mobile header

କୋଭିଡ ଅନାଥଙ୍କୁ ୪ ହଜାର ବୃତ୍ତି

ନୂଆଦିଲ୍ଲୀ : କେନ୍ଦ୍ର ସରକାର କରୋନାରେ ପିତାମାତା ଓ ଅଭିଭାବକଙ୍କୁ ହରାଇଥିବା ଅନାଥ ପିଲାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସେମାନଙ୍କ ଲାଗି ‘ପିଏମ କେୟାର୍ସ ଫର୍‌ ଚିଲଡ୍ରେନ୍‌’ ଯୋଜନାର ଲାଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୂର୍ବାହ୍ଣରେ ଦେଶବ୍ୟାପୀ ଅନାଥ ଶିଶୁମାନଙ୍କୁ ବିତରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂରେ ବିଭିନ୍ନ ବିଦ୍ୟାଳୟର ଏହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହିତ ସହାୟତା ବୃତ୍ତି ଅର୍ଥ ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ କୋଭିଡ୍‌ରେ ଅନାଥ ହୋଇପଡିଥିବା ପିଲାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆଶ୍ବାସନା ଦେବା ସହ ବିପଦ ସମୟରେ ଦେଶ ଓ ଦେଶବାସୀ ସେମାନଙ୍କ ସହିତ ଦୃଢ ଭାବେ ଠିଆ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଯୋଜନା ଅନ୍ତର୍ଗତ କୋଭିଡ୍‌ ଅନାଥ ପିଲାଙ୍କୁ ମାସିକ ୪ ହଜାର ଟଙ୍କାର ଷ୍ଟାଇପେଣ୍ଡ ମିଳିବ। ପିଏମ୍‌ କେୟାର୍ସ ଯୋଜନାର ଏକ ଜମାଖାତା ଖୋଲାଯିବା ସହ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଅଧୀନରେ ଏକ ସ୍ବାସ୍ଥ୍ୟକାର୍ଡ ପିଲାମାନଙ୍କୁ ହସ୍ତାନ୍ତର କରାଯାଇଛି। ସ୍କୁଲ ଶିକ୍ଷା ଶେଷ କରିବା ପରେ ସେମାନଙ୍କୁ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ଏହି ଜମାଖାତାରୁ ମିଳିବ। ତେବେ ୧୮ରୁ ୨୩ ବର୍ଷ ବୟସର ହେବା ପରେ ପିଲାଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ଯୋଜନାରେ ବ୍ୟବସ୍ଥା ରହିଛି।
୧୧ ମାର୍ଚ୍ଚ ୨୦୨୦ରୁ ୨୮ ଫେବୃଆରୀ ୨୦୨୨ ମଧ୍ୟରେ କୋଭିଡ-୧୯ ମହାମାରୀ କାରଣରୁ ଉଭୟ ମାତାପିତା, କିମ୍ବା ଆଇନଗତ ଅଭିଭାବକ କିମ୍ବା ପୋଷ୍ୟ ମାତାପିତା କିମ୍ବା ଅଭିଭାବକଙ୍କୁ ହରାଇଥିବା ଅନାଥ ପିଲାଙ୍କୁ ଏହି ସହାୟତା ଯୋଗାଇବା ଆରମ୍ଭ ହୋଇଛି। ଏଥିଲାଗି ୨୯ ମେ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଶୁଙ୍କ ପାଇଁ ‘ପିଏମ କେୟାର୍ସ ଫର୍‌ ଚିଲଡ୍ରେନ୍‌ସ’ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଏଭଳି ଅନାଥ, ଗରିବ ଓ ଅଭାବୀ ପିଲାମାନଙ୍କର ନିରନ୍ତର ଯତ୍ନ ନେବା ଓ ସୁରକ୍ଷା ଯୋଗାଇ ଦେବା। ସେମାନଙ୍କୁ ଆବାସିକ ସୁବିଧା ପ୍ରଦାନ, ଶିକ୍ଷା ଓ ବୃତ୍ତି ଜରିଆରେ ସେମାନଙ୍କୁ ସଶକ୍ତ କରିବା, ୧୮ରୁ ୨୩ ବର୍ଷ ବୟସ ହେବା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଏପରିକି ଆୟୁଷ୍ମାନ୍ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯିବ। ଏପରିକି ସେମାନଙ୍କୁ ଷ୍ଟାଇପେଣ୍ଡ ବାବଦରେ ୪ ହଜାର ଟଙ୍କା ଲେଖାଁଏ ଦିଆଯିବ। ଯୋଜନାର ସୁବିଧା ପାଇବା ଲାଗି ଚାହୁଁଥିବା ପିଲାମାନଙ୍କ ପଞ୍ଜୀକରଣ ପାଇଁ pmcaresfor children.in ନାମକ ଏକ ପୋର୍ଟାଲ ପୂର୍ବରୁ ଖୋଲାଯାଇ ସାରିଛି। ଏହି ପୋର୍ଟାଲରେ ଏକ ସିଙ୍ଗଲ ୱିଣ୍ଡୋ ପ୍ରଣାଳୀ ରହିଛି, ଯେଉଁଥିରେ ମଞ୍ଜୁରି ପ୍ରକ୍ରିୟା ସହିତ ପିଲାମାନଙ୍କୁ ଅନ୍ୟ ସବୁ ସହାୟତା ପାଇଁ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.