mobile header

ରଙ୍ଗ ମାରି ନୂତନ ରୂପ ଦିଆଯାଇଛି ପାଣି, ହେଲେ ନିର୍ମାଣ ପରେ ମାସ ମାସ ଧରି ମିଳୁନି ପାଣି

ପଡିଆ, ୧୫/୦୬ : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ର ବିଭିନ୍ନ ସ୍ଥାନରେ ଜଳ ଯୋଗାଣ ପ୍ରକଳ୍ପ ଗୁଡିକ ଫେଲ ହୋଇପଡିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। କେଉଁଠି ବର୍ଷ ବର୍ଷ ଧରି ଜଳ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଗ୍ରାମବାସୀ ପାଣି ପାଇବାରୁ ବଞ୍ଚିତ ହେଉଥିଲା ବେଳେ ଆଉ କେତେକ ସ୍ଥାନରେ ସୋଲାର ବ୍ୟବସ୍ଥା ଅଚଳ ହୋଇ ପଡିଥିବାରୁ ଜଳ ଯୋଗାଣ ବନ୍ଦ ରହିଛି। ସୂଚନା ମୁତାବକ ଗତ ୨୦୧୯ ମସିହାରେ ବସୁଧା ଯୋଜନାରେ ସରକାର ଙ୍କ ପକ୍ଷରୁ କାଲଦାପଲ୍ଲୀ ପଞ୍ଚାୟତ ସଦର ମହକୁମା ରେ ଏକ ୪୦ ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ତେବେ ଏହି ପାଣି ଟାଙ୍କି ଟି ଗତ କିଛି ମାସ ଧରି ଅଚଳ ହୋଇପଡ଼ିଥିବାରୁ ସ୍ଥାନୀୟ ଲୋକ ଜଳ ଯୋଗାଣ ରୁ ବଞ୍ଚିତ ହୋଇ ରହିଛନ୍ତି। ଯାହାଫଳରେ ଗ୍ରାମବାସୀ ନଳକୂପ ଓ ସ୍ଥାନୀୟ ଶାବେରୀ ନଦୀ ଉପରେ ନିର୍ଭରଶୀଳ ହେବାକୁ ପଡୁଥିବା କହିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ର ଅପର ପାର୍ଶ୍ଵରେ ରହିଥିବା ଏହି ପାଣି ଟାଙ୍କି ବାବଦରେ ସ୍ଥାନୀୟ ଲୋକ ବାରମ୍ଵାର ପଞ୍ଚାୟତ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ଗ୍ରାମବାସୀ ପାଣି ପାଇବାରୁ ବଞ୍ଚିତ ହେଉଥିଲା ବେଳେ ବିଭାଗ ପକ୍ଷ୍ୟରୁ ପାଣି ଟାଙ୍କି କୁ ରଙ୍ଗ କରାଯାଇ ନୂତନ ରୂପ ଦେବା ଘଟଣା କୁ ହଜମ କରି ପାରୁ ନାହାନ୍ତି ଗ୍ରାମବାସୀ। ସେହିପରି କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୁରକୋଣ୍ଡା ଗ୍ରାମରେ ମଧ୍ୟ ସୋଲାର ବ୍ୟବସ୍ଥା ଅଚଳ ଥିବାରୁ ଜଳ ଯୋଗାଣ ଟାଙ୍କି ମଧ୍ଯ ବର୍ଷ ବର୍ଷ ଧରି ଅଚଳ ହୋଇ ରହିଥିବା ଜଣାପଡ଼ିଛି। ଏ ବାବଦରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ କାଲଦାପଲ୍ଲୀ ପାଣି ଟାଙ୍କି ଠିକ୍ ରହିଥିବା ବେଳେ ବିଦ୍ୟୁତ୍ ସରୋବରାହ ବିଚ୍ଛିନ୍ନ ହୋଇଥିବାରୁ ଜଳ ଯୋଗାଣ ହୋଇପାରୁନାହିଁ ଓ ସେ ଏ ବାବଦରେ ସ୍ଥାନୀୟ ବିଦ୍ୟୁତ୍ ବିଭାଗକୁ ଅବଗତ କରାଇଥିବା ମଧ୍ୟ କହିଛନ୍ତି। ଅନ୍ୟପଟେ ପଞ୍ଚାୟତ ସଦର ମହକୁମା ରେ ରହିଥିବା ଜଳ ଯୋଗାଣ ପ୍ରକଳ୍ପର ଅବସ୍ଥା ଏଭଳି ହୋଇଥିବା ବେଳେ ଦୁର୍ଗମ ଗ୍ରାମ ଗୁଡିକ ଅବସ୍ଥା କିଭଳି ହୋଇଥିବା ତାହା ସାଧାରଣରେ ଅନୁମେୟ ବୋଲି କୁହାଯାଇଛି। ଏପରି ସ୍ଥିତିରେ କାଲଦାପଲ୍ଲୀ ସହ ପଡିଆ ବ୍ଲକ byର ବିଭିନ୍ନ ସ୍ଥାନରେ ବନ୍ଦ ହୋଇ ରହିଥିବା ଜଳ ଯୋଗାଣ ପ୍ରକଳ୍ପ ଗୁଡିକୁ ଚିହ୍ନଟ କରି ତୁରନ୍ତ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
ବି ଶ୍ରୀନିବାସ ରାଓ
ପଡିଆ

Leave A Reply

Your email address will not be published.