mobile header

କଥା ମାନୁନାହାନ୍ତି ଜିଲ୍ଲାପାଳ

କଥା ମାନୁନାହାନ୍ତି ଜିଲ୍ଲାପାଳ । ଏଭଳି ଅଭିଯୋଗ କରି ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ରାଜ୍ୟପାଳଙ୍କୁ ଲେଖିଥିବା ଚିଠିରେ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି, ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରରେ ବିକାଶମୂଳକ କାମରେ ଜିଲ୍ଲାପାଳ ସଂପୂର୍ଣ୍ଣ ଅସହଯୋଗ କରୁଛନ୍ତି । ନିର୍ଦ୍ଧାରିତ ସମୟ ଅନୁସାରେ ବିକାଶମୂଳକ କାମର ସମୀକ୍ଷା ହେଉଛି । କିନ୍ତୁ ଅନ୍ୟଆଡେ ଗସ୍ତ କାର୍ଯ୍ୟକ୍ରମ ଥିବା ଦର୍ଶାଇ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଜାଣିଶୁଣି ଅନୁପସ୍ଥିତ ରହୁଛନ୍ତି । ତେଣୁ ତାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ।

ଟୁଡୁ ଆହୁରି ଅଭିଯୋଗ କରିଛନ୍ତି, ପ୍ରୋଟକଲ ଅନୁସାରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଯେମିତି ସମ୍ମାନ ମିଳିବା କଥା , ଜିଲ୍ଲପାଳ ତାହା ଦେଉନାହାନ୍ତି । ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ବି ସମୀକ୍ଷା ବୈଠକରେ ଉପସ୍ଥିତ ନ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଉଥିବା କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି । ଗତ ୨୯ ତାରିଖ ଦିଶା ବୈଠକରେ ଜିଲ୍ଲାପାଳ ବାରିପଦାରେ ଥାଇ ବି ବୈଠକକୁ ଆସିନଥିଲେ । ସେହିଭଳି ଗତ ୭ ଓ ୮ ତାରିଖରେ ବିଭିନ୍ନ ବିଭାଗର ସମୀକ୍ଷା ବେଳେ ବି ସେ ଆସିନଥିଲେ । କୌଣସି ବିଭାଗର ଅଧିକାରୀଙ୍କୁ ବି ଦେଖିବାକୁ ମିଳିନଥିଲା । ଜିଲ୍ଲାପାଳଙ୍କ ଏଭଳି କାମ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ କେନ୍ଦ୍ରମନ୍ତ୍ରୀ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ।

Leave A Reply

Your email address will not be published.