mobile header

ଲକ୍ଷ୍ୟ ପୂରଣ ପରେ ଅଟକି ନଯାଇ ଆଉ ଏକ ସ୍ବପ୍ନ ଦେଖ: ପ୍ରଶାନ୍ତ ନନ୍ଦ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ। ଲକ୍ଷ୍ୟ ପୂରଣ ପାଇଁ ସ୍ବପ୍ନ ଦେଖନ୍ତୁ। କିନ୍ତୁ ଗୋଟିଏ ଲକ୍ଷ୍ୟ ପୂରଣ ହୋଇଗଲା ପରେ ଅଟକି ନଯାଇ ଆଉ ଏକ ଉଚ୍ଚତର ଲକ୍ଷ୍ୟ ସ୍ଥିର କରି ତାକୁ ହାସଲ କରିବାକୁ ସ୍ବପ୍ନ ଦେଖନ୍ତୁ। ଜୀବନର ସମସ୍ତ ଲକ୍ଷ୍ୟ ପୂରଣ କରି ଗୋଟିଏ ଗୋଟିଏ ମୁକ୍ତାରେ ପରିଣତ ହୁଅନ୍ତୁ। ବାଣୀବିହାରର ନାଁ ରଖନ୍ତୁ। ଓଡ଼ିଆ ଚଳଚ୍ଚିତ୍ର ଜଗତର ହୁ’ଜ ହୁ ଭାବେ ପରିଚିତ ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ତଥା ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦ ଏହି ପରାମର୍ଶ ଦେଇଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ ଏବଂ ବିଶ୍ବବିଦ୍ୟାଳୟର ଆଲୁମ୍ନି କନେକ୍ଟ ପକ୍ଷରୁ ମିଳିତ ଭାବେ ଆଜି ଆୟୋଜିତ ଏକାଦଶତମ ‘ମିଟ୍ ଦ ଆଲୁମ୍ନି’ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବାଣୀବିହାରର ୧୯୬୯ ବ୍ୟାଚ୍ ଛାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି, ପଢ଼ିବା ବେଳେ ମୁଁ ବାଣୀବିହାରକୁ ସ୍ବପ୍ନ ବିହାର କହୁଥିଲି। କାରଣ ବାଣୀବିହାର ସମସ୍ତଙ୍କୁ ସ୍ବପ୍ନ ଦେଖାଉଥିଲା, ସ୍ବପ୍ନ ପୂରଣ କରୁଥିଲା। ବାପାଙ୍କ ସ୍ବପ୍ନ ଥିଲା ମୁଁ ଡାକ୍ତର ହୁଏ। କିନ୍ତୁ ମୋର ସ୍ବପ୍ନ ଥିଲା, ଚଳଚ୍ଚିତ୍ର ଜଗତ। ସେତେବେଳକୁ ବହୁ ଚଳଚ୍ଚିତ୍ରରେ ଅଭିନୟ କରି ସାରିଥାଏ। ବାଣୀବିହାର ପରିସରରେ ଥିବା ବେଳେ ମୁଁ ୩୫୦ ଗଳ୍ପ ଲେଖିଥିଲି ବୋଲି ସେ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସଭାପତିତ୍ବ କରି ପୁରାତନ ଛାତ୍ରସଂଘ ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଅତିଥି ବକ୍ତା ଶ୍ରୀ ନନ୍ଦଙ୍କ ବକ୍ତବ୍ୟର ଅବତାରଣା କରି ସବୁବେଳେ ସ୍ବପ୍ନ ଦେଖିବା ଓ ତାକୁ ପୂରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ପରିଷଦ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦୁର୍ଗାଶଙ୍କର ପଟ୍ଟନାୟକ କହିଥିଲେ ଯେ, ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପ୍ରଶାନ୍ତ ନନ୍ଦଙ୍କ ବିପୁଳ ଅବଦାନ ରହିଛି। ସେ ବାଣୀବିହାରର ଗର୍ବ ଓ ଗୌରବ।

କାର୍ଯ୍ୟକ୍ରମ ଆରମ୍ଭରେ ବିଶ୍ବବିଦ୍ୟାଳୟର ସଙ୍ଗୀତ ‘ତୁଙ୍ଗ ଶିଖରୀ ଚୁଳ’ ଗାନ ପରେ ପୁରାତନ ଛାତ୍ରସଂଘ ସମ୍ପାଦକ ପ୍ରଫେସର ଡକ୍ଟର ଅଶୋକ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ପୁରାତନ ଛାତ୍ରସଂଘ କାର୍ଯ୍ୟକାରୀ କମିଟି ସଦସ୍ୟ ଡକ୍ଟର ପ୍ରଦୀପ କୁମାର ରଥ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବା ବେଳେ ବିଶ୍ବବିଦ୍ୟାଳୟ ଆଲୁମ୍ନି କନେକ୍ଟ ପକ୍ଷରୁ ପ୍ରଫେସର ଡକ୍ଟର କୁଞ୍ଜବିହାରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରସଂଘ ଉପସଭାପତି ଦେବେନ୍ଦ୍ର ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ରଘୁନାଥ ପୃଷ୍ଟି, ଡକ୍ଟର ଅମିୟ କୁମାର ମହାନ୍ତି, ରାଧାକାନ୍ତ ପାଣି, ଦିଲୀପ ମିଶ୍ର, ତପନ ଜେନା, ନାରାୟଣ ତ୍ରିପାଠୀ, ରମେଶ ଦାଶ, ନିତ୍ୟାନନ୍ଦ ଦାସ, ଅଶୋକ ପଟ୍ଟନାୟକ, ହରେକୃଷ୍ଣ ସିଆଳ, ହରେକୃଷ୍ଣ ବେହେରା, ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଲକ୍ଷ୍ମୀଧର ଚାନ୍ଦ, କାଶୀ ବିଶ୍ଵନାଥ, ପି କେ ମାଟି, ବଙ୍କିମ ତ୍ରିପାଠୀ, ଏବଂ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଫେସର ସୁଧାକର ଜାଲି, କୀର୍ତ୍ତି ରଞ୍ଜନ ମଲ୍ଲିକ, ନିରୁପମା ମହାପାତ୍ର ଏବଂ କବିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.