xmas

ଅଜାନ ସମୟରେ ଲାଉଡସ୍ପିକରରେ ବାଜିବନି ହନୁମାନ ଚାଳିଶା

ଅଜାନ-ହନୁମାନ ଚାଳିଶାକୁ ନେଇ ବିବାଦ ବଢୁଥିବା ଭିତରେ ନାସିକ ପ୍ରଶାସନ ଏକ ବଡ ନିଷ୍ପତ୍ତି ନେଇଛି । ଏଣିକି ଲାଉଡସ୍ପିକରରେ ହନୁମାନ ଚାଳିଶା ଓ ଭଜନ ବଜାଇବା ପାଇଁ ଅନୁମତି ନେବାକୁ ପଡିବ । ଅଜାନର ୧୫ ମିନିଟ୍ ପୂର୍ବରୁ କିମ୍ବା ୧୫ ମିନିଟ୍ ପରେ ହିଁ ଲାଉଡସ୍ପିକରରେ ହନୁମାନ ଚାଳିଶା ଓ ଭଜନ ବଜାଇବାକୁ ଅନୁମତି ମିଳିବ । ମସଜିଦର ୧୦୦ ମିଟର ଭିତରେ ହନୁମାନ ଚାଳିଶା ଲାଉଡସ୍ପିକରରେ ବଜାଇବାକୁ ଅନୁମତି ମିଳିବ ନାହିଁ । ନାସିକ ପୋଲିସ କମିଶନର ଦୀପକ ପାଣ୍ଡେ କହିଛନ୍ତି, ରାଜ୍ୟରେ ଶାନ୍ତି ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହାଛଡା ୩ ମେ’ ପର୍ଯ୍ୟନ୍ତ ସମସ୍ତ ଧାର୍ମିକସ୍ଥଳରେ ଲାଉଡସ୍ପିକର ବ୍ୟବହାର ପାଇଁ ଅନୁମତି ନେବାକୁ ପଡିବ । ଏହାପରେ କେହି ଯଦି ନିୟମ ଭଙ୍ଗ କରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥ୍ାକୁ ନେଇ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଗୃହମନ୍ତ୍ରୀ ଦିଲ୍ଲୀପ ବାଲସେ ପାଟିଲଙ୍କ ମଧ୍ୟରେ ବୈଠକ ହେବ । କେବଳ ନାସିକ ନୁହେଁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଏହି ନିଷ୍ପତ୍ତି ଲାଗୁ କରାଯାଇପାରେ ବୋଲି ସୂଚନା ମିଳିଛି ।

ଏହାଭିତରେ ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି, ଲାଉଡସ୍ପିକରର ବ୍ୟବହାର ନେଇ ରାଜ୍ୟ ପୋଲିସ ଓ ମୁମ୍ବାଇ କମିଶନର ଆଲୋଚନା କରି ନିର୍ଣ୍ଣୟ ନେବା ସହ ଗାଇଡଲାଇନ ପ୍ରସ୍ତୁତ କରିବେ । ଯେପରି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପୋଲିସ ବିଭାଗ ପକ୍ଷରୁ ଦୃଷ୍ଟି ରଖାଯାଇଛି ।

Leave A Reply

Your email address will not be published.