mobile header

ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର:ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଓ ଆବଶ୍ୟକୀୟ ଯତ୍ନ ଦ୍ୱାରା ଶିଶୁ ମୃତୁ୍ୟହାର ହ୍ରାସ ପାଇବାରେ ଲାଗିଛି। ଏ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି। ଏସ୍‌ଆର୍‌ଏସ୍‌ ବୁଲେଟିନ୍‌ ଅନୁଯାୟୀ ୨୦୦୫ରୁ ୨୦୨୦ ମସିହା ମଧ୍ୟରେ ଶିଶୁ ମୃତୁ୍ୟହାର ୩୯ ପଏଣ୍ଟ ହ୍ରାସ ପାଇଛି।
ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ପ୍ରକାଶିତ ସାମ୍ପଲ ରେଜିଷ୍ଟ୍ରେସନ୍‌ ସିଷ୍ଟମ, ଏସ୍‌ଆର୍‌ଏସ୍‌ ବୁଲେଟିନ୍‌ରେ ବାର୍ଷିକ ଶିଶୁ ମୃତୁ୍ୟହାର, ଜନ୍ମହାର ଓ ଆନୁଷଙ୍ଗିକ ତଥ୍ୟ ପ୍ରକାଶିତ ହୋଇଥାଏ। ଏବେ ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି ।
ରାଜ୍ୟରେ ଶିଶୁ ମୃତ୍ୟୁହାର ଓ ମାତୃମୃତ୍ୟୁହାର ହ୍ରାସ ପାଇଁ ୨୦୧୫-୧୬ ମସିହାରୁ ‘ସଂପୂର୍ଣ୍ଣ’ ଭଳି ଅଭିନବ ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ କରାଯାଇଛି। ଏଥିରେ ଅଧିକ ବିପଦପୂର୍ଣ୍ଣ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଚିହ୍ନଟ କରି ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ।
ପ୍ରଥମ ରେଫରାଲ ୟୁନିଟ୍‌ରେ ଗର୍ଭବତୀ ମହିଳାମାନଙ୍କୁ ସିଜରିଆନ୍‌ ସୁବିଧା ଯୋଗାଇଦେବା ସହ ‘ଲକ୍ଷ୍ୟ’ କାର୍ଯ୍ୟକ୍ରମ ଅଧୀନରେ ପ୍ରସବକାଳୀନ ସମସ୍ୟା ଓ ନବଜାତ ଶିଶୁମାନଙ୍କୁ ଗୁଣାତ୍ମକ ଯତ୍ନ ସେବା ଯୋଗାଇ ଦିଆଯାଉଛି। ଏଥିରେ ପ୍ରସୂତି ଓ ନବଜାତ ଶିଶୁମାନଙ୍କୁ ୪୮ ଘଣ୍ଟା ସ୍ୱାସ୍ଥ୍ୟସେବା ମିଳିପାରୁଛି। ଏଥି ପାଇଁ ରାଜ୍ୟରେ ୭୪ଟି ମାତୃଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏଥିରେ ୩୦ରୁ ୧୨୫ ପର୍ଯ୍ୟନ୍ତ ଶଯ୍ୟାର ବ୍ୟବସ୍ଥା ରହିଛି। ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ବିନା ମୂଲ୍ୟରେ ଆମ୍ବୁଲାନ୍ସ ମାଧ୍ୟମରେ ପରିବହନ ସେବା ଯୋଗାଇ ଦିଆଯାଉଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନବଜାତ ଶିଶୁମାନଙ୍କର ଯତ୍ନ ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୪୮ରୁ ଅଧିକ ଆଶାକର୍ମୀ ନିୟୋଜିତ ଅଛନ୍ତି।

ରାଜ୍ୟରେ ଏବେ ୪୪ଟି ସ୍ୱତନ୍ତ୍ର ନବଜାତ ସ୍ୱାସ୍ଥ୍ୟସେବା କେନ୍ଦ୍ର କାର୍ଯ୍ୟ କରୁଛି। ଏଠାରେ ଜନ୍ମ ପରବର୍ତ୍ତୀ ମୃତ୍ୟୁହାର ଓ ମସ୍ତିଷ୍କର କ୍ଷତିକୁ ରୋକିବା ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି। ନିୟମିତ ଟିକାକରଣ ଯୋଜନା ମାଧ୍ୟମରେ ଆଇଭିପି, ରୋଟାଭାଇରସ୍‌ ଓ ମିଶନ ଇନ୍ଦ୍ରଧନୁଷ ମାଧ୍ୟମରେ ଟିକା ସୁବିଧା ମିଳିପାରୁଛି। ଶିଶୁମାନଙ୍କୁ ଜନ୍ମ ପରେ ଭିଟାମିନ୍‌ କେ ଦିଆଯାଉଛି। ପିଲାମାନଙ୍କଠାରେ ଡାଇରିଆର ଚିକିତ୍ସା ନିମନ୍ତେ ନିୟମିତ ଭାବେ ସଚେତନତା ସୃଷ୍ଟି କରାଯାଉଛି ଓ ଔଷଧ ପ୍ରଦାନ କରାଯାଉଛି । ଗୁରୁତର ପୁଷ୍ଟିହୀନ ପିଲାମାନଙ୍କୁ ଉପଯୁକ୍ତ ଖାଇବା ଅଭ୍ୟାସ, ଓଆର୍‌ଏସ୍‌ ଓ ଜିଙ୍କ ଥେରାପି ଏବଂ ପୁଷ୍ଟିକର ସପ୍ଲିମେଣ୍ଟସ୍‌ ପ୍ରଦାନ କରାଯାଉଛି। ସରକାରଙ୍କ ଏହିସବୁ ପଦକ୍ଷେପ ଫଳରେ ରାଜ୍ୟରେ ଶିଶୁ ମୃତୁ୍ୟହାର ହ୍ରାସ ପାଇଛି।

Leave A Reply

Your email address will not be published.