mobile header

ଅନ୍ତର୍ଜାତୀୟ କ୍ରିକେଟକୁତ୍ଅଲବିଦା କହିଲେ ପୋଲାର୍ଡ

ୱେଷ୍ଟଇଣ୍ଡିଜ ସୁପରଷ୍ଟାର କାଏରନ ପୋଲାର୍ଡ ଆଜି ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବର୍ତ୍ତମାନ ଆଇପିଏଲ ଖେଳିବାକୁ ଭାରତରେ ଥିବା ପୋଲାର୍ଡଙ୍କ ଏପରି ନିଷ୍ପତ୍ତି ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ୩୩ ବର୍ଷୀୟ ପୋଲାର୍ଡ ଦୀର୍ଘ ୧୫ ବର୍ଷ ହେଲା ୱେଷ୍ଟଇଣ୍ଡିଜ ପାଇଁ ଖେଳି ଆସୁଥିଲେ।

ହେଲେ ଏବେ ତାଙ୍କ ୧୫ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର୍‌ରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅନ୍ତର୍ଜାତୀୟ କ୍ରିକେଟକୁ ପୋଲାର୍ଡ ଅଲବିଦା କହିଥିଲେ ହେଁ ଆଇପିଏଲ ଭଳି ବିଭିନ୍ନ ପ୍ରକାରର ଟି-୨୦ ଲିଗ୍‌ ଖେଳିବେ। ୨୦୧୯ ମସିହାରୁ ପୋଲାର୍ଡ ୱେଷ୍ଟଇଣ୍ଡିଜ ଟିମ୍‌ର ଦିନିକିଆ ଓ ଟି-୨୦ ଅଧିନାୟକ ଦାୟିତ୍ୱରେ ରହିଥିଲେ।

ଗତବର୍ଷ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ମଧ୍ୟରେ ଦଳର କମାଣ ସମ୍ଭାଳିଥିଲେ। ପୋଲାର୍ଡ ଇଣ୍ଡିଜ ପାଇଁ ୧୨୩ଟି ଦିନିକିଆ ଖେଳି ୨୭୦୬ ରନ କରିଛନ୍ତି। ଏଥିସହ ୫୫ଟି ୱିକେଟ ମଧ୍ୟ ନେଇଛନ୍ତି। ଟି-୨୦ରେ ତାଙ୍କ ଜଲୱା ବେଶ ଦେଖିବାକୁ ମିଳିଥାଏ। ସେ ନିଜର ଦେଶ ପାଇଁ ୧୦୧ ଟି-୨୦ ମ୍ୟାଚରେ ୧୫୬୮ ରନ୍‌ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୩୫.୧୪।

ଫେବୃଆରୀ ୨୦୨୨ରେ ଶେଷଥର ପାଇଁ ସେ ଭାରତ ବିପକ୍ଷରେ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିଥିଲେ। ତେବେ ଇଣ୍ଡିଜ୍‌କୁ ଏହି ସିରିଜ୍‌ ହାରିବାକୁ ପଡ଼ିଥିଲା।

୨୦୧୨ରେ ୱେଷ୍ଟଇଣ୍ଡିଜ୍‌ ଟି-୨୦ ବିଶ୍ୱକପ ଜିତିଥିଲା। ଏହି ବିଶ୍ୱ ବିଜୟୀ ଟିମ୍‌ରେ ପୋଲାର୍ଡ ରହିଥିଲେ। ୨୦୧୬ ଟି-୨୦ ବିଶ୍ୱକପରେ ପୂର୍ବରୁ ସେ ଆହତ ହେବାରୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିଥିଲେ। ୨୦୧୬ରେ ଡାରେନ ସାମୀଙ୍କ ଇଣ୍ଡିଜ୍‌ ପୁଣି ବିଶ୍ୱକପ ଜିତିଥିଲା।

ଟି-୨୦ ଫର୍ମାଟରେ ପୋଲାର୍ଡ ତୃତୀୟ ସର୍ବାଧିକ ରନ୍‌ ହାସଲକାରୀ କ୍ରିକେଟର। ସେ ୫୮୭ଟି ଟି-୨୦ରେ ୧୧,୫୦୯ ରନ କରିଛନ୍ତି। ନିଜର ଅବସର ସମ୍ପର୍କରେ ପୋଲାର୍ଡ ଆଜି ସୋଶାଲ ମିଡିଆରେ ଘୋଷଣା କରିଛନ୍ତି। ସେ କହିଛନ୍ତି, “ବହୁତ କିଛି ଚିନ୍ତା କରିବା ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.