ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ, ଦୀର୍ଘ ୬ ମାସ ପରେ ହଜିଯାଇଥିବା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ଟଙ୍କା ବ୍ୟାଗ ଫେରି ପାଇଲେ ବୃଦ୍ଧା

ପୁରୀ: ଦୀର୍ଘ ୬ ମାସ ପରେ ହଯି ଯାଇଥିବା ସାମଗ୍ରୀ ଫେରି ପାଇଲେ ୮୪ବର୍ଷୀୟା ବୃଦ୍ଧା। ଶ୍ରୀଜଗନ୍ନାଥ ଅଗ୍ନିଶମ କର୍ମଚାରୀ ମାନସ କୁମାର ପରିଜା ମନ୍ଦିର ଠାରୁ ବୃଦ୍ଧାଙ୍କ ଏହି ସାମଗ୍ରୀ ପାଇଥିବା ବେଳେ ଆଜି ଏହାକୁ ଫେରାଇଛନ୍ତି। ବୃଦ୍ଧାଙ୍କ ଘରର ପଟ୍ଟା ସହ ୧୫ ହଜାର ଟଙ୍କା, ଆଧାର କାର୍ଡ ଫେରାଇଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ।

ଗତ ୬ ମାସ ତଳେ ଡେଲାଙ୍ଗ ଅଞ୍ଚଳର ହର୍ଷମଣି ସାହୁ ପୁରୀ ଆସି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ନିଜ ଟଙ୍କା ଭର୍ତି ବ୍ୟାଗ୍ ହଜାଇ ଦେଇଥିଲେ। ତେବେ ଅଗ୍ନିଶମ ବିଭାଗ କର୍ମଚାରୀ ବୃଦ୍ଧାଙ୍କ ପରିଚୟ ଖୋଜି ପାଇବା ପରେ ଆଜି ତାଙ୍କୁ ତାଙ୍କ ହଜି ଯାଇଥିବା ସାମଗ୍ରୀ ସହ ସେଥିରେ ଥିବା ୧୫ ହଜାର ଟଙ୍କା ଫେରାଇଛନ୍ତି। ଶ୍ରୀଜଗନ୍ନାଥ ଅଗ୍ନିଶମ ସେବା କେନ୍ଦ୍ରର ଏହି କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଥିବା ବେଳେ ସାମଗ୍ରୀ ଫେରି ପାଇଥିବା ବୃଦ୍ଧା ମଧ୍ୟ ବେଶ୍ ଖୁସି ହୋଇଛନ୍ତି।‌

Leave A Reply

Your email address will not be published.