mobile header

ମୋ କଲେଜ’ ଅଭିଯାନ ଅଧୀନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ

ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୋ’କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଏହି ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ କ୍ୟାରିୟର ସୁଯୋଗ ବିଷୟରେ ପରାମର୍ଶ ଦେଇଥିଲେ।
‘‘ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଜୀବନ ବଡ଼ ଭୂମିକା ଗ୍ରହଣ କରିଥାଏ। ଏହି ସମୟରେ ହିଁ ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତର କ୍ୟାରିୟର ଗଠନ ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି। ତେଣୁ ଏହାକୁ ବାସ୍ତବ ରୂପ ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପଡ଼ିବ। ଏଥିପାଇଁ କଠିନ ପରିଶ୍ରମର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ନିଜ ଭବିଷ୍ୟତର କ୍ୟାରିୟର ଗଠନ ପାଇଁ ଏବେଠୁ ଅଗ୍ରସର ହୁଅନ୍ତୁ’’, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ଏହା କହିଛନ୍ତି।

ମୋ କଲେଜ ଅଧ୍ୟକ୍ଷ ଆହୁରି କହିଥିଲେ ଯେ, ବର୍ତ୍ତମାନର ପ୍ରଗତିଶୀଳ ଦୁନିଆରେ ନାରୀମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ସେମାନେ ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଛନ୍ତି ଏବଂ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ତେଣୁ ପ୍ରତ୍ୟେକ ନାରୀମାନଙ୍କୁ ସେମାନଙ୍କ ଭବିଷ୍ୟତର କ୍ୟାରିୟର ବାଛିବାର ସ୍ୱାଧୀନତା ଦିଆଯିବା ଉଚିତ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷାବିତ, ସ୍ତମ୍ଭକାର ତଥା ‘ଦ ଇଣ୍ଟେଲେକ୍ଟ’ର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ କ୍ୟାରିୟର କାଉନସେଲିଂ ନିହାତି ଦରକାର। ତେଣୁ କଲେଜରେ ପାଠ ପଢ଼ିବା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଏ ବିଷୟରେ ସଠିକ୍ ଭାବେ ଦିଗଦର୍ଶନ ଦେଖାଇପାରିଲେ ହିଁ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହୋଇପାରିବ।

ବିଶିଷ୍ଟ ଲେଖକ ଭଗବାନ ପ୍ରକାଶ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଜୀବନରେ ସଫଳ ହେବା ପାଇଁ ସମସ୍ତଙ୍କୁ ପ୍ରଥମେ ଭଲ ମଣିଷ ହେବା ଦରକାର। ଏହାସହ ଯଦି ଜଣେ ବ୍ୟକ୍ତି ନିଜ କ୍ୟାରିୟରକୁ ସଠିକ୍ ବାଟରେ ନେଇ ପାରିବ ତାହାଲେ ସେ ସଫଳତାର ଶୀର୍ଷକୁ ଯାଇପାରିବ।

ସେହିପରି କ୍ୟାରିୟର କାଉନସେଲିଂ ଏକ୍ସପର୍ଟ ଡକ୍ଟର ସୁଶାନ୍ତ କୁମାର ଦାଶ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କୁ ସମୟ ସହ ସବୁବେଳେ ତାଳ ଦେଇ ଚାଲିବାକୁ ପଡ଼ିବ। କାରଣ ଜୀବନରେ ସମୟର ଯଥେଷ୍ଟ ମୂଲ୍ୟ ରହିଛି। ତେଣୁ ଛାତ୍ର ଜୀବନରୁ ହିଁ ସମସ୍ତଙ୍କୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରି ଆଗକୁ ଯିବାକୁ ପଡ଼ିଥାଏ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗାୟିକା ସୁସ୍ମିତା ଦାସ ରୋଲ ମଡେଲ ଭାବେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଡକ୍ଟର ସସ୍ମିତା ମହାନ୍ତି, ରେଜିଷ୍ଟ୍ରାର ଶ୍ୟାମଳୀ ମହାପାତ୍ର ଉପସ୍ଥିତ ରହି ଛାତ୍ରୀମାନଙ୍କୁ କ୍ୟାରିୟର ଗଠନ ଉପରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କ୍ୟାରିୟର କାଉନସେଲିଂ ସେଲର ଡକ୍ଟର ଦେବବାଳା ସ୍ୱାଇଁ, ଡକ୍ଟର ସୟାନ୍ତିଣୀ ବେହୁରା ଉପସ୍ଥିତ ଥିଲେ। ଡକ୍ଟର ସ୍ନେହଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.