mobile header

ଦଙ୍ଗାକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର : ସୋନାଲୀ ସାହୁ

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଆଉ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ରାଜ୍ୟର ଆଇନ ଶୃଙ୍ଖଳା ବାଟବଣା ହୋଇ ନବୀନ ନିବାସରେ ଅଟକି ଯାଇଛି । ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ସମୟରେ ବ୍ୟାପକ ମାତ୍ରାରେ ରାଜନୈତିକ ହିଂସାକୁ ରୋକିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ବର୍ତମାନ ନିର୍ବାଚନ ପରବର୍ତୀ ହିଂସାକୁ ମଧ୍ୟ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହିତ କରୁଛନ୍ତି । ଏହା ଦ୍ୱାରା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ନିମ୍ନଗାମୀ ହୋଇ ନିୟନ୍ତ୍ରଣ ସୀମା ରେଖା ଉଲ୍ଲଂଘନ କରିଛି । ଶାନ୍ତି ପ୍ରିୟ ଓଡିଶାରେ ପ୍ରତିଦିନ ରାଜନୈତିକ ହିଂସା ଘଟିବା ନିହାତି ଚିନ୍ତାର କାରଣ ସାଜିଛି । ହିଂସାକାଣ୍ଡକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ଉଦ୍ୟମର ଅଭାବ ଆହୁରି ଅଧିକ ଚିନ୍ତାର କାରଣ ସାଜିଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କେନ୍ଦୁଝର ଜିଲ୍ଲା ଯୋଡା ଗସ୍ତ କରି ସେଠାରେ ସଂପ୍ରତି ଘଟିଯାଇଥିବା ଘଟଣା ଓ ଆଇନଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ଥାନୀୟବାସିନ୍ଦା ଏବଂ ପ୍ରଶାସନ ସହ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ବିଧାୟକ ନାଉରୀ ନାୟକ, ନବଚରଣ ମାଝୀ. ଡ.ବୁଧନ ମୁର୍ମୁ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ଶର୍ମା ପ୍ରମୁଖ ସାମିଲ ଥିଲେ ।
କେନ୍ଦୁଝର ଜିଲ୍ଲା ଯୋଡାରେ ଗତ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବହୁ ଶାନ୍ତିପୂର୍ଣ୍ଣ ଭାବେ ରାମନବମୀ ପାଳନ ହୋଇଆସୁଛି । ଏହି ବିଷୟରେ ସ୍ଥାନୀୟ କଲେକ୍ଟର ଓ ଏସପି ଭଲ ଭାବେ ଅବଗତ ଅଛନ୍ତି । ପରଂପରା ଅନୁଯାୟୀ ଚଳିତ ବର୍ଷ ମଧ୍ୟ ରାମ ନବମୀ ପାଳନ ଅବସରରେ ଧାର୍ମିକ ଭାବନାକୁ ସମ୍ମାନ ଜଣାଇ କିଛି ଲୋକ ପତାକା ଲଗାଇବାକୁ ଏକ ମନ୍ଦିରକୁ ଯାଇଥିଲେ । ହଠାତ୍ ଅନ୍ୟ ଏକ ଗୋଷ୍ଠୀ ଆକ୍ରୋଶମୂଳକ ଉଦ୍ଦେଶ୍ୟ ରଖି ପତାକା ନଲଗାଇବାକୁ କହିବା ସହିତ ହିଂସାତ୍ମକ ଆଚରଣ ଆରମ୍ଭ କରିଦେଇଥିଲେ । ଏପରିକି ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଇନଥିଲେ । ଶାନ୍ତି ବୈଠକ ଅନୁଷ୍ଠିତ ନହେବା, ଘଟଣା ଦିନ ଉଭୟ କଲେକକ୍ଟର ଓ ଏସପି ଉପସ୍ଥିତ ନରହିବା ଘଟଣା ସାଧାରଣରେ ବହୁ ସନ୍ଦେହ ସୃଷ୍ଟି କରିଛି । ଶାନ୍ତିପ୍ରିୟ ଯୋଡା ଅଂଚଳରେ ଧର୍ମ ଓ ସଂପ୍ରଦାୟ ଆଳରେ ଉତେଜନା ପ୍ରକାଶ ପାଇବା ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅପାରଗତା ଉପରେ ବହୁ ପ୍ରଶ୍ନ ସୃଷ୍ଟି କରିଛି ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ରାଜ୍ୟ ସରକାର ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ସହ ଖେଳ ଖେଳୁଚନ୍ତି । କେନ୍ଦୁଝର ଜିଲ୍ଲାପାଳ ଆଇନ ଅମାନ୍ୟ ଅଭିଯୋଗରେ ଜାତୀୟ ଜନଜାତି ଆୟୋଗଙ୍କ ଦ୍ୱାରା ପଳାତକ ଘୋଷିତ ହୋଇଛନ୍ତି । ଯେଉଁ ଜିଲ୍ଲାର ଜିଲ୍ଲାପାଳ ଆଇନକୁ ଅମାନ୍ୟ କରନ୍ତି, ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି କେମିତି ଠିକ୍ ରହିବ? ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ମାଡ ଖାଇଥିବା ଲୋକଙ୍କୁ ପୋଲିସ ଗିରଫ କରିଥିବାବେଳେ ମାଡ ମାରିଥିବା ଲୋକ ଖୋଲାଖୋଲି ବୁଲୁଛନ୍ତି । ହୀନ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ କେନ୍ଦୁଝର ଜିଲ୍ଲାବାସୀଙ୍କ ଭାଇଚାରାକୁ ନଷ୍ଟ କରୁଛନ୍ତି । ଧର୍ମ ନିରପେକ୍ଷତାର ଦ୍ୱାହି ଦେଇ ଓଡିଶାବାସୀଙ୍କୁ ମିଛଠାରେ ବିଭ୍ରାନ୍ତ କରୁଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ପ୍ରକୃତ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ଏବଂ ନିର୍ଦ୍ଦୋଷମାନଙ୍କ ଉପରେ ଅତ୍ୟାଚାର ବନ୍ଦ କରିବାକୁ ଶ୍ରୀମତୀ ସାହୁ ଦାବୀ କରିଛନ୍ତି ।
ଏହି ଅବସରରେ କୃଷକ ମୋର୍ଚ୍ଚା ରାଜ୍ୟ ମିଡିଆ ସଂଯୋଜକ ହିତେଶ ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.