mobile header

ବାହାଘରର ୪ ମାସ ପରେ ମାଡ ମାରି ଘରୁ ତଡିଦେଲେ, ଶାଶୂ କହିଲେ-ଆଉ ଏଠାକୁ ଆସିବୁନି…

ବ୍ରହ୍ମପୁରରେ ତପସ୍ୱିନୀଙ୍କ ପରି ରାଜଧାନୀରେ ଅନୁରୂପ ଘଟଣା । ଜଣେ ୬ ମାସର ଗର୍ଭବତୀ ବୋହୂଙ୍କୁ ଘରେ ପଶିବାକୁ ନ ଦେବାରୁ ସେ ଶାଶୂ ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି । ଏଥିସହ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ।

ଖବର ଅନୁଯାୟୀ, ବାଲେଶ୍ୱର ଚନ୍ଦନେଶ୍ୱରର ସୁଚିତ୍ରା ପାତ୍ର ୨୦୨୧ ମାର୍ଚ୍ଚ ୩ ତାରିଖରେ ଡୁମୁଡୁମା ଫେଜ୍‌-୨ର ମନୋରଞ୍ଜନ ପାତ୍ରଙ୍କୁ ବିବାହ କରିଥିଲେ । ବିବାହର କିଛିଦିନ ପରେ ସ୍ୱାମୀ ମନୋରଞ୍ଜନଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସଂପର୍କ ଥିବା ଜାଣିବାକୁ ପାଇଥିଲେ । ସୁଚିତ୍ରା ପଚାରିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଲା । ମଝିରେ ଶାଶୂ ଓ ନଣନ୍ଦ ପଶି ଓଲଟି ସୁଚିତ୍ରାଙ୍କୁ ଗାଳିଗୁଲଜ କରିଥିଲେ । ଶେଷରେ ସମସ୍ତେ ମିଶି ତାଙ୍କୁ ମାଡ଼ ମାରିଥିଲେ । ବିବାହର ୪ ମାସ ପରେ ଘର ଲୋକଙ୍କୁ ଡାକି ସୁଚିତ୍ରାଙ୍କୁ ପଠାଇ ଦେଇଥିଲେ । ବାପ ଘରେ ଦେଢ଼ ମାସ ରହିବା ପରେ ସୁଚିତ୍ରାଙ୍କ ମାମୁଁ-ମାଇଁ ତାଙ୍କୁ ଆଣି ଶାଶୂ ଘରେ ଛାଡ଼ିଥିଲେ । ହେଲେ ସୁଚିତ୍ରାଙ୍କ ଶାଶୂ ତାଙ୍କୁ ଘରେ ପୂରାଇ ଦେଇ ନଥିଲେ । ମାମୁ-ମାଇଁ ବହୁ କାକୁତିମିନତି ହୋଇ ସୁଚିତ୍ରାଙ୍କୁ ଶାଶୂ ଘରେ ଛାଡ଼ି ଯାଇଥିଲେ । ୧୫ ଦିନ ପରେ ସୁଚିତ୍ରାଙ୍କ ଦେହ ଖରାପ ହୋଇଥିଲା । ସେ ଘର ଲୋକଙ୍କୁ ଫୋନ୍‌ କରିବାକୁ କହିବାରୁ ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନିଆ ଯାଇଥିଲା । ଏପରିକି ଶାଶୂ ମାଡ଼ ମାରି ସୁଚିତ୍ରାଙ୍କ କାନ ଫଟାଇ ଦେଇଥିଲେ ।

ସେପଟେ ଖବରପାଇ ସୁଚିତ୍ରାଙ୍କ ମା’ ଆସି ପହଞ୍ଚିବାରୁ ତାଙ୍କୁ ସ୍ୱାମୀ, ଶାଶୂ ଓ ନଣନ୍ଦ ମିଶି ଗାଳି କରିବା ସହ ସୁଚିତ୍ରାଙ୍କୁ ସାଙ୍ଗରେ ନେଇଯିବାକୁ କହିଥିଲେ । ଶେଷରେ ସୁଚିତ୍ରାଙ୍କୁ ତାଙ୍କ ମା’ ଘରକୁ ନେଇ ଆସିଥିଲେ । ଏହାପରେ ସୁଚିତ୍ରା ସ୍ୱାମୀଙ୍କ ସହ ମୋବାଇଲରେ ଯୋଗାଯୋଗ କଲେ ସେ ଫୋନ୍‌ ଉଠାଉ ନଥିଲେ । ଶାଶୂଙ୍କୁ ଫୋନ୍‌ କରିବାରୁ ଏଠାକୁ ଆଉ ଆସିବୁନି, ଆସିଲେ ଘରେ ପୂରାଇ ଦେବିନି ବୋଲି କହିଥିଲେ ।

ସୋମବାର ସୁଚିତ୍ରା ଆସି ଶାଶୂ ଘରେ ପହଞ୍ଚିବାବେଳକୁ ଘରେ ତାଲା ପଡ଼ିଥିଲା । ସ୍ୱାମୀ ଓ ଶାଶୂ ନଥିବା ଦେଖିବାକୁ ପାଇଥିଲେ । ଶାଶୂଙ୍କୁ ଯୋଗାଯୋଗ କରିବାରୁ ସେ ଯେମିତି ଆସିଛୁ ସେମିତି ବାପ ଘରକୁ ପଳା ବୋଲି କହିଥିଲେ । ଶେଷରେ ସୁଚିତ୍ରା ତାଙ୍କ ସ୍ୱାମୀଙ୍କ ଘରେ ପଶିବାକୁ ମଙ୍ଗଳବାର ସନ୍ଧ୍ୟାଠାରୁ ବାରଣ୍ଡାରେ ଧାରଣାରେ ବସିଛନ୍ତି । ପାଖପଡ଼ୋଶୀ ମହିଳାମାନେ ଆସି ତାଙ୍କୁ ଖାଇବା ପିଇବାକୁ ଦେବା ସହ ସହାୟତା କରୁଛନ୍ତି । ଏନେଇ ସୁଚିତ୍ରା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କୁ ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.