mobile header

ପରିବାର ଲୋକଙ୍କୁ ଦେଲାନି ଶବ, ପୋଡ଼ିଦେଲା ଇଟାଭାଟି ମାଲିକ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ଦାଦନ ଦୁଃଖ କମିବା ନାଁ ନେଉ ନାହିଁ। ତେଲେଙ୍ଗାନାକୁ ଦାଦନ ଖଟି ଯାଇଥିବା ପାଟଣାଗଡ଼ ବ୍ଲକ୍‌ ସାଲେପାଲି ପଞ୍ଚାୟତ ତୁର୍ଲାମାଲ ଗ୍ରାମର ଶ୍ରମିକ କୈଳାସ ଭୁଏଙ୍କ ସେଠାରେ ମୃତ୍ୟୁ ଘଟିଛି। ହେଲେ ଇଟାଭାଟି ମାଲିକ ତାଙ୍କ ଶବ ପରିବାର ଲୋକଙ୍କୁ ଦେଇ ନଥିଲା। ଏପରିକି ଶବ ପାଖକୁ ଯିବାକୁ ବି ଛାଡ଼ି ନଥିଲା। ସେଠାରେ ହିଁ ପୋଡ଼ି ଦେଇଥିବା ପରିବାର ଲୋକେ ଅଭିଯାଗ କରିଛନ୍ତି।

ଅଭିଯୋଗ ଅନୁସାରେ, ତୁର୍ଲାମାଲ ଗ୍ରାମର କୈଳାସ ଭୁଏଙ୍କୁ ସେହି ଗ୍ରାମର ଶେଷଦେବ ଦୀପ ଓ କଣ୍ଟାବାଞ୍ଜିର ପପୁ ଖାନ୍ ତେଲେଙ୍ଗାନା ରାଜ୍ୟ ଟୁକୁଗୁଡ଼ାର ଏକ ଇଟାଭାଟିକୁ ନେଇଥିଲେ। କୈଳାସ ତାଙ୍କ ଗୋଟିଏ ଝିଅକୁ ଗାଁରେ ଛାଡ଼ିଦେଇ ପତ୍ନୀ ପ୍ରେମ ଭୁଏ ଓ ଅନ୍ୟ ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ୬ ମାସ ତଳେ ତେଲେଙ୍ଗାନା ଯାଇଥିଲେ। ଇଟାଭାଟିରେ କାମ କରୁଥିବା ବେଳେ ସେଠାରେ ଇଟାଭାଟି ମାଲିକ ନିର୍ଯାତନା ଦେଉଥିଲା। ପ୍ରଚଣ୍ଡ ଖରାରେ ମଧ୍ୟ କାମ କରିବାକୁ ବାଧ୍ୟ କରୁଥିଲା। ଫଳରେ କୈଳାସ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ବୁଧବାର ସେଠାକାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହା ଜାଣିବା ପରେ ମାଲିକ ପରିବାର ସଦସ୍ୟଙ୍କୁ ମୃତଦେହ ପାଖକୁ ଛାଡ଼ି ନଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଧମକ ଚମକ ଦେଇ ସେଠାରେ ହିଁ ପୋଡ଼ି ଦେଇଥିଲା। ଏନେଇ ତୁର୍ଲାମାଲ ଗ୍ରାମରେ ଥିବା ନିଜ ସମ୍ପର୍କୀୟମାନଙ୍କୁ ପ୍ରେମ ଫୋନ୍‌ ଯୋଗେ ଜଣାଇଥିଲେ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ପଦକ୍ଷେପ ନେବାକୁ ପରିବାର ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.