mobile header

ବିଡିଓଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ବିଧାୟକ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ

ଦେବଗଡ଼ର ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ସେ ଓ ତାଙ୍କର ୧୦ରୁ ଅଧିକ ସହଯୋଗୀ ମିଶି ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବିଡିଓ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ବିଧାୟକ ଶ୍ରୀ ପାଣିଗ୍ରାହୀ ପାଲଟା ଅଭିଯୋଗ କରିବା ସହିତ ଥାନାରେ ଏତଲା ଦେଇଛନ୍ତି।

ବିଡିଓ କୃଷ୍ଣଚନ୍ଦ୍ର ଦଳପତି ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଆଜି ସେ ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡ଼ି ଗାଁକୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ଯୁଗ୍ମ ତଦନ୍ତରେ ଯାଇଥିଲେ। ତାଙ୍କ ସହିତ ତହସିଲଦାର ପଲ୍ଲବୀ ନାୟକ, ଦେବଗଡ଼ ରେଭିନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁ, ରାଜସ୍ୱ ନିରୀକ୍ଷକ ଜଲିରାଣୀ ପ୍ରଧାନ ଓ ଛେପିଲିପାଲି ଗ୍ରାମ ରୋଜଗାର ସେବକ ଜଗନ୍ନାଥ ସାହୁ ଉପସ୍ଥିତ ଥିଲେ। ଉକ୍ତ ଗାଁରେ ଥିବା ବେଳେ ଦିନ ସାଢ଼େ ୧୦ଟାରୁ ୧୨ ମଧ୍ୟରେ ତିନୋଟି ନମ୍ବରରୁ ତାଙ୍କ ମୋବାଇଲ୍ ଫୋନ୍‌କୁ କଲ୍ ଆସିଥିଲା। ତାଙ୍କୁ ବିଧାୟକ ଦେଖା କରିବାକୁ ଚାହୁଁଛନ୍ତି ବୋଲି କୁହାଯାଇଥିଲା। ତେବେ ସେ କାମ ସାରି ବିଧାୟକଙ୍କୁ ସାକ୍ଷାତ କରିବେ ବୋଲି କହିଥିଲେ। କିନ୍ତୁ କିଛି ସମୟ ପରେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ତାଙ୍କ ସହଯୋଗୀ ପ୍ରତାପ କୁମାର ପଣ୍ଡା, ରୁନା ପଣ୍ଡା, ଅକାଳୁ ଧଳ, କୁମରମଣି ସାହୁ ଓ ଦେବାଶିଷ କର (ବାବୁଲି)ଙ୍କ ସମେତ ୧୦ରୁ ଅଧିକ କର୍ମୀଙ୍କୁ ଧରି ଭାଲିଆଗୁଡ଼ି ଗାଁରେ ପହଞ୍ଚିଥିଲେ।

ସେମାନେ ସେଠାରେ ପହଞ୍ଚିବା ପରେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଦେଇଥିଲେ। ଏହି ସମୟରେ ପ୍ରତାପ କୁମାର ପଣ୍ଡା ତାଙ୍କୁ ବଳପୂର୍ବକ ଉଠାଇ ନେଇ ବିଧାୟକଙ୍କ ଗାଡ଼ିରେ ଭର୍ତ୍ତି କରିବାକୁ ଉଦ୍ୟମ କରିଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସମେତ ଅନ୍ୟମାନେ ତାଙ୍କ ଠାରୁ ମୋବାଇଲ ଫୋନ୍, ଡାଇରୀ ଓ ଅନ୍ୟାନ୍ୟ ସରକାରୀ କାଗଜପତ୍ର ଲୁଟି ନେଇଥିଲେ। ସେମାନେ ତାଙ୍କୁ ଗାଡ଼ି ମଧ୍ୟକୁ ଘୋଷାଡ଼ି ନେବା ବେଳେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିଲେ। ଏମିତିକି ଜାତିଆଣ ଆକ୍ଷେପ କରିବା ସହିତ ବିଧା, ଗୋଇଠା ଓ ମୁଥା ମାରିଥିଲେ। ସେ ତଳେ ପଡ଼ିଯିବାରୁ ବିଧାୟକଙ୍କ କିଛି ସହଯୋଗୀ ତାଙ୍କୁ ମାରି ଦେବା ଉଦ୍ଦେଶ୍ୟରେ ତାଙ୍କ ଅଣ୍ଡକୋଷକୁ ଗୋଇଠା ମାରିଥିଲେ ବୋଲି ବିଡିଓ ଶ୍ରୀ ଦଳପତି ତାଙ୍କ ଏତଲାରେ ଦର୍ଶାଇଛନ୍ତି।

ବିଡିଓ ଏତଲାରେ ଆହୁରି ଉଲ୍ଲେଖ କରିଛନ୍ତି ଯେ କିଛି ସମୟ ପାଇଁ ସେ ଅଚେତ ହୋଇଯାଇଥିଲେ। ତାଙ୍କ ସହକର୍ମୀମାନେ ତାଙ୍କୁ ଆକ୍ରମଣକାରୀଙ୍କ କବଳରୁ ଉଦ୍ଧାର କରି ଡାକ୍ତରଖାନା ନେଉଥିଲେ। ମାତ୍ର ଅଭିଯୁକ୍ତମାନେ କାଳେ ପୁଣି ଆକ୍ରମଣ କରିବେ, ସେହି ଭୟରେ ସେ ପ୍ରଥମେ ଜିଲ୍ଲାପାଳଙ୍କ ପାଖକୁ ଯାଇ ଘଟଣା ସଂପର୍କରେ ଅବଗତ କରାଇଥିଲେ।

ଘଟଣା ସଂପର୍କରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ସେ ମଧ୍ୟ ବିଡିଓଙ୍କ ବିରୋଧରେ ଏତଲା ଦେଇଛନ୍ତି। ଦେବଗଡ଼ ଏସ୍‌ପି ରାଜକିଶୋର ପାଇକରାୟ କହିଛନ୍ତି ଯେ, ବିଡିଓଙ୍କ ଏତଲା ଅନୁସାରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ବିଧାୟକ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଆକ୍ରମଣ କରିଥିବା ଏତଲାରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ବିଡିଓ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ବିଧାୟକ ମଧ୍ୟ ଏତଲା ଦେଇଛନ୍ତି। ଉଭୟ ପକ୍ଷର ଏତଲା ଅନୁସାରେ ୨ଟି ମାମଲା ରୁଜୁ କରି ତଦନ୍ତ କରାଯାଉଛି।

Leave A Reply

Your email address will not be published.