ପୋଷା ହାତୀ ନନ୍ଦ ଗୁରୁତର, ୧୦ ବର୍ଷ ଧରି ଶିକୁଳିରେ ବନ୍ଧା ପଡିଛି ଜୀବନ

ଚନ୍ଦକା ଗୋଡିବାରୀରେ ଥିବା ପୋଷା ହାତୀ ନନ୍ଦ ଏବେ ଗୁରୁତର । ଦୁଇ ଦିନ ଧରି ଖାଇବା ପିଇବା ଛାଡିବା ପରେ ଆଜି ସକାଳେ ନନ୍ଦର ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ଓୟୁଏଟି ବିଶେଷଜ୍ଞ ଟିମ୍ ଚିକିତ୍ସା କରୁଛନ୍ତି। ଚନ୍ଦକା ଉପନିର୍ଦ୍ଦେଶକ ମଧ୍ୟ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ସବୁଠୁ ବଡ଼ ପ୍ରଶ୍ନ ଏପରି ସ୍ଥିତି ଉପୁଜିଲା କାହିଁକି । ଆଗକୁ ଯଦି ନନ୍ଦ ହାତୀର କିଛି ହୋଇଯାଏ ତେବେ ଦାୟୀ ରହିବ କିଏ ।

ଚନ୍ଦକା ହାତୀ ନନ୍ଦ ଗୁରୁତର ଅସୁସ୍ଥ । ଆଜି ସକାଳେ ହଠାତ ନନ୍ଦ ଟଳି ପଡିଥିଲା । ଏମିତିକି ଦୀର୍ଘ ସମୟ ଧରି ଚେତା ହରାଇଥିଲା । ଓୟୁଏଟି ବିଶେଷଜ୍ଞ ଟିମ୍ ହାତୀକୁ ସାଲାଇନ ଦେବା ସହ ଚିକିତ୍ସା କରୁଛନ୍ତି । ଚନ୍ଦକା ଉପନିର୍ଦ୍ଦେଶକଙ୍କ ସହ ଅନ୍ୟ ବନ ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି । ତେବେ ଏମିତି ସ୍ଥିତି ଉପୁଜିଲା କାହିଁକି ? କୁଙ୍କି ତାଲିମ ପାଇଁ ଆସିଥିବା ନନ୍ଦକୁ ଗତ ୧୦ବର୍ଷ ଧରି ଗୋଡିବାରି ଭିତରେ ଶିକୁଳି ପକାଇ ରଖାଯାଇଛି । କିଛି ଦିନ ତଳେ ତାକୁ ଟ୍ରାଙ୍କୁଲାଇଜ୍ କରି ଚନ୍ଦକା ଭିତରେ ତିଆରି ହୋଇଥିବା ରେସ୍କ୍ୟୁ ସେଣ୍ଟରକୁ ନେବା ଲାଗି ଚେଷ୍ଟା କରାଯାଉଥିଲା । ଅସୁସ୍ଥ ଥିବା ନନ୍ଦକୁ ଟ୍ରାଙ୍କୁଲାଇଜ୍ କରିବା ନେଇ ସ୍ଥାନୀୟ ଲୋକ, ପରିବେଶବିତ ଏବଂ ବିଶେଷଜ୍ଞମାନେ ନାପସନ୍ଦ କରିଥିଲେ । ତେବେ ବାରମ୍ବାର ଟ୍ରାଙ୍କୁଲାଇଜେସନ୍ ପ୍ରଭାବରେ ନନ୍ଦ ଗୁରୁତର ହୋଇ ପଡିଛି ନା ଏବେ ପୁଣିଥରେ ଟ୍ରାଙ୍କୁଲାଇଜ୍ କରାଯାଇଛି ।

କୁହାଯାଉଛି, ସେ ମାହୁନ୍ତ କଥା ମାନି ଅନେକ ଥର ନନ୍ଦକାନନନ ଆସିଛି, ଜଙ୍ଗଲ ବୁଲିଛି । ତେବେ ତାକୁ ରେସ୍କ୍ୟୁ ସେଣ୍ଟର ନେବା ପାଇଁ ବାରମ୍ବାର ଟ୍ରାଙ୍କୁଲାଇଜେସନ୍ ର ଆବଶ୍ୟକତା କଣ ଥିଲା । ପୁଣି ପୋଷା ହାତୀ ରେସ୍କ୍ୟୁ ସେଣ୍ଟରରେ କାହିଁକି ରଖିବାକୁ କସରତ କରୁଛି ବନବିଭାଗ । କୁମ୍ଭାରଖୁଣ୍ଟି ହାତୀ ରେସ୍କ୍ୟୁ ସେଣ୍ଟରରେ ଉଦ୍ଧାର ହେଉଥିବା ଅମାନିଆ ଜଙ୍ଗଲୀ ହାତୀଙ୍କୁ ରଖିବା ଉଦ୍ଦେଶ୍ୟ ରହିଛି । ଏହାସତ୍ବେ କୁଙ୍କି ତାଲିମ ପାଇଁ ଆସିଥିବା ପୋଷା ହାତୀ ନନ୍ଦ ଏବଂ ଯଶୋଦାକୁ କାହିଁକି ଏଠି ରଖିବାକୁ ଚେଷ୍ଟା ଚାଲିଛି । ବନବିଭାଗର କୁଙ୍କି ଯୋଜନା ଫେଲ ମାରିଛି କି । ଏପରି ଅନେକ ପ୍ରଶ୍ନ ଏବେ ବନବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ଅସୁସ୍ଥ ହାତି ର ଚିକିଶ୍ଛା ପାଇଁ ଘଟଣା ସ୍ଥଳରେ ବନବିଭାଗ ର ସମସ୍ତ ଅଧିକାରୀ ଉପସ୍ତିତ ଥିଲେ ମଧ୍ୟ, ଆଜିର ଘଟଣା କୁନେଇ କୌଣସି ଉତ୍ତର ରଖିନାହାନ୍ତି

Leave A Reply

Your email address will not be published.