୍କ ଉଦ୍‌ଘାଟିତ

ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା କିସ୍‍-ଭୁବନେଶ୍ୱରର କଟକ ଜିଲ୍ଲା ଶାଖା କିସ-କଲରାବାଙ୍କ ଆବାସିକ ବିଦ୍ୟାଳୟ ରବିବାର ଉଦ୍‍ଘାଟିତ ହୋଇଯାଇଛି। କିସ କଲରାବାଙ୍କକୁ ଉଦଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶିକ୍ଷାର ପ୍ରସାର ଦିଗରେ କିସର ଭୂମିକା ଓ ଆଭିମୁଖ୍ୟକୁ ବେଶ ପ୍ରଶଂସା କରିଥିଲେ। ଶିକ୍ଷା ଚେତନାକୁ ଜାଗ୍ରତ କରିଥାଏ ବୋଲି ରାଜ୍ୟପାଳ କହିଥିଲେ। କୋଭିଡ୍‍ ସମୟରେ ଯେଉଁ ପିଲାମାନେ ସେମାନଙ୍କ ପିତାମାତାଙ୍କୁ ହରାଇ ନିରାଶ୍ରୟ ଓ ଅସହାୟ ହୋଇପଡିଛନ୍ତି ଗୁଣାତ୍ମକ ଶିକ୍ଷା ଜରିଆରେ ସେହି ଗରିବ ଓ ଅସହାୟ ପିଲାଙ୍କ ଭବିଷ୍ୟତ ଗଠନ କରାଯିବା ଆଭିମୁଖ୍ୟ ନେଇ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ପ୍ରୟାସ ଆରମ୍ଭ କରିଛନ୍ତି। ଏହା ଦ୍ୱାରା ବହୁ ସଂଖ୍ୟକ ଗରିବ ଓ ଅସହାୟ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ପ୍ରାଥମିକ ପର୍ଯ୍ୟାୟରେ ଏଠାରେ କଟକ ଜିଲ୍ଲାର ୧ ହଜାର ଅନାଥ ପିଲାଙ୍କ ନାମ ଲେଖାଯିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାରେ ସମସ୍ତ ବର୍ଗର ଗରିବ ଓ ଅସହାୟ ଛାତ୍ରଛାତ୍ରୀମାନେ ଶିକ୍ଷା ଲାଭ କରିପାରିବେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇ କଟକ ଜିଲ୍ଲାର ନିପଟ ମଫସଲ ଗ୍ରାମ କଲରାବାଙ୍କ ଆଜି ସମସ୍ତ ସହରୀ ସୁବିଧା ଉପଲବ୍‍ଧ କରାଯାଇ କିଭଳି ଦେଶର ପ୍ରଥମ ଆଦର୍ଶ ଗ୍ରାମ ଓ ପରିଶେଷରେ ସ୍ମାର୍ଟ ଗ୍ରାମ ଓ ମାଣପୁର ପଞ୍ଜାୟତ କିଭଳି ସ୍ମାର୍ଟ ପଞ୍ଚାୟତରେ ପରିଣତ ହୋଇ ପାରିଛି ସେ ସମ୍ପର୍କରେ କହିଥିଲେ।
ଏହି ଅବସରରେ ରାଜ୍ୟପାଳ ବ୍ୟାଟେରୀ ଚାଳିତ ଗାଡିରେ କାଳରବାଙ୍କ ସ୍ମାର୍ଟ ଭିଲେଜ ପରିଦର୍ଶନ କରିବା ସହ ବୋଦରଠାରୁ ଅଇନିପୁର ରାସ୍ତା ‘ନୀଳିମାରଣୀ ମାର୍ଗ’ ଉନ୍ମୋଚନ କରିଥିଲେ। ରାଜ୍ୟପାଳଙ୍କୁ ସ୍ଵାଗତ କରିବା ପାଇଁ ସ୍ମାର୍ଟ ଭିଲେଜରେ ବହୁ ଜନ ସମାଗମ ପରିଲକ୍ଷିତ ହୋଇଥିଲା। ଏହା ସହ ଶଙ୍ଖ ହୁଳହୁଳି ଶବ୍ଦରେ ଗ୍ରାମ ଦାଣ୍ଡ ଉଛୁଳି ପଡିଥିଲା। ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଭୁବନେଶ୍ୱର ୟୁନିଟ୍‍-୧ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାତା ସଭାପତି ବାବା ରାମ ନାରାୟଣ ଦାସ, କଲରାବାଙ୍କ ଗ୍ରାମ କମିଟି ସଭାପତି ଅଞ୍ଜନ କୁମାର ସାମନ୍ତ, ସମ୍ପାଦକ ଅଭିନ୍ନ ଚନ୍ଦ୍ର କେଶ, ନୀଳିମାରାଣୀ ମେମୋରିଆଲ୍‍ ଚାରିଟେବଲ୍‍ ଟ୍ରଷ୍ଟର ସଭାପତି ଅନ୍ତର୍ଯ୍ୟାମୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅନ୍ତର୍ଯ୍ୟାମୀ ସାମନ୍ତ, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କଳିଙ୍ଗ ଇଂଲିଶ ମିଡିଅମ ସ୍କୁଲ ଓ କାଳରବାଙ୍କ ହାଇସ୍କୁଲରେ ଅଧିକ ନମ୍ବର ରଖି କୃତିତ୍ଵ ଅର୍ଜନ କରିଥିବା ୨ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply

Your email address will not be published.