mobile header

କୁପୋଷଣର ଶିକାର ହୋଇଛି ରାଜ୍ୟ ଶାସନ ବ୍ୟବସ୍ଥା: ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର : ସଠିକ୍ ପୋଷଣ – ସମ୍ବୃଦ୍ଧ ଦେଶ । ଅପପୃଷ୍ଟି ମୁକ୍ତ ଭାରତ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ଏହାକୁ ସାର୍ଥକ କରିବା ପାଇଁ ଯଶସ୍ୱୀ ପ୍ରଦାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମସ୍ତ ପ୍ରୟାସ ଜାରି ରଖିଛନ୍ତି । ଦେଶର ଭବିଷ୍ୟତ ବୋଲାଉଥିବା ଶିଶୁମାନଙ୍କୁ କିପରି କୁପୋଷଣରୁ ସୁପୋଷଣ ଆଡକୁ ନିଆଯିବ ଏବଂ ତାଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ଦେଇ ମୋଦି ସରକାର କେନ୍ଦ୍ରରେ ଅନେକ ଯୋଜନା ଆରମ୍ଭ କରିଛନ୍ତି । ୧୩ ଲକ୍ଷ ୨୦ ହଜାର ୨୨୮ ଜଣ ଆଙ୍ଗନବାଡୀ କର୍ମଚାରୀ ଏବଂ ୧୧ଲକ୍ଷ ୮୪ ହଜାର ୦୩୬ ଆଙ୍ଗନାବାଡୀ ସହାୟକଙ୍କ ଜରିଆରେ ଦେଶରେ ବର୍ତମାନ ୧୩ ଲକ୍ଷ ୯୯ ହଜାର ୬୯୭ଟି ଆଙ୍ଗନାବାଡୀ କେନ୍ଦ୍ର କାର୍ଯ୍ୟ କରୁଛି । ଅର୍ଥିକ ସହାୟତା ମାଧ୍ୟମରେ ମା ଓ ଶିଶୁଙ୍କ ପୋହଣ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମାତୃତ୍ୱ ଯୋଜନା ଅଧିନରେ ୨.୪ କୋଟିରୁ ଉର୍ଦ୍ଧ୍ୱ ଗର୍ଭବତୀ ମହିଳାଙ୍କୁ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଜନସଚେତା ସୃଷ୍ଟି କରିବା ପାଇଁ ସାରା ଦେଶରେ ୪୦ କୋଟିରୁ ଉର୍ଦ୍ଧ୍ୱ ପୋଷଣ କୈନ୍ଦ୍ରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗର୍ଭାବସ୍ଥା ସମୟରେ କର୍ମଜୀବି ମହିଳାମାନଙ୍କ ମାତୃତ୍ୱ ଅବକାଶକୁ ୧୨ ସପ୍ତାହରୁ ୨୪୪ ସପ୍ତାହକୁ ବୃଦ୍ଧି କରାଯାଇଛି । ଗରୀବମାନଙ୍କୁ ଅପପୃଷ୍ଟିରୁ ମୁକ୍ତି ଏବଂ ମହିଳା, ଶିଶୁ ଓ ସ୍ତନ୍ୟପାନ କରାଉଥିବା ମା ମାନଙ୍କୁ ଆବଶ୍ୟକୀୟ ପୋଷକ ତତ୍ୱ ଯୋଗାଇ ଦେବା ପାଇଁ ବର୍ତମାନ ସୁଦ୍ଧା ୭.୩୧ ଲକ୍ଷ ମେଟ୍ରିକ ଟନ ପୋଷକଯୁକ୍ତ ଚାଉଳ ଆବଂଟନ ହୋଇଛି । ପୋଷଣ ସମ୍ବନନ୍ଧୀୟ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟମାନଙ୍କୁ ୧୧.୦୩ଲକ୍ଷ ସ୍ମାର୍ଟ ଫୋନ ଏବଂ ୧୧.୯୪ ଲକ୍ଷ ଗ୍ରୋଥ ମନିଟରିଂ ଯନ୍ତ୍ର ଓ ପୋଷଣ ଟ୍ରାକର ମାଧ୍ୟମରେ ହିତାଧିକାରୀମାନଙ୍କୁ ଯୋଡାଯାଇଛି । କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧିନରେ ୮୦ କୋଟି ଦେଶବାସୀଙ୍କୁ ୩.୪୦ଲକ୍ଷ କୋଟି ଟଙ୍କା ବ୍ୟୟରେ ମାଗଣା ରାସନ ପ୍ରଦାନ କରିବା ନିଶ୍ଚିତ ଭଭାବେ ଐତିହାସିକ ପଦକ୍ଷେପ । ମୋଦି ସରକାରଙ୍କ ନିଷ୍ଠା କାରଣରୁ ୨୦୧୫ ମସିହାରୁ ୨୦୨୦ ମସିହା ମଧ୍ୟରେ ୫ ବର୍ଷରୁ କମ୍ ବୟସ୍କର ଶିଶୁଙ୍କ ପୋଷଣା ସୁଚକାଙ୍କରେ ବ୍ୟାପକ ସୁଧାର ଆସିଛି । ଏହା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।
ଗୋଟିଏ ପଟେ ମୋଦି ସରକାରଙ୍କ “ଅପପୃଷ୍ଟି ମୁକ୍ତ ଭାରତ”ର ସଂକଳ୍ପ ଏବଂ ଏହାକୁ ସାକାର କରିବା ପାଇଁ ବିଭିନ୍ନ ସ୍ତରରେ ବ୍ୟାପକ ଜନସଚେତନତା ଜରିଆରେ କାର୍ଯ୍ୟ କରୁଥିବାବେଳେ ଅନ୍ୟପଟେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ଓଲଟା । କୋମଳମତି ଶିଶୁମାନଙ୍କୁ ନିମ୍ନମାନର ଛତୁଆ ଦେଉଥିବା ରାଜ୍ୟ ସରକାର ବର୍ତମାନ ରାଜ୍ୟବାସୀଙ୍କୁ ଅଖାଦ୍ୟ ଚାଉଳ ଖାଇବାକୁ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ “ଅପପୃଷ୍ଟି ମୁକ୍ତ ଭାରତ”କୁ ଚକ୍ରାନ୍ତ କରି ଅସଫଳ କରିବାରେ ରାଜ୍ୟ ସରକାର ଲାଗିପଡିଛନ୍ତି ବୋଲି ଡ. ବିଶ୍ୱାଳ କହିଛନ୍ତି ।
ଓଡିଶାକୁ ନିନ୍ଦିତ କରିଥିବା ବହୁଚର୍ଚ୍ଚିତ ନଗଡା ଅପପୃଷ୍ଟି ଘଟଣାରୁ ରାଜ୍ୟ ସରକାର କୈାଣସି ଶିକ୍ଷା ପ୍ରାପ୍ତ କରିନାହାନ୍ତି । ବିଭ୍ରାନ୍ତ ଏବଂ ନିଜ ଅପାରଗତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ଅଳ୍ପ କିଛି ବିକାଶ କାର୍ଯ୍ୟ କରିଛନ୍ତି ସତ, କିନ୍ତୁ ବାସ୍ତବରେ ଆଜି ମଧ୍ୟ ନଗଡା ଅଂଚଳ ବିକାଶର ବହୁ ଦୂରରେ ଅଛି । ଶିଶୁଙ୍କ ଶାରିରୀକ ଓ ମାନସିକ ବିକାଶ ପାଇଁ ଧାର୍ଯ୍ୟ ୫ଟି ବିନ୍ଦୁରେ ରାଜ୍ୟ ସରକାର ବିଫଳ । “ଲୋ ବର୍ଥ” ଶିଶୁ ଜନ୍ମ କ୍ଷେତ୍ରରେ ଓଡିଶା ରାଜ୍ୟର ସ୍ଥାନ ସର୍ବାଗ୍ରେ ଏବଂ ଏହି ପରିସଂଖ୍ୟାନ ୧୮.୨୫ ପ୍ରତିଶତ । ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ସବୁଠୁ ବଡ ସମସ୍ୟା ଏବଂ ରାଜ୍ୟରେ ରକ୍ତହୀନତା ମହିଳାଙ୍କ ସଂଖ୍ୟ ୫୦ ପ୍ରତିଶତରୁ ୬୪ ପ୍ରତିଶତକୁ ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତାଜନକ । ବୟସ ତୁଳନାରେ ଶିଶୁର ଉଚ୍ଛତାର ବିକାଶ ନହେବାକୁ ଷ୍ଟଂଟିଙ୍ଗ କୁହାଯାଏ ଏବଂ ଏ କ୍ଷେତ୍ରରେ ଓଡିଶାରେ ଶିଶୁଙ୍କ ସଂଖ୍ୟା ୩୧ ପ୍ରତିଶତ । ବୟସ ତୁଳନାରେ ୩୦ ପ୍ରତିଶତ ଶିଶୁଙ୍କ ଓଜନ କମ୍ ଅଛି । ୧୮ ପ୍ରତିଶତ ଶିଶୁମାନେ ‘ୱେଷ୍ଟିଙ୍ଗ’ ତଥା ମାଂସପେଶୀ ଅଭାବର ଶୀକାର ହେଉଛନ୍ତି । ଗର୍ଭବତୀ ମହିଳାମାନଙ୍କୁ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ଅଭାବ ଥିବା କାରଣରୁ ଓଡିଶାରେ ଶିଶୁ ମୃତ୍ୟୁ ହାର ପ୍ରତି ହଜାରରେ ୪୧ । ଏ ସମସ୍ତ ତଥ୍ୟ ରାଜ୍ୟର ପୋଷଣ ଯୋଜନାର ବିଫଳତାକୁ ପଦାରେ ପକାଉଛି । ନିମ୍ନ ମାନର ଚାଉଳ, ଛତୁଆ ଓ ଅଣ୍ଡା ଖାଇ ଅପପୃଷ୍ଟିର ଶିକାର ହେଉଛନ୍ତି ରାଜ୍ୟର ଶିଶୁ ଓ ମହିଳା । ଶାସକ ବିଜେଡି ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ସତ୍ୱେ ପୃଷ୍ଟିକର ଖାଦ୍ୟ ଯୋଗାଇବାରେ ରାଜ୍ୟ ସରକାର କାହିଁକି ବିଫଳ ବୋଲି ପ୍ରଶ୍ନ କରିବା ସହିତ ରାଜ୍ୟ ସରକାରଙ୍କ ଶାସନ ଆଜି କୁପୋଷଣର ଶିକାର ହୋଇଯାଇଥିବା ଡ.ବିଶ୍ୱାଳ ତାତ୍ସଲ୍ୟ କରି କହିଛନ୍ତି ।
ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ବାସ୍ତବ କାର୍ଯ୍ୟକାରିତା ଏବଂ ସାଧାରଣ ଜନତାଙ୍କୁ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଜେପି କାର୍ଯ୍ୟକର୍ତାମାନେ ଗଗତ ୭ ତାରିଖରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟ କରୁଛନ୍ତି । ଆଜି ଏହି ଅବସରରେ ଓଡିଶାରେ ମଧ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ସମେତ ଅନ୍ୟାନ୍ୟ ବିଜେପି କାର୍ଯ୍ୟକର୍ତାମାନେ ବିଭିନ୍ନ ଅଙ୍ଗନବାଡୀ କେନ୍ଦ୍ରକୁ ଯାଇ ଯୋଜନାର କାର୍ଯ୍ୟକାରିତାର ତଦାରଖ ଏବଂ ଜନସଚେତନ ସୃଷ୍ଟି କରୁଛନ୍ତି ବୋଲି ଡ.ବିଶ୍ୱାଳ ସୁଚନା ଦେଇଛନ୍ତି ।
ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ଏବଂ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମତୀ ରଶ୍ମିମୟୀ ପଟ୍ଟନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.