mobile header

ଭୟଙ୍କର ଗୋଷ୍ଠୀ ବିବାଦ:ଏଣେ ଜଗନ୍ନାଥ ଦର୍ଶନ, ତେଣେ ବନ୍ଧୁ ମିଳନ ..

ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ବିବାଦ ଚାଲିଥିବା ବେଳେ ପୂର୍ବ ନିର୍ଦ୍ଧାରଣ ମୁତାବକ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ। ଅପରାଜିତା ଜଗନ୍ନାଥ ଦର୍ଶନ ଏବଂ ଆଶୀର୍ବାଦ ପାଇଁ ପୁରୀ ଯିବା ନେଇ ପୁରୀ କଲେକ୍ଟର ଓ ଏସପିଙ୍କୁ ଚିଠି ଲେଖି ଜଣାଇବା ସହ ଆବଶକୀୟ ପଦକ୍ଷେପ ପାଇଁ କଲେକ୍ଟର ଓ ଏସପିଙ୍କୁ ଅବଗତ କରିଥିଲେ। ଅପରାଜିତା ଜଗନ୍ନାଥ ଦର୍ଶନ ପାଇଁ ଯିବା ସମୟରେ ପୋଲିସ୍ ପ୍ରଶାସନ ତାଙ୍କୁ ବାରମ୍ବାର ଅଟକାଇବାକୁ ଚେଷ୍ଟା କରିଥିଲା। ଅପରାଜିତାଙ୍କ ପୁରୀ ଗସ୍ତକୁ ଲକ୍ଷ କରି ସହରରେ ବ୍ୟାପକ ପୋଲିସ୍ ମୁତୟନ ହୋଇଥିଲେ। ଅପରାଜିତାଙ୍କୁ ଅଟକାଇବା ପାଇଁ ହେଉ ଅଥବା ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରାସ୍ତାରେ ବିଭିନ୍ନ ସ୍ଥାନରେ ବ୍ୟାରିକେଟ୍ ନିର୍ମାଣ କରାଯାଇଥିଲା।


ତେବେ, ଶାସକ ବିଜେଡି ପକ୍ଷରୁ ଯାହା ତ’ ବିରୋଧ କରାଯାଉଥିଲା, ବଡ଼ କଥା ହେଲା ନିଜ ଦଳ ବିଜେପି ପକ୍ଷରୁ ଅପରାଜିତାଙ୍କୁ ଅସହଯୋଗ ଏବଂ ଏକ ପ୍ରକାର ବିରୋଧ କରାଯାଇଥିଲା। ଅର୍ଥାତ୍ ଉଭୟ ବିଜେଡି ସରକାର ପକ୍ଷରୁ ଏବଂ ବିଜେପି ପକ୍ଷରୁ ଅପରାଜିତାଙ୍କ ଗସ୍ତକୁ ପ୍ରତ୍ୟେକ୍ଷ ଭାବରେ ଅବା ପରୋକ୍ଷ ଭାବରେ ବିରୋଧ କରାଯାଇଥିଲା। ଗସ୍ତକୁ ଭଣ୍ଡୁର କରିବାକୁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା। ଏଥିରେ ଦଳର କିଛି ଯା’ ଆସ ନାହିଁ, ଏହା ଅପରାଜିତା ବ୍ୟକ୍ତିଗତ କାମ ବୋଲି ବିଜେପି ପକ୍ଷରୁ କୁହାଗଲା। ଦଳରୁ ସେମିତି କେହି ଗଲେନି କି, କେହି ସହଯୋଗ କଲେନି। ପୁରୀ ବିଜେପି ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଘରେ ବସି ରହିଲେ। ସାଥିରେ ମଧ୍ୟ ନଥିଲେ ପୁରୀ ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର। କିନ୍ତୁ, ଅପରାଜିତା ନିଜ ଜିଦିରେ ଅଟଳ ରହିଲେ ଏବଂ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଲେ।
ଏହା ଭିତରେ ଠିକ୍ ସେହି ସମାନ ଦିନ, ଅର୍ଥାତ୍ ଗତ କାଲି ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ। ଭୁବନେଶ୍ୱର ସ୍ଥିତ ଗୋଲାପ ରିସର୍ଟରେ ହୋଇଥିଲା ଏହି ବନ୍ଧୁ ମିଳନ। ମର୍ଟନ୍ ଭୋଜି ହୋଇଥିଲା। ଭୁବନେଶ୍ୱରର ନବ ନିର୍ବାଚିତ କର୍ପୋରେଟରଙ୍କୁ ନେଇ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଦୁଇ ଉପସଭାପତି ଭୃଗୁ ବକ୍ସିପାତ୍ର, ଅନିତା ଶୁଭଦର୍ଶିନୀ, ଦୁଇ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ଦୁଇ ପୂର୍ବତନ ସଙ୍ଗଠନ ସମ୍ପାଦକ ପ୍ରଶ୍ନନ ମିଶ୍ର ଏବଂ ଶାରଦା ପ୍ରସାଦ ଶତପଥି, ମିଡିଆ ସେଲ୍ ପ୍ରମୂଖ ଦିଲ୍ଲୀପ ମଲ୍ଲିକ, ସହ ପ୍ରମୂଖ ସୁଜିତ ଦାସ, ରାଜ୍ୟ ପ୍ରବକ୍ତା ଠାକୂର ରଞ୍ଜିତ ଦାସ ଆଦି ଯୋଗଦେଇଥିଲେ। ଏସବୁ ଘଟଣା ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବଂ ରାଜ୍ୟ ବିଜେପିରେ ଚାଲିଥିବା ଭୟଙ୍କର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଦେଇଛି।

Leave A Reply

Your email address will not be published.