mobile header

ମାଣିକ ସାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ

ବିପ୍ଲବ କୁମାର ଦେବ ଶନିବାର ଦିନ ଅଗରତାଲାରେ ରାଜ ଭବନରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟଙ୍କ ନିକଟରେ ଇସ୍ତଫା ଦେବା ପରେ ବିଜେପି, ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଡଃ ମାଣିକ ସାହାଙ୍କୁ ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିଛି।

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଡଃ ମାଣିକ ସାହା କହିଛନ୍ତି: “ମୋତେ ରାଜ୍ୟ ସଭାପତି ଦାୟିତ୍ତ୍ୱ ଦିଆଯାଇଛି। ମୁ କାମ କରିଛି। ବର୍ତ୍ତମାନ ମୋତେ ବିଧାୟକ ଦଳର ନେତା ଭାବେ ମନୋନୀତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋର ନାମ ପ୍ରସ୍ତାବ ଦେଇଥିଲେ, ସମସ୍ତେ ସମର୍ଥନ କରିଛନ୍ତି।”

ସୂଚନାଯୋଗ୍ୟଯେ, ଆସନ୍ତା ବର୍ଷ ୬୦ ସଦସ୍ୟ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟରେ ସିପିଏମ୍ ନେତୃତ୍ୱାଧୀନ ବାମପନ୍ଥୀ ସରକାରଙ୍କ ୨୫ ବର୍ଷର ଶାସନକୁ ସମାପ୍ତ କରି ୨୦୧୮ ରେ ବିଜେପି କ୍ଷମତାକୁ ଆସିଥିଲା।

କିନ୍ତୁ ଏଥର ତୃଣମୂଳ କଂଗ୍ରେସ ବିଜେପିକୁ କଡ୍ଡା ଟକ୍କର ଦେବ ବୋଲି ଇଣ୍ଟରନାଲ ସର୍ଭେରୁ ଜଣାପଡ଼ୁଛି।

ତ୍ରିପୁରାରେ ବିଧାନସଭା ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ବିଜେପି ଏହାର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇଛି। ବାମପନ୍ଥୀ ସରକାରକୁ ହଟାଇବା ପରେ ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପିର ନେତୃତ୍ୱ ନେଇଥିବା ବିପ୍ଲବ ଦେବ ଶନିବାର ଇସ୍ତଫା ଦେଇଛନ୍ତି। କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ବିଦାୟୀ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଏବେ ରାଜ୍ୟର ନେତୃତ୍ତ୍ୱ ରାଜ୍ୟ ସଭାପତି ଡକ୍ଟର ମାଣିକ ସାହାଙ୍କ ହାତରେ ରହିବ। ବିଜେପିର ରାଜ୍ୟ ୟୁନିଟ୍ ସଭାପତି ଡକ୍ଟର ସାହା ବୃତ୍ତିରେ ଜଣେ ଦନ୍ତ ଚିକିତ୍ସକ ଅଟନ୍ତି। ଶନିବାର ଦିନ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୁପେନ୍ଦ୍ର ଯାଦବ ଏବଂ ବିନୋଦ ତାୱଡେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି।

ମାଣିକ ସାହା କିଏ?

ଡକ୍ଟର ମାଣିକ ସାହା ବୃତ୍ତି ଅନୁଯାୟୀ ଜଣେ ଦନ୍ତ ଚିକିତ୍ସକ ଅଟନ୍ତି। ରାଜନୀତିରେ ଯୋଗଦେବା ପୂର୍ବରୁ ସେ ତ୍ରିପୁରା ମେଡିକାଲ କଲେଜ ହାପାନିଆର ଶିକ୍ଷକ ଥିଲେ। ଡକ୍ଟର ସାହା ୨୦୧୬ ରେ ବିଜେପିରେ ଯୋଗ ଦେଇଥିଲେ। ବିପ୍ଲବ ଦେବ ସେତେବେଳେ ବିଜେପିର ରାଜ୍ୟ ସଭାପତି ଥିଲେ। କଂଗ୍ରେସରୁ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ସାହା, ବିପ୍ଲାବ ଦେବଙ୍କ ସହ ରାଜ୍ୟରେ ବିଜେପି ସରକାର ଗଠନ କରିବାରେ ବିଶେଷ ଅବଦାନ ରଖିଥିଲେ। ୨୦୧୮ ରେ ରାଜ୍ୟରେ ବିଜେପି ସରକାର ଗଠନ ହୋଇଥିଲା। ପ୍ରାୟ ୨୫ ବର୍ଷର ଶାସନ ପରେ ବାମପନ୍ଥୀ ସରକାରଙ୍କର ରାଜ୍ୟରେ ପତନ ଘଟିଥିଲା। ତାଙ୍କର ଅବଦାନ ପାଇଁ କେନ୍ଦ୍ରୀୟ ନେତୃତ୍ୱ ଉଭୟ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ତ୍ୱ ଦେଇଛନ୍ତି। ଯେତେବେଳେ ବିପ୍ଲବ ଦେବ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ, ୨୦୨୦ ମସିହାରେ ବିଜେପି, ଡକ୍ଟର ମାଣିକ ସାହାଙ୍କୁ ରାଜ୍ୟ ୟୁନିଟର ସଭାପତି କରିଥିଲା। କେବଳ ଏତିକି ନୁହେଁ ଚଳିତ ବର୍ଷ ଡକ୍ଟର ସାହାଙ୍କୁ ବିଜେପି ପକ୍ଷରୁ ରାଜ୍ୟସଭାକୁ ପଠାଯାଇଥିଲା। ସେ ହେଉଛନ୍ତି ରାଜ୍ୟର ଏକମାତ୍ର ସାଂସଦ। ଡକ୍ଟର ସାହା ତ୍ରିପୁରା କ୍ରିକେଟ୍ ଆସୋସିଏସନର ସଭାପତି ମଧ୍ୟ ଅଟନ୍ତି।

ଡକ୍ଟର ମାନିକ ସାହା ୧୯୫୩ ରେ ଜନ୍ମଗ୍ରହଣ କରିଥିଲେ। ସେ ବର୍ତ୍ତମାନ ୬୯ ବର୍ଷସ୍କ ଅଟନ୍ତି। ସାହା ତ୍ରିପୁରାର ଏକାଦଶ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ତ୍ୱ ଗ୍ରହଣ କରିବେ। ଆସନ୍ତା ବର୍ଷ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ବିଜେପି ବିଜୟ ହାସଲ କରିବାକୁ ଡକ୍ଟର ମାଣିକ ସାହାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ତ୍ୱ ରହିବ। ଡାକ୍ତରୀ ଶିକ୍ଷକଙ୍କ ପାଇଁ ସବୁଠାରୁ ବଡ ଆହ୍ୱାନ ହେବ ବିପ୍ଲବ ଦେବଙ୍କ ଚାରି ବର୍ଷ କାର୍ଯ୍ୟକାଳ ମଧ୍ୟରେ ସରକାରଙ୍କ ପ୍ରତି ଥିବା ଅସନ୍ତୋଷକୁ ହଟାଇ ନିର୍ବାଚନରେ ​​ଲୋକଙ୍କର ଆଶୀର୍ବାଦ ପାଇବା।

Leave A Reply

Your email address will not be published.