mobile header

ନୈତିକ ମୂଲ୍ୟବୋଧର ବିକାଶ ପାଇଁ ସଂସ୍କୃତ ଭାଷା ଅପରିହାର୍ୟ୍ୟ

ସଂସ୍କୃତ ଏକ ପ୍ରାଚୀନ ଆଦିଭାଷା ଓ ସର୍ବଭାଷାର ଜନନୀ, ଯାହା ଭାରତର ପରିଚୟ ଅଟେ। ଏହି ଭାଷା ପ୍ରାଚୀନ ହେଲେ ମଧ୍ୟ ବେଶ ବିଜ୍ଞାନ ସମ୍ମତ। ସଂସ୍କୃତ ଓ ସଂସ୍କୃତି ସମାଜ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ନୈତିକ ମୂଲ୍ୟବୋଧର ବିକାଶ ପାଇଁ ସଂସ୍କୃତ ଭାଷା ଅପରିହାର୍ୟ୍ୟ। ଏଥିପାଇଁ ସଂସ୍କୃତ ଭାଷାକୁ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ଉତ୍କଳ ବିଶ୍ୱିଦ୍ୟାଳୟ ସଂସ୍କୃତ ବିଭାଗ ପକ୍ଷରୁ ପିଜି କାଉନସିଲ ହଲରେ ଆୟୋଜିତ ‘ସ୍ୱାଧୀନତ୍ତୋର ଭାରତରେ ସଂସ୍କୃତରେ ସର୍ଜନାତ୍ମକ ସାହିତ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ବକ୍ତାମାନେ ପ୍ରକାଶ କରିଛନ୍ତି।

କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ କହିଥିଲେ ଯେ ସଂସ୍କୃତ ଭାଷାରେ ଥିବା ସ୍ୱାଧୀନତା ପରବର୍ତ୍ତି ସାହିତ୍ୟଗୁଡ଼ିକର ଆଧୁନିକ ଭାଷା ଗବେଷଣା କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ସ୍ୱାଧୀନତ୍ତୋର ଭାରତରେ ସଂସ୍କୃତ ସାହିତ୍ୟ ଜଗତରେ ଉତ୍କଳରେ ଥିବା କବି ଓ ଲେଖକମାନଙ୍କର ଅବଦାନ ଅବିସ୍ମରଣୀୟ। ହିନ୍ଦୀ ଭାଷା ସାହିତ୍ୟର ବିକାଶ ପାଇଁ ସଂସ୍କୃତ ବିଭାଗ ପକ୍ଷରୁ ସେଲ୍ଫ ଫାଇନାନ୍ସିଂ ପିଜି କୋର୍ସ ‘ହିନ୍ଦୀ’ ଖୋଲାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ହିନ୍ଦୀ’ ବିଭାଗକୁ ନିୟମିତ କରିବା ପାଇଁ ସେ ଯତ୍ନଶୀଳ ଥିବା ପ୍ରକାଶ କରଥିଲେ।

ଡ.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର କହିଥିଲେ ଯେ ଓଡ଼ିଶାରେ ଜନ୍ମ ନେଇ ସଂସ୍କୃତରେ ଅବଦାନ ରଖିଥିବା କବିମାନଙ୍କ ସଂଖ୍ୟା ଅନେକ ରହିଛି। ସେଥିମଧ୍ୟରୁ ଓଡ଼ିଶା ପ୍ରଦେଶର ପଣ୍ଡିତ ପ୍ରବୋଧକୁମାର ମିଶ୍ରଙ୍କୁ ଉତ୍କଳର କାଳିଦାସ ବୋଲି କୁହାଯାଇପାରିବ. ଯିଏ ଅନେକ ଦୂତକାବ୍ୟ ରଚନା କରିସାରିଛନ୍ତି। ଏଭଳି ଅନେକ ଉତ୍କଳୀୟ କବିମାନେ ସ୍ୱାଧୀନତା ପରବର୍ତ୍ତି ଭାରତରେ ଗବେଷଣା ଲବ୍ଧ ରଚନା କରିଯାଇଛନ୍ତି, ଆଜିର ବିଦ୍ୟାର୍ଥୀମାନେ ସେସବୁ ଗ୍ରନ୍ଥ ଉପରେ ଗବେଷଣା କାର୍ୟ୍ୟ ଜାରି ରଖିବାକୁ ସେ ଆହ୍ୱାନ ଦେଇଥିଲେ।

ସଂସ୍କୃତ ବିଭାଗ ମୁଖ୍ୟ ପ୍ରଫେସର ସୁବାଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, କିସ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ପଣ୍ଡିତ ଅନ୍ତର୍ୟ୍ୟାମି ମିଶ୍ର, ସଂସ୍କୃତ ବିଭାଗର ଆସୋସିଏଟ ପ୍ରଫେସର ବ୍ରଜସୁନ୍ଦର ମିଶ୍ର, ମନୋରଞ୍ଜନ ସେନାପତି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସହକାରୀ ପ୍ରଫେସର ଧର୍ମେନ୍ଦ୍ର ଦାସ କାର୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ଜାତୀୟ ଆଲୋଚନାଚକ୍ରରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ୧୦୦ରୁ ଅଧିକ ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କ ଶୋଧପତ୍ର ଉପସ୍ଥାପନ କରିଥିଲେ।

Leave A Reply

Your email address will not be published.