mobile header

୨୭ ବର୍ଷର ସରକାରୀ ଅବହେଳା

ବଲାଙ୍ଗିର-ଟିଟିଲାଗଡ ରାସ୍ତାରେ ଖର୍ଲିକାନି ଗାଁ । ଅନେକ ଗରିବ ଆଦିବାସୀ ଏଠାରେ ବସବାସ କରନ୍ତି । ୧୯୯୫ ମସିହାରୁ ସରକାର ଚିହ୍ନଟ କରି ୪ଡିସିମିଲ ଲେଖାଏଁ ଜମି ଏଠାକାର ଲୋକଙ୍କୁ ଦେଇଛନ୍ତି । ବିଡମ୍ବନାର ବିଷୟ ଯେ, ଦୀର୍ଘ ୨୭ ବର୍ଷ ପରେ ବି ସରକାରୀ ଅବହେଳା ଯୋଗୁଁ ଜମି ପାର୍ଚ୍ଚା ପାଇଥିବା ଲୋକଙ୍କୁ ଜମି ଚିହ୍ନଟ କରି ଦିଆଯାଇ ନାହିଁ । ଦୀର୍ଘ ବର୍ଷ ହେଲା ପ୍ରଶାସନ ପାଖକୁ ଧାଇଁ ଧାଇଁ ଏମାନେ ନୟନ୍ତ । ଗରିବଙ୍କ କଥା ଶୁଣିବାରେ ସମୟ ନାହିଁ ପ୍ରଶାସନ ଓ ସରକାରଙ୍କ ପାଖରେ । ଓଲଟା ତାଙ୍କୁ ଜମି ଦିଆଯାଇଥିବା ଅଞ୍ଚଳକୁ ସରକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଚିହ୍ନଟ କରିଛନ୍ତି ।
ଝାଟିମାଟି ଘର ପୁଣି ଭାଙ୍ଗି ଯିବାର ଭୟ । ତେଣୁ ୫୦ରୁ ଅଧିକ ଜମି ପାର୍ଚ୍ଚା ପାଇଥିବା ଆଦିବାସୀ ଲୋକେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୭ ବର୍ଷର ଅବହେଳା ବିଷୟରେ ବଖାଣିଥିଲେ । ରବିବାର ସକାଳେ ବିଧାୟକ ଶ୍ରୀ ମିଶ୍ର ତହସିଲଦାର ମଘବାନ ବାଗ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀଙ୍କ ସହ ଗାଁରେ ପହଞ୍ôଚ ଥିଲେ । ସେଠାରେ ଦେଖାଯାଇଥିଲା ସରକାର ଲୋକଙ୍କୁ ପାର୍ଚ୍ଚା ଦେଇଛନ୍ତି, ବର୍ଷକୁ ବର୍ଷ ଜମି ବାବଦରେ ଖଜଣା ମଧ୍ୟ ନେଉଛନ୍ତି । କିନ୍ତୁ ପରିତାପର ବିଷୟ, ସରକାରଙ୍କ ପାଖରେ ଜମିର ନକଲ, ନକ୍ସା କିଛି ନଥିବା ଅଧିକାରୀମାନେ କହୁଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ରେକର୍ଡ ନଥାଇ ସରକାର କିପରି ଖଜଣା ଆଦାୟ କରୁଛନ୍ତି ।

ତେଣୁ ବିଧାୟକ ମିଶ୍ର ତୁରନ୍ତ ପାର୍ଚ୍ଚା ପାଇଥିବା ଲୋକଙ୍କୁ ତାଙ୍କର ଜମି ଚିହ୍ନଟ ସହ ଅଧିକ ୪୦ରୁ ୫୦ ଜଣ ଭୂମିହୀନ ଆଦିବାସୀଙ୍କୁ ତୁରନ୍ତ ଏହି ଜାଗାରେ ଘରଟିଏ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ପିଇବା ପାଣି ପାଇଁ ଏକ ନଳକୂଅ ଖୋଳିବା ପାଇଁ ଉପସ୍ଥିତ ଥିବା ଗ୍ରାମ୍ୟ ଜଳଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ପରିପ୍ରେକ୍ଷୀରେ ସମସ୍ତ ପାର୍ଚ୍ଚା ପାଇଥିବା ଜମି ହିତାଧିକାରୀଙ୍କୁ ଏକ ନୋଟିସ ଜାରି କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିସହିତ ଆଦିବାସୀ ଭୂମିହୀନମାନେ ପାଇଥିବା ପାର୍ଚ୍ଚା ଅଞ୍ଚଳରେ ବୃଦ୍ଧାଶ୍ରମ ପାଇଁ ସରକାରଙ୍କ ପକ୍ଷରୁ ଜାଗା ଚିହ୍ନଟ କରାଯାଇଥିବା ଜଣାପଡିଛି । ତେଣୁ ବିଧାୟକ ଶ୍ରୀ ମିଶ୍ର ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା, ତହସିଲଦାର ଶ୍ରୀ ବାଗ ତଥା ଗ୍ରାମ୍ୟ ଜଳଯୋଗାଣ ଅଧିକାରୀ ମିଳିତ ଭାବରେ ଆସି ଗରିବ ଆଦିବାସୀମାନଙ୍କୁ ସେମାନେ ପାଇଥିବା ପାର୍ଚ୍ଚା ଜମି ଚିହ୍ନଟ ସହ ଭୂମିହୀନଙ୍କ ପାଇଁ ସେଠାରେ ଜମିର ବନ୍ଦୋବସ୍ତ କରିବାର ବ୍ୟବସ୍ଥା କରାଯିବ ବୋଲି ଗ୍ରାମବାସୀଙ୍କୁ ବିଧାୟକ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି । ଯଦି ପ୍ରଶାସନ ଓ ସରକାର ଗରିବ ଆଦିବାସୀ ଭୂମିହୀନଙ୍କୁ ତଥା ପାର୍ଚ୍ଚା ପାଇଥିବା ଆଦିବାସୀମାନଙ୍କୁ ଜମି ଚିହ୍ନଟ କରି ପ୍ରଦାନ ନକରେ ତେବେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.