mobile header

ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲ୍ଲା, ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳନ କରିବାକୁ ନିଷ୍ପତି

ବୌଦ୍ଧ-ପ୍ରତିବର୍ଷ ବୁଦ୍ଧ ଜୟନ୍ତୀ କମିଟି ତରଫରୁ ବୁଦ୍ଧ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଗତ ୨ବର୍ଷ କୋଭିଡ କଟକଣା ଯୋଗୁଁ ସାଧାରଣ ଭାବେ ପାଳନ କରାଯାଇଥିଲା । ଗତବର୍ଷ ବୌଦ୍ଧଜିଲ୍ଲା ପ୍ରଶାସନର ଉଦ୍ୟମରେ ବୁଦ୍ଧ ଜୟନ୍ତୀ ଦିନକୁ ଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରାଯାଇଥିବା ବେଳେ ଚଳିତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଦ୍ଧ ପୁର୍ଣ୍ଣିମାକୁ ସରକାରୀ ଛୁଟି ଘୋଷଣା କରାଯାଇଅଛି । ଚଳିତ ବର୍ଷ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ପାଳନ କରିବା ପାଇଁ ଅନୁରୋଧ କରିବା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ମହା ସମାରୋହରେ ପାଳନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବୁଦ୍ଧଙ୍କ ନାମରେ ନାମିତ ହୋଇଥିବା ବୌଦ୍ଧଜିଲ୍ଲାର ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ ପରିସରରେ ନିର୍ବାଚିତ ପ୍ରତିନିଧିମାନଙ୍କ ନେତୃତ୍ୱରେ ଚଳିତ ବର୍ଷ ପ୍ରତିମୂର୍ତି ଏବଂ ଆସନ୍ତା ବର୍ଷ ପଥରର ପ୍ରତିମୂର୍ତି ସ୍ଥାପନ କରିବା ପାଇଁ ଅନୁରୋଧ କରାଯାଇଥିଲା । ବୁଦ୍ଧ ଜୟନ୍ତୀ କମିଟି ତରଫରୁ ବିଭିନ୍ନ କାର୍ଯ୍ୟାଳୟର ମୁଖ୍ୟ ଦ୍ୱାରରେ ବୁଦ୍ଧଙ୍କ ପ୍ରତିମୂର୍ତି ସ୍ଥାପନା କରିବା ପାଇଁ ପ୍ରସ୍ତାବ ଆଗତ କରାଯାଥିଲା । ବୌଦ୍ଧଜିଲ୍ଲାର ପ୍ରବେଶ ଦ୍ୱାରର ଉଭୟ ପଟରେ ଆସନ୍ତା ବୁଦ୍ଧ ଜୟନ୍ତୀ ଦିନ ବୁଦ୍ଧ କିର୍ତୀରାଜୀ ଏବଂ ବୌଦ୍ଧଗଡ ଏନ୍‌.ଏ.ସି. ଏବଂ ତିନି ବ୍ଲକର କାର୍ଯ୍ୟାଳୟ ପରିସରରେ ବୁଦ୍ଧଙ୍କ ପ୍ରତିମା ସ୍ଥାପନ କରିବା ପାଇଁ ଚେୟାରମ୍ୟାନମାନଙ୍କୁ ଅନୁରୋଧ କରାଯାଇଥିଲା । ଆଜି ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପରିସରରେ ଚେୟାରମ୍ୟାନ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଦ୍ଧ ଜୟନ୍ତୀ କମିଟିର ସଦସ୍ୟମାନଙ୍କ ସହିତ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୬ ତାରିଖ ଦିନ ସକାଳ ସମୟରେ ପ୍ରତ୍ୟେକ କୀର୍ତିରାଜୀରେ ପୁଜାଧ୍ୱଜା କରିବା ସହିତ ସଂଧ୍ୟାରେ ବୌଦ୍ଧ ସହରର ରାମନାଥ ମନ୍ଦିର ପରିସରରୁ ଏକ ଶାନ୍ତି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବୁଦ୍ଧ ପାର୍କଠାରେ ଏକ ସାଧାରଣ ସଭା ଆୟୋଜନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସଂଧ୍ୟାରେ ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀପଦାନ କରିବା ପାଇଁ ଅନୁରୋଧ କରାଯାଇଛି । ଶ୍ୟାମସୁନ୍ଦରପୁର ଓ ପରଗଳପୁର ଠାରେ ରହିଥିବା ଐତିହାସିକ କୀର୍ତିରାଜୀ ପରିସରରେ ମହା ସମାରୋହରେ ପାଳନ କରିବା ପାଇଁ ବୈଠକରେ ଚୂଡାନ୍ତ ହୋଇଥିବା ପ୍ରକାଶ ପାଇଛି । ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକୃ ସ୍ୱାଇଁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଉପସ୍ଥିତ ରହିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଅନୁଷ୍ଠିତ ଜିଲ୍ଲା ପରିଷଦ ସଭାରେ ସଦସ୍ୟ ବିଶ୍ୱଜିତ୍ ମିଶ୍ର ବୁଦ୍ଧ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତାବ ଦେବାପରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । ସଂଧ୍ୟାରେ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ ମହା ସମାରୋହରେ ପାଳନ କରିବା ପାଇଁ ଆଲୋଚନା କରାଯାଇଥିଲା । ବୈଠକରେ ଆବାହକ ଦେବାଶିଷ ପୁରୋହିତ, ସତ୍ୟନାରାୟଣ ହୋତା, ସୁଜ୍ଞାନ କୁମାର ପାତ୍ର, ଶଶାଙ୍କ ଶେଖର ମିଶ୍ର, କୃତିବାସ ପଲିଆ, ସମ୍ପଦ କୁମାର ଅଗ୍ରଓ୍ୟାଲା, ବାବୁଲା ମହାପାତ୍ର, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି, ଅଧ୍ୟାପକ ଲଳିତ କୁମାର ମେହେର, ଜୟ ନାରାୟଣ ମହାନ୍ତି, ସମୀର କୁମାର ସାହୁ, ସ୍ୱାଧିନ ପରିଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.