mobile header

ରକ୍ତରଂଜିତ ହେଲା ପୁରୀ ବଡ଼ଦାଣ୍ଡ; ଜଣେ ମୃତ

ପୁରୀ: ଶ୍ରୀମନ୍ଦିର ସମ୍ମୁଖ ପବିତ୍ର ବଡ଼ଦାଣ୍ଡରେ ମଙ୍ଗଳବାର ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି। ଦୁର୍ବୃତ୍ତ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ଟାଉନ୍‌ ଥାନା ଅନ୍ତର୍ଗତ ତଳୁଛ ସାହିର ଶିବରାମ ପାତ୍ର। ତେବେ ପୁଲିସ ଅଳ୍ପ ସମୟ ମଧ୍ୟରେ ଅଭିଯୁକ୍ତକୁ ବାନ୍ଧିଛି। ତେବେ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଗିରଫ ବ୍ୟକ୍ତିଙ୍କ ନାମ କହିବାକୁ ପୁଲିସ ମନା କରି ଦେଇଛି।

ପୁରୀ ଏସ୍‌ପି କେ. ବିଶାଲ ସିଂହ କହିଛନ୍ତି, ବଡ଼ଦାଣ୍ଡର ଏମାର ମଠ ସାମ୍ନାରେ ଦୁର୍ବୃତ୍ତ ଶିବରାମ ପାତ୍ରଙ୍କୁ ଅତି ନିକଟରୁ ଗୁଳି କରିଥିଲା। ଗୁଳିମାଡ଼ର ଶିକାର ହେବା ପରେ ଶିବରାମ ତଳେ ପଡ଼ିଯାଇଥିଲେ। ତାଙ୍କର ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେ ତଳେ ପଡ଼ି ଛଟପଟ ହେଉଥିଲେ। ସୂଚନା ପାଇ ପୁଲିସ କମ୍‌ ସମୟ ମଧ୍ୟରେ ଶିବରାମଙ୍କ ପାଖରେ ପହଞ୍ଚିଥିଲା। ଏକ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଶିବରାମଙ୍କୁ ନିଆଯାଇଥିଲା। କିନ୍ତୁ ଡାକ୍ତରଖାନାରେ ଶିବରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏସ୍‌ପି ଶ୍ରୀ ସିଂହ କହିଛନ୍ତି ଯେ, ଖୁବ୍‌ କମ ସମୟ ମଧ୍ୟରେ ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଠାରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି। ସେହିପରି ଘଟଣାସ୍ଥଳରୁ ଖୋକା ଜବତ ହୋଇଛି। ଅଭିଯୁକ୍ତକୁ ପୁଲିସ ପଚରାଉଚରା କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।

Leave A Reply

Your email address will not be published.