mobile header

ଅପରାଜିତାଙ୍କୁ ପିନାକୀଙ୍କ ଚ୍ୟାଲେଞ୍ଜ । ଖୋଲା ବିତର୍କ ହେଉ, କଣ ଜାଣିଛି ନ ଜାଣିଛି କହିବି ।

ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ ନେଇ ଅପରାଜିତା ଷଡଙ୍ଗୀକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ସେ କହିଛନ୍ତି, ପୁରା କାମ ଆଇନ ଅନୁସାରେ ହୋଇଛି । ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳ କେମିିତି ବେଆଇନ କାମ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ହାଇକୋର୍ଟରେ ଏ ନେଇ ୨ ଥର ଶୁଣାଣି ହେଲାଣି, କୋର୍ଟ କାହିଁକି ଷ୍ଟେ ଦେଉନାହାନ୍ତି ବୋଲି ପିନାକୀ ପ୍ରଶ୍ନ କରିଛନ୍ତି ।

ପିନାକୀ ଆହୁରି କହିଛନ୍ତି, ଜଗନ୍ନାଥଙ୍କ ନାଁରେ ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ କେବେ ସଫଳ ହୋଇନାହାନ୍ତି । ଜଗନ୍ନାଥଙ୍କ ନାଁରେ ହୀନ ରାଜନୀତି କରିବା ଠିକ୍ କଥା ନୁହେଁ । ପ୍ରକଳ୍ପ ପାଇଁ ଏନଏମଏ ଅନୁମତି ଦେଇଛି । ମାମଲା ବିଚାରଧୀନ ଅଛି, ସମସ୍ତେ ଅପେକ୍ଷା କରିବା କଥା । ଜଣେ ପୂର୍ବତନ ଆଇଏଏସ ହୋଇ ଏଭଳି ବିଭ୍ରାନ୍ତିକର ବୟାନ ଦେବା ଠିକ ନୁହେଁ । ଏହାସହ ବିତର୍କ ପାଇଁ ଅପରାଜିତାଙ୍କୁ ଖୋଲା ଆହ୍ୱାନ ଦେଇଛନ୍ତି ପୁରୀ ସାଂସଦ । କଣ ଜାଣିଛି, କଣ ନ ଜାଣିଛି ବିତର୍କରେ କହିବି ବୋଲି କହିଛନ୍ତି ପିନାକୀ ।

ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଭିତରେ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି । କାରରେ ଯାଉଥିବା ବେଳେ ଚନ୍ଦନପୁରରେ ଏକାଧିକ ଗାଡି ନେଇ ପୁରୀ ଯାଉଥିବାରୁ ଅନୁମତି ଦେଇନଥିଲା ପୋଲିସ । ତେଣୁ କିଛି ବାଟ ଚାଲି ଚାଲି ଯାଇଥିଲେ ଅପରାଜିତା । ଏହା ପରେ ମାଳତୀପାଟପୁରରୁ କାରରେ ଯିବା ପାଇଁ ଅନୁମତି ଦେଇଥିଲା ପ୍ରଶାସନ । ଅପରାଜିତାଙ୍କ ସହ ଯାଇଥିବା ଅନ୍ୟ ସମସ୍ତ ଗାଡିକୁ ମଧ୍ୟ ଯିବା ପାଇଁ ଅନୁମତି ଦିଆଯାଇଥିଲା ।

ପୁରୀ ଗସ୍ତ ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅପରାଜିତା । କହିଛନ୍ତି, ଶ୍ରୀମନ୍ଦିରର ସୁରକ୍ଷା ରାଜନୀତିର ଊଦ୍ଧ୍ୱର୍ରେ । ଶ୍ରୀମନ୍ଦିରକୁ ସୁରକ୍ଷା ଦେବା ସମସ୍ତଙ୍କ ଦାୟିତ୍ୱ । ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସମର୍ଥନ କରୁଛନ୍ତି ହେଲେ ଆଇନ ପରିସରରେ ରହି ସରକାର କାମ କରିବା ଉଚିତ୍ ବୋଲି କହିଛନ୍ତି । ଏପର୍ଯ୍ୟନ୍ତ କ’ଣ ପାଇଁ ଗୃହ କମିଟି ଶ୍ରୀମନ୍ଦିର ଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଏସଆଇର ଅନୁମତି ନନେଇ କେମିତି କାମ ହେଲା ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡଙ୍ଗୀ । ସରକାରଙ୍କୁ ୩୦ ଫୁଟ୍ ଗାତ ଖୋଳିବାକୁ କେଉଁ ଇଂଜିନିୟର କହିଲେ । ଜେସିବି ଆସି କେମିତି କାମ କଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀମନ୍ଦିରକୁ ଗଲାବେଳେ ଅପରାଜିତାଙ୍କ ଉପରେ ଟମାଟୋ ମାଡ ହୋଇଛି । ଅରୁଣ ସ୍ତମ୍ଭ ନିକଟରେ ପତିତପାବନ ଦର୍ଶନ ପରେ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ଅପରାଜିତା ଷଡଙ୍ଗୀ ।

Leave A Reply

Your email address will not be published.