ନୟାଗଡ଼,29/06 :- ନୟାଗଡ଼ରେ ଜୋର ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି l ଏନେଇ ଆଜି ନୟାଗଡ଼ ନୀଳମାଧଵ କଲ୍ୟାଣ ମଣ୍ଡପ ପରିସରରେ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l
ଲଗାତର ଭାବେ ନୟାଗଡ଼ ଜିଲ୍ଲାରେ ଯୁକ୍ତ ୨ ବିଜ୍ଞାନ ପାସ ହାର ରାଜ୍ୟର ଅନ୍ୟ ଜିଲ୍ଲାର ପାସହାର ଠାରୁ ସର୍ବାଧିକ ହେଉଥିବା ବେଳେ ଜିଲ୍ଳାରେ ଯୁକ୍ତ୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ଉଚ୍ଚଶିକ୍ଷାର ସୁଯୋଗ ନାହିଁ l ସେପଟେ ଜିଲ୍ଲାରେ ଦିର୍ଘଦିନ ଧରି ସ୍ୱାସ୍ଥ୍ୟବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ସରକାର ଦୀର୍ଘଦିନ ଧରି ନୟାଗଡ଼କୁ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି l ଯାହାଫଳରେ ନୟାଗଡ଼ରେ ଆବଶ୍ୟକୀୟ ଚିକିତ୍ସା ନପାଇ ଶତାଧିକ ଲୋକେ ଅକାଳରେ ମୃତ୍ୟବରଣ କରୁଛନ୍ତି l ଏଣୁ, ଏଦିଗରେ ଜିଲ୍ଲାର ବୃହତ ସ୍ଵାର୍ଥକୁ ଦୃଷ୍ଟିରେ ରଖି ସରକାର ନୟାଗଡ଼ରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଦାବି କରାଯାଇଛି l ଏନେଇ ଆଜି ନୟାଗଡ଼ ବିକାଶମଞ୍ଚ ପକ୍ଷରୁ ମଞ୍ଚର ଆବାହକ ବିଜେପି ନେତା ସନ୍ତୋଷ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ସମଜସେବୀ ଦାମୋଦର ସାହୁ, ମୈତ୍ରୀ ଯୁବସଂସଦର ପ୍ରଦୀପ କୁମାର ସାହୁ, ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର,ସେବାଦଳ ନେତା ମନୋଜ ସାହୁ, କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶ, ନୟାଗଡ଼ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ବୈଦ୍ୟଭୂଷଣ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ସମାଜସେବୀ ଗୋଦାବରୀ ସାହୁ, ସମାଜସେବୀ ବସନ୍ତ କୁମାର ପଟନାୟକ,ଅରୁଣ କୁମାର ମହାନ୍ତି, ନୟାଗଡ଼ ୟୁଥ ଫର ଆକ୍ସନ ଉପଦେଷ୍ଟା ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l
ଏହି ଅବସରରେ ନୟାଗଡ଼ର ଏହି ଦାବିକୁ ଅଧିକ ଜୋରଦାର କରାଯିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିକାଶ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି l ସେପଟେ ନୟାଗଡ଼ ଜିଲ୍ଲାର ସମସ୍ତ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ସହଯୋଗ ଲୋଡ଼ାଯିବ ସହ ଏନେଇ ଗାଁ ଗାଁରେ ବ୍ୟାପକ ଜନଜାଗରଣ ସୃଷ୍ଟି କରାଯିବ ବୋଲି ଆଜିର ବୈଠକରେ ନିଷ୍ପତି କରାଯାଇଛି l