
ଭୁବନେଶ୍ବର : ରୂପାନ୍ତରିତ ବିଦ୍ୟାଳୟରେ ଦିଆଯିବ ‘କୋଡିଂ’ ଶିକ୍ଷା। ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୧୦୭୬ଟି ଉଚ୍ଚବିଦ୍ୟାଳୟରେ ୨ଟି ପର୍ଯ୍ୟାୟରେ ‘କୋଡ୍ କ୍ଲବ୍’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ଆସନ୍ତା ଜୁନ୍ରେ ୪୪୧ ଶିକ୍ଷକଶିକ୍ଷୟିତ୍ରୀଙ୍କୁ କୋଡିଂ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯିବ। ‘ମୋ ସ୍କୁଲ୍ ଅଭିଯାନ’ର ୩୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଗଣିତ, ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନରେ ସରକାରୀ ବିଦ୍ୟାଳୟର ପିଲାଙ୍କୁ ଅଧିକ ଦକ୍ଷ କରିବାକୁ ମୋ ସ୍କୁଲ୍ ଅଭିଯାନ ଅଧୀନ ପୁରାତନ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଙ୍ଗଠନ ଜରିଆରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଅଧିକରୁ ଅଧିକ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଯେପରି ଉପକୃତ ହୋଇପାରିବେ ତା ଉପରେ ଗୁରୁତ୍ବ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଲାଗି ଦ୍ବିତୀୟ ପର୍ଯ୍ୟାୟରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଜୁନ ୩ୟ ସପ୍ତାହରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ଆଭାସି ସମ୍ମିଳନୀରେ ଏହି ବୈଠକରେ ଅଧ୍ୟକ୍ଷତା କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ବିଦ୍ୟାଳୟଗୁଡ଼ିକରେ ପ୍ରତିଷ୍ଠିତ ତଥା ସଫଳ ବ୍ୟକ୍ତିବିଶେଷଙ୍କୁ ନେଇ ଟକ୍ ସେସନ୍ର ଆୟୋଜନ କରିବାକୁ କହିଥିଲେ। ଇଣ୍ଟରନେଟ୍ ସୁବିଧା ନ ଥିବା ବିଦ୍ୟାଳୟଗୁଡ଼ିକରେ ଇଣ୍ଟରନେଟ୍ ସଂଯୋଗ କରି ଭିଡିଓ କନ୍ଫରେନ୍ସ ଆୟୋଜନ କରିବାକୁ ସେ ନିର୍ଦେଶ ଦେଇଥିଲେ।
ଚଳିତ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ୨୬ ଜିଲାର ମୋଟ ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ମାସକ ମଧ୍ୟରେ ୧୩ ହଜାର ୩୦୨ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ି ହୋଇଛନ୍ତି। ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୩୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୧ କୋଟି ୬୮ ଲକ୍ଷ ଟଙ୍କାର ଅନୁଦାନ ଆସିଛି। ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପରେ ବଳକା ଥିବା ୪୩୧୬ଟି ଉଚ୍ଚ ବିଦ୍ୟାଳୟରୁ ୨ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଆଲୋଚନା ହୋଇଥିଲା। ୫ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପର ମନିଟରିଂକୁ ପ୍ରାଥମିକତା ଦିଆଯାଉଥିବାବେଳେ ମନ୍ଥର ଗତିରେ ହେଉଥିବା କାମକୁ ତୁରନ୍ତ ଶେଷ କରିବାକୁ ନିର୍ଦେଶ ଦିଆଯାଇଛି। ବୈଠକରେ ମୋ ସ୍କୁଲ୍ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ଶାହା,ବିଭାଗୀୟ ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।