mobile header

ବାଘ’ ଇଲାକାରେ ‘ଭାଲୁ’ ଦାଦାଗିରି ଚଳିବନି

ଜୟପୁର ବିଧାୟକ ତାରା ବାହିନୀପତିଙ୍କୁ ନିଶାଣ କରିଛି ବିଜେଡି। ‘ବାଘ’ର ଇଲାକାରେ ‘ଭାଲୁ’ର ଦାଦାଗିରିକୁ ବରଦାସ୍ତ କରାଯିବନାହିଁ ବୋଲି ବିଜେଡି ବିଧାୟକ ମନୋହର ରନ୍ଧାରୀ କହିଛନ୍ତି । ଗତ ୪ ତାରିଖରେ ପାପଡାହାଣ୍ଡି ବ୍ଲକ ସମ୍ମୁଖରେ ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ୨ ଦିନିଆ ଗଣଧାରଣା ଦିଆଯାଇଥିବା ବେଳେ ଏଥିରେ ସାମିଲ ହୋଇଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଶ୍ରୀ ବାହିନୀପତି ଧାରଣାରେ ସାମିଲ ହେବାପରେ ସେ ଧାରଣା ସ୍ଥଳରେ ପାପଡାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦୁର୍ନୀତିଗସ୍ତ ଅଧିକାରୀ ବୋଲି ସମାଲୋଚନା କରିବା ସହିତ ତାଙ୍କ ସହିତ ଉଚ୍ଚବାଚ ତଥା କଟାକଟି ମଧ୍ୟ କରିଥିଲେ।
ଜଣେ କାର୍ଯ୍ୟରତ ମହିଳାଙ୍କୁ କଂଗ୍ରେସ ବିଧାୟକ ଏବଂ କର୍ମୀଙ୍କ ଦୁର୍ବ୍ୟବହାର ଅଭିଯୋଗ ଆଣି ଶୁକ୍ରବାର ପାପଡାହାଣ୍ଡି ବ୍ଲକ ବିଜେଡି ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା। ଶତାଧିକ ମହିଳା ଏବଂ ପୁରୁଷ ବିଜେଡି କର୍ମୀ ସାମିଲ ହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିବା ସହ ଏକ ସାମ୍ବାଦିକ ସମିଳନୀରେ କଂଗ୍ରେସକୁ ନିଶାଣ କରିଛନ୍ତି। ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ ସିଧାସଳଖ ଶ୍ରୀ ବାହିନୀପତିଙ୍କୁ ନିଶାଣ (ଟାର୍ଗେଟ) କରି ଜଣେ ଦଳିତ ମହିଳାଙ୍କୁ କଂଗ୍ରେସ କର୍ମୀଙ୍କ ସହ ଘେରି ଦୁର୍ବ୍ୟବହାର କରିବା ବିଜେଡି ବରଦାସ୍ତ କରିବନାହିଁ। ଆମ ଅଞ୍ଚଳର ସମସ୍ୟା ଆମେ ବୁଝିବାକୁ ଅଛୁ, ସେ ତାଙ୍କ ଅଞ୍ଚଳର ସମସ୍ୟା ବୁଝନ୍ତୁ ବୋଲି ଶ୍ରୀ ରନ୍ଧାରୀ ରୋକ୍‌ଠୋକ୍‌ କହିଛନ୍ତି। ନବରଙ୍ଗପୁର ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବ୍ଲକ ଅଧ୍ୟକ୍ଷା ହେମଲତା ମାଝୀ, ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ଜିଲାପରିଷଦ ସଭ୍ୟ ଯଶବନ୍ତ ନାୟକ, ନବରଙ୍ଗପୁର ଜିଲା ଯୁବ ବିଜେଡି ସଭାପତି ଶିବା ବିଷୋୟୀ, ପାପଡାହାଣ୍ଡି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲ୍ଲିକ ପ୍ରମୁଖ କଂଗ୍ରେସ ଉପରେ ବର୍ଷିବା ସହ ଆଗାମୀ ଦିନରେ କଂଗ୍ରେସର ଏପରି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସୁରକ୍ଷାରେ ବିଜେଡି ଏକାଠି ହୋଇ କଂଗ୍ରେସ ଓ ବିଧାୟକ ତାରାଙ୍କୁ ନିଶାଣ କରିବା ଏଠାରେ ଭିନ୍ନ ରାଜନୈତିକ ସ୍ଥିତି ସୃଷ୍ଟି କରିଛି।

Leave A Reply

Your email address will not be published.