mobile header

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କଲେ ତୋଗାଡିଆ


ସୁନ୍ଦରଗଡ଼: ‘ଦେଶର ଅନେକ ସ୍ଥାନରେ ଆୟୋଜିତ ରାମନବମୀ ଓ ହନୁମାନ ଜୟନ୍ତୀରେ ଆକ୍ରମଣ ହୋଇଛି। କିନ୍ତୁ ଓଡିଶାରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ କେବେ ଏପରି ବିଶୃଙ୍ଖଳା ବା ହିଂସା ଦେଖାଯାଇ ନାହିଁ। ସାରା ବିଶ୍ବର ବିଭିନ୍ନ ବର୍ଗର ଲକ୍ଷ ଲକ୍ଷ ଲୋକ ସାମିଲ ହେଉଥିବା ମହାପ୍ରଭୁଙ୍କ ଏହି ବିଶାଳ ଯାତ୍ରାର ବ୍ଯବସ୍ଥିତ ପରିଚାଳନା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଶିଖିବା ଆବଶ୍ଯକ’। ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସିଥିବା ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ମୁଖ୍ୟ ଡ. ପ୍ରବୀଣ ଭାଇ ତୋଗାଡିଆ ଆୟୋଜିତ ହିନ୍ଦୁ ସମ୍ମିଳନୀରେ ଏହା କହି ରାଜ୍ୟ ସରକାର ଓ ନବୀନଙ୍କୁ ପ୍ରଶଂସା କରିଛନ୍ତି। ଏହା ସହ ଓଡିଶା ବାରମ୍ବାର ସାମ୍ନା କରୁଥିବା ବାତ୍ୟାର ସଫଳ ମୁକାବିଲା ଓ ପୂର୍ବ ପ୍ରସ୍ତୁତିରେ ରାଜ୍ୟ ସରକାରଙ୍କ ଭୂମିକା ସାରା ଦେଶରେ ଉଦାହରଣ ସୃଷ୍ଟି କରିଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନଙ୍କୁ ବିଜେପି ନେତାମାନେ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରୁଥିବା ବେଳେ ବିଜେପିର ଛାମୁଆ ସଂଗଠନର ମୁଖ୍ୟ ଡ. ତୋଗାଡିଆଙ୍କ ପ୍ରଶଂସା ଚର୍ଚ୍ଚାର ବିଷୟ ହୋଇଛି।

ଏହି ଅବସରରେ ହସ୍ପିଟାଲ ରୋଡ୍ ସ୍ଥିତ ଆମ୍ବା ରେସିଡେନ୍ସିରେ ଅନୁଷ୍ଠିତ ସମ୍ମିଳନୀରେ ହିନ୍ଦୁଙ୍କ ସୁରକ୍ଷା ପ୍ରସଙ୍ଗରେ ବକ୍ତବ୍ୟ ରଖି ଡ. ତୋଗାଡିଆ ସଂଗଠିତ ହେବାକୁ ଆହ୍ବାନ ଦେଇଛନ୍ତି। ଛୁଆଁ ଅଛୁଆଁ ଭେଦଭାବକୁ ମୁଳୋତ୍ପାଟନ କରି ସଶକ୍ତ ଓ ସଂଗଠିତ ହିନ୍ଦୁ ସମାଜ ନିର୍ମାଣ ନିମିତ୍ତ ଆଗଭର ହେବାକୁ ସେ ପରାମର୍ଶ ଦେଇଥିଲେ। ତୋଗାଡିଆ ଆହୁରି କହିଛନ୍ତି ଯେ, ଓଡିଶାରେ ୧୯୬୦ ମସିହାରୁ ଗୋ-ହତ୍ୟା ଓ ୧୯୬୭ରୁ ଧର୍ମାନ୍ତରୀକରଣ ବିରୋଧରେ ସଶକ୍ତ ଆଇନ ଥିଲେ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁଦିନ ଯେଭଳି ଗୋ-ହତ୍ୟା ଓ ଧର୍ମାନ୍ତରୀକରଣ ବୃଦ୍ଧି ପାଉଛି ତାହା ଅତ୍ୟନ୍ତ ଚିନ୍ତାଜନକ, ଦଳ ମତ ନିର୍ବିଶେଷରେ ସମସ୍ତ ହିନ୍ଦୁ ଏହାକୁ ବିରୋଧ କରିବା ସମୟ ଆସିଛି। ଏହା ସହ ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସଂଗଠନକୁ ବିସ୍ତାର କରି ସମୃଦ୍ଧ ଓ ସଶକ୍ତ ହିନ୍ଦୁ ସମାଜ ନିର୍ମାଣ ଦିଗରେ ସହଭାଗୀ ହେବାକୁ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ। ୧୧ ଟାରେ ଡ. ତୋଗାଡିଆ ଆମ୍ବା ରେସିଡେନ୍ସିରେ ପହଞ୍ଚିଲା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା |

ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧର୍ମସଭାରେ ସଂଗଠନର ବରିଷ୍ଠ ପଦାଧିକାରୀ ମନୋଜ ସାହୁ, ଦୀପକ ମହାନ୍ତ, ସନ୍ତୋଷ ନାଏକ, ଗଜିନ୍ଦ୍ର ସାଏ, ଲବ ରଣା ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମିଳନୀ ପରେ ଡ.ତୋଗାଡିଆ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଥିଲେ। ତାଙ୍କ ଗସ୍ତକୁ ନେଇ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା |

Leave A Reply

Your email address will not be published.