mobile header

ନଳକୂପ ଅଚଳ ; ପାନୀୟ ଜଳ ସମସ୍ୟା ଘେରରେ ପଂଚାୟତର ୪ଗ୍ରାମ


ଦଶପଲ୍ଲା(ଆପ୍ର); ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ପାନୀୟ ଜଳ ସମସ୍ୟାରେ ଛନ୍ଦୀହୋଇ ଯାଇଛନ୍ତି ପଂଚାୟତର ୪ଟି ଗ୍ରାମର ୨୦୦ ପରିବାର । ଏଭଳି ପାନୀୟ ଜଳପାଇଁ ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକ ଅନ୍ତର୍ଗତ ନଛିପୁର ଗ୍ରାମପଂଚୟତରେ । ପଂଚାୟତର ୪ଗୋଟି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗିରହିଥିବା ବେଳେ କର୍ଣ୍ଣପାତ କରୁନାହଁନ୍ତି ବିଭାଗୀୟ ଅଧିକାରୀ । ଜାମୁସାହି, ରାଇସର , ବିଡାପାଜୁ ଓ ତାଳସାହି ଗ୍ରାମରେ ଦିର୍ଘଦିନ ଧରି ନଳକୂପ ଅଚଳ ରହିଥିବାଯୋଗୁଁ ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି । ସାଧାରଣତଃ ଏହି ଗ୍ରାମଗୁଡିକ ବଣପାହାଡ ଘେରା ଦୁର୍ଗମ ଅଂଚଳର ହୋଇଥିବାରୁ ପ୍ରଶାସନର ନଜର କେବେ ଏହି ଗ୍ରାମ ଗୁଡିକରେ ପଡେନାହିଁ ଏବଂ ଏମାନଙ୍କ କଥାକୁ କେହି ଗୁରୁତ୍ୱ ମଧ୍ୟ ଦିଅନ୍ତି ନାହିଁ ଫଳ ସ୍ୱରୁପ ଅଂଚଳବାସୀ କିଛି ଉପାୟ ନପାଇ ଚୁପଚାପ ନିଜ ମୌଳିକ ଅଧିକାରରୁ ବଂଚିତ ହୁଅନ୍ତି । ପଂଚାୟତର ଜାମୁସାହି ଗ୍ରାମରେ ଏକମାତ୍ର ନଳକୂପ ଦିର୍ଘ ୪ମାଷ ହେଲା ଅଚଳ ହୋଇପଡିଛି ଫଳରେ ପାନୀୟ ଜଳପାଇଁ ଲୋକମାନେ ଦୁରଦୁରାନ୍ତରୁ କୁଅ ଓ ନାଳ ଚୁଆ ଉପରେ ଭରଷା କରି କାଳତିପାତ କରୁଛନ୍ତି । ସେହିଭଳି ରାଇସର ଗ୍ରାମରେ ୨ଟି ନଳକୂପ ରହିଥିବା ବେଳେ ଗୋଟିଏ ନଳକୂପ ଅଚଳ ଅସ୍ଥାରେ ଥିବା ବେଳେ ଅନ୍ୟଟିରୁ ପଟୁ ବାଲି ମିଶ୍ରିତ ପାଣି ବାହାରୁ ଥିବାରୁ ତାହା ପାନୀୟ ଉପଯୋଗି ହେଉନାହିଁ ଫଳରେ ଗ୍ରାମର ୫୦ ପରିବାର ବାଧ୍ୟହୋଇ ନାଳଚୁଆ ଉପରେ ଭରଷା କରନ୍ତି । ଏଥି ସହିତ ପଂଚାୟତର ବିଡାପାଜୁ ଗ୍ରାମରେ ଥିବା ଏକମାତ୍ର ନଳକୂପରୁ ପାଣି ଆସୁନଥିବା ବେଳେ ପ୍ରାୟ ଅଧଘଣ୍ଟାଧରି ହ୍ୟାଣ୍ଡାଲ ମାରିବା ପରେ ପାଣି ବାହାରେ । ସେହିଭଳି ପଂଚାୟତର ଆଦିବାସୀ ଗ୍ରାମ ତାଳସାହିରେ ମଧ୍ୟ ଅବସ୍ଥା ଶୋଚନୀୟ ଗ୍ରମରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇରହିଥିବା ବେଳେ ଖରାତରାରେ ଲୋକେ ଦୁରଦୁରାନ୍ତ ନଦୀ ନାଳରୁ ପାଣି ବୋହି ଚଳୁଛନ୍ତି । ୪ମାଷ ହେବ ବିଡିଓଙ୍କ ନିକଟକୁ ବାରମ୍ବାର ଧାଇଁ ଏବାବଦରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେବେ ବିଭାଗୀୟ କର୍ମଚାରୀ ମାନେ କେବେ ସେମାନଙ୍କ ଦାଇତ୍ୱକୁ ବୁଝି ସାଧାରଣ ଜନତା ପାଇଁ କାମ କରିବେ ତାହା ପ୍ରଶ୍ନବାଚି ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏବାବଦରେ ତୁରନ୍ତ ଦୃଷ୍ଟି ଦେଇ ସାଧାରଣ ଜନତାଙ୍କ ଦୁଃଖକୁ ହୃଦୟଙ୍ଗମ କରି ତୁରନ୍ତ ନଳକୂପ ଗୁଡିକୁ ସଜାଡି ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.